କରୋନାରେ ପ୍ରାଣ ହରାଇଥିବା କିଟ୍ କର୍ମଚାରୀଙ୍କ ପରିବାରକୁ କିଟ୍ ର ସହାୟତା

SHARE NOW :
ଭୁବନେଶ୍ୱର(ଲାଇଭ୍ଓଡିଶା ନ୍ୟୁଜ): କିଟ୍ ଓ କିସ୍ ପକ୍ଷରୁ କର୍ମଚାରୀଙ୍କ କଲ୍ୟାଣ ନିମତ୍ତେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ବିଭିନ୍ନ ଯୋଜନା ହାତକୁ ନିଆଯାଇଥାଏ । ସମଗ୍ର ବିଶ୍ୱରେ କରୋନାର କରାଳ ଛାୟା ଘୋଟି ଯାଇଥିବା ବେଳେ ଏଥିରେ ବାଦ୍ ପଡ଼ି ନ ଥିଲା ଭାରତ ଏବଂ ଓଡ଼ିଶା । ବିଶ୍ୱ ମହାମାରୀରେ ଲକ୍ଷାଧିକ ଲୋକଙ୍କ ଅକାଳ ମୃତ୍ୟୁ ହୋଇଛି । କିଟ୍ ଶିକ୍ଷାନୁଷ୍ଠାନ ସମୂହର କିଛି କର୍ମଚାରୀ ମଧ୍ୟ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ନିଜ ଜୀବନ ହାରିଛନ୍ତି । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ କିଟ୍ ପକ୍ଷରୁ ୨୦୨୦ରେ ଏହାର କରୋନା ରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାର ପାଇଁ ଏକ ସ୍ୱତନ୍ତ୍ର ଘୋଷଣା କରାଯାଇଥିଲା । କରୋନାରେ ମୃତ୍ୟୁବରଣ କରିଥିବା କିଟ୍ ଶିକ୍ଷାନୁଷ୍ଠାନ ସମୂହର କର୍ମଚାରୀଙ୍କ ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ନଗଦ ୫ ଲକ୍ଷ ଟଙ୍କା,ପରିବାରର ଜଣେ ସଦସ୍ୟଙ୍କୁ ନିଜ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କିଟ୍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ଏବଂ ସେମାନଙ୍କ ପିଲାଙ୍କୁ ଯୋଗ୍ୟତା ଅନୁସାରେ କିଟ୍ ବିଶ୍ୱବିଦ୍ୟାଳୟରେ ବିନାଦେୟରେ ଶିକ୍ଷାଦାନ ପାଇଁ ଗତ ବର୍ଷ ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଘୋଷଣା ମୁତାବକ ସୋମବାର କିଟ୍ ପରିସରରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ସଂପୃକ୍ତ ପରିବାରର ସଦସ୍ୟମାନଙ୍କୁ୫ ଲକ୍ଷ ଟଙ୍କାର ଚେକ୍ ଓ କିଟ୍ ଶିକ୍ଷାନୁଷ୍ଠାନ ସମୂହରେ ନିଯୁକ୍ତି ପାଇଁ ଶ୍ରୀ ସାମନ୍ତ ନିଯୁକ୍ତ ପତ୍ର ପ୍ରଦାନ କରିଥିଲେ । କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କିଟ୍ ଶିକ୍ଷାନୁଷ୍ଠାନ ସମୂହର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।