ଚଳିତ ବର୍ଷ କିଟ୍ରେ ରେକର୍ଡ ପ୍ଲେସ୍ମେଣ୍ଟ

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍): କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟ୍ରେ ରେକର୍ଡ ପ୍ଲେସ୍ମେଣ୍ଟ ହୋଇପାରିଛି । କିଟ୍ର ୨୦୨୨ ପାସ୍ ଆଉଟ ବ୍ୟାଚ୍ ପାଇଁ ଜୁଲାଇ ମାସରୁ ପ୍ଲେସମେଣ୍ଟ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍କୁ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପାଇଁ ଆସିଥିଲେ । ୪୨ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଶହ ଛାତ୍ରଛାତ୍ରୀ ଏକାଧିକ ଏବଂ ୩ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ନିଯୁକ୍ତି ସୁଯୋଗ ପାଇବାରେ ସଫଳ ହୋଇଛନ୍ତି । ୧୫ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୮.୧୦ଲକ୍ଷ ଟଙ୍କା ପ୍ୟାକେଜ୍ରେ ବିଭିନ୍ନ ଡ୍ରିମ୍ କମ୍ପାନୀ ନିଯୁକ୍ତି ସୁଯୋଗ ଦେଇଛନ୍ତି । ସେହିପରି ୩୫ରୁ ଉର୍ଦ୍ଧ୍ୱ କମ୍ପାନୀ କିଟ୍ର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ହାରାହାରି ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ପ୍ୟାକେଜ୍ରେ ନିଯୁକ୍ତି ସୁଯୋଗ ଦେଇଥିବା ବେଳେ ଉର୍ଦ୍ଧ୍ୱ ୧୩୦ରୁ କମ୍ପାନୀ ବାର୍ଷିକ ହାରାହାରି ୫ଲକ୍ଷ ଟଙ୍କା ପ୍ୟାକେଜ୍ରେ ନିଯୁକ୍ତି ସୁଯୋଗ ଦେଇଛନ୍ତି । ବାର୍ଷିକ ସର୍ବାଧିକ ୫୨ଲକ୍ଷ ଟଙ୍କା ପ୍ୟାକେଜ୍ରେ କିଟ୍ର ୫ଜଣ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇଛନ୍ତି । ଚଳିତ ବର୍ଷ ହାରାହାରି ବାର୍ଷିକ ପ୍ୟାକେଜ୍ ୬.୦୫ଲକ୍ଷ ଟଙ୍କା ରହିଥିବାବେଳେ ଏହା ଗତବର୍ଷ ତୁଳନାରେ ୩୦ପ୍ରତିଶତ ଅଧିକ ବୋଲି କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ସୂଚନା ଦେଇଛନ୍ତି ।
କିଟ୍ ବିଶ୍ୱବିଦ୍ୟାଳୟ ହେଉଛି ଭାରତର ଏକମାତ୍ର ବିଶ୍ୱବିଦ୍ୟାଳୟ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ବହୁରାଷ୍ଟ୍ରୀୟ କମ୍ପାନୀ ସହ ସମନୟ୍ୱ ରକ୍ଷା କରିଆସିଛି । ଫଳରେ ବହୁରାଷ୍ଟ୍ରୀୟ କମ୍ପାନୀ ହାଇରେଡିଅସ୍ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଉଚ୍ଚମାନର ତାଲିମ୍ କେନ୍ଦ୍ର ପ୍ରତିଷ୍ଠା କରି ପ୍ରତିବର୍ଷ ୨ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କୁ ମାସିକ ୧୫ହଜାର ଟଙ୍କା ମେଧାବୃତ୍ତିରେ ବର୍ଷିକିଆ ତାଲିମ୍ ପ୍ରଦାନ କରିଆସୁଛି । ଏହି ତାଲିମ ଉଚ୍ଚମାନର ହୋଇଥିବାରୁ କିଟର ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରୁଛନ୍ତି । ଏହାଛଡା଼ ହାଇରେଡିଅସ୍ କମ୍ପାନୀ ମଧ୍ୟ ପ୍ରତିବର୍ଷ କିଟ୍ରୁ ୮ ଲକ୍ଷ ଟଙ୍କା ପ୍ୟାକେଜରେ ୮ଶହରୁ ୧ହଜାର ପିଲାଙ୍କୁ ନିଯୁକ୍ତି ସୁଯୋଗ ଦେଇଥାଏ ବୋଲି ଉପକୁଳପତି ପ୍ରଫେସର ଶରଣଜିତ ସିଂହ ପ୍ରକାଶ କରିଛନ୍ତି । କିଟ୍ ପ୍ରତିଷ୍ଠା ହେବା ଠାରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣୀୟ ପ୍ଲେସମେଣ୍ଟ ରହିଆସିଛି । ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କ ପ୍ଲେସମେଣ୍ଟ ଅତି ସଫଳତାର ସହ ହୋଇଆସୁଛି । ଇତି ମଧ୍ୟରେ ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ତାଲିମ୍ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ୱରେ ବେଶ ପରିଚିତି ଲାଭ କରିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅଧିକରୁ ଅଧିକ ବହୁରାଷ୍ଟ୍ରୀୟ କମ୍ପାନୀ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପାଇଁ କିଟ୍ ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି । କରୋନା ମହାମାରୀ ସତ୍ତ୍ୱେ ୨୦୨୦ରେ କିଟ୍ ବିଶ୍ୱବିଦ୍ୟାଳୟ ବିଟେକ୍, ଏମ୍ବିଏ, ବାୟୋଟେକରେ ଶତ ପ୍ରତିଶତ ପ୍ଲେସମେଣ୍ଟ ହୋଇଥିବା ବେଳେ ଲ’ରେ ୫୦ ପ୍ରତିଶତରୁ ଅଧିକ ପ୍ଲେସମେଣ୍ଟ ହୋଇଥିଲା । ୨୦୨୧ରେ ମଧ୍ୟ କିଟ୍ ବିଶ୍ୱବିଦ୍ୟାଳୟରେ ରେକର୍ଡ ପ୍ଲେସମେଣ୍ଟ ହୋଇଥିଲା । ୨୦୨୨ ପାସ୍ଆଉଟ୍ ବ୍ୟାଚ୍ ପାଇଁ ଗତବର୍ଷ ମେ ମାସରୁ କ୍ୟାମ୍ପସ୍ ପ୍ଲେସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।