୧୩ରେ ସୃଷ୍ଟି ହେବ ଲଘୁଚାପ: ୧୫ରେ ଛୁଇଁବ ଉପକୂଳ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ସ୍ଥିର ରହିଛି । ଆସନ୍ତା ୧୩ ତାରିଖ ସୁଦ୍ଧା ଏହା ଏକ ଲଘୁଚାପରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବ । ଏହା ପଶ୍ଚିମ ଉତ୍ତରମୁହାଁ ହୋଇ ୧୫ ତାରିଖ ଆଡକୁ ଏକ ୱେଲମାର୍କ ଲୋପ୍ରେସରରେ ପରିଣତ ହୋଇପାରେ ।
ଆକଳନ ଅନୁଯାୟୀ, ରାଜ୍ୟରେ ୧୫ ତାରିଖରେ ଦକ୍ଷିଣ ଉପକୂଳ ଓ ୧୬ରେ ସମସ୍ତ ଉପକୂଳରେ ପାଗ ପରିବର୍ତ୍ତନ ହେବ। ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବ। ସମୁଦ୍ର ସଂଲଗ୍ନ ଅଞ୍ଚଳରେ ୧୭ରୁ ୧୯ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହ ବାଲେଶ୍ବରରେ ଅତି ପ୍ରବଳ ବର୍ଷିବ । ରାଜ୍ୟର ବାକି ଅଞ୍ଚଳରେ ମଧ୍ୟମଧରଣର ବର୍ଷା ହୋଇପାରେ। ଉତ୍ତର ଭାରତ ମହାସାଗର ଓ ସଂଲଗ୍ନ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ତଥା ସେମାନଙ୍କ ଉପରିସ୍ଥ ବାୟୁମଣ୍ଡଳରେ ପାଗରେ ଶୀଘ୍ର ପରିବର୍ତ୍ତନ ସହ ଦେଶରେ ମୌସୁମୀର ପ୍ରତ୍ୟାବର୍ତ୍ତନ ଜାରି ରହିଥିବାରୁ ଆଗକୁ ଏହି ଆକଳନରେ ପରିବର୍ତ୍ତନ ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ମୁତାବକ, ଉତ୍ତର ଆଣ୍ଡାମାନ ଓ ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତାରେ ରହିଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ଏହାପରେ ଏହା ଧୀରେଧୀରେ ଅଧିକ ଘନୀଭୂତ ହେବ ଓ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଗତି କରିବ ।