ଇନୋଭେସନ ର୍ୟାଙ୍କି(ARIIA)ର ପ୍ରଥମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

SHARE NOW :
ଭୁବନେଶ୍ୱର(ଲାଇଭ୍ ଓଡ଼ିଶା ନ୍ୟୁଜ୍) : ଗବେଷଣା ଓ ସର୍ଜନା କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଛି ଭାରତ ସରକାରଙ୍କ ସ୍ୱୀକୃତି । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଅଟଳ ର୍ୟାଙ୍କି ଅଫ୍ ଇନ୍ଷ୍ଟିଚ୍ୟୁସନ୍ ଅନ୍ ଇନୋଭେସନ୍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ବୁଧବାର ପ୍ରକାଶିତ ଏଆରଆଇଆଇଏ-୨୦୨୧ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଛି । ଆଜି ନୂଆଦିଲ୍ଲୀ ଠାରେ ଭର୍ଚୁଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡ.ସୁଭାସ ସରକାର ଫଳାଫଳ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଅନୀଲ ସହସ୍ରବୁଦ୍ଧେ, ଉପାଧ୍ୟକ୍ଷ ଡ. ଏମ୍. ପି. ପୁନିଆ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାକେଶ ରଞ୍ଜନ ଉପସ୍ଥିତ ଥିଲେ । ଏହି ର୍ୟାଙ୍କିର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଚଣ୍ଡିଗଡ଼ର ଚିତକାରା ବିଶ୍ୱବିଦ୍ୟାଳୟ ଓ ପଞ୍ଜାବର ଲଭଲୀ ପ୍ରଫେସନାଲ୍ ବିଶ୍ୱବିଦ୍ୟାଳୟ ରହିଛନ୍ତି । ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶିକ୍ଷକ ଓ ଅଧ୍ୟାପକମାନଙ୍କ ମଧ୍ୟରେ ସର୍ଜନା ଓ ଔଦ୍ୟୋଗିକ ବିକାଶ ସମ୍ପର୍କିତ ମାନଦଣ୍ଡକୁ ଭିତ୍ତିକରି ଭାରତ ସରକାର ଏହି ର୍ୟାଙ୍କି ପ୍ରଦାନ କରିଥାନ୍ତି ।
ସୂଚନାଯୋଗ୍ୟ, ଏହି ର୍ୟାଙ୍କିରେ ୨୦୨୦ରେ ମଧ୍ୟ କିଟ୍ ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନରେ ରହିଥିଲା । କିଟ୍ ସର୍ବଦା ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଥିବା ବେଳେ ଗବେଷଣା ଓ ଔଦ୍ୟୋଗିକ କେନ୍ଦ୍ର, ଅତ୍ୟାଧୁନିକ ପରୀକ୍ଷାଗାର, ଉତ୍କର୍ଷତା କେନ୍ଦ୍ର, ଶିଳ୍ପ ଓ ଆନ୍ତର୍ଜାତିକ ଅନୁଷ୍ଠାନ ସହ ସହବନ୍ଧନ ଓ ସହଭାଗିତା ଯେଗୁଁ ଏହି ର୍ୟାଙ୍କିରେ କିଟ୍ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପ୍ରଥମ ସ୍ଥାନରେ ରହିଛି । ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ସେମାନଙ୍କ ଅଧ୍ୟବସାୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଲଗାତାର ଦ୍ୱତୀୟବର୍ଷ ପାଇଁ ଶ୍ରେଷ୍ଠତ୍ୱ ବଜାୟ ରଖିବା କିଟ୍ର ସର୍ଜନା ଓ ଗବେଷଣାର ଉତ୍କର୍ଷତା ପ୍ରତିପାଦିତ ହୋଇଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।