ଓକାକ୍ ସିଇଓଙ୍କ ହ୍ୱାଟସ୍ଆପ୍ ହ୍ୟାକ୍,ବେଙ୍ଗାଲୁର ରୁ ଧରାପଡିଲା ଠକ

SHARE NOW :
ବେଙ୍ଗାଲୁର(ଲାଇଭ ଓଡିଶା ବ୍ୟୁରୋ):ଧରାପଡିଲା ଓକାକ୍ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟସ୍ଆପ ହ୍ୟାକ କରିଥିବା ସାଇବର ଠକ । ହ୍ୱାଟସ୍ ଆପ୍ ହ୍ୟାକ କରି ୭ ଲକ୍ଷ ଠକେଇ ମାମଲା ଧୀରେ ଧୀରେ ପର୍ଦ୍ଦାଫାସ ହେବାକୁ ଯାଉଛି । ପୂର୍ବରୁ ଦିଲ୍ଲୀ ପୋଲିସ ଜଣଙ୍କୁ କରିଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ଥିବା ନାଇଜେରିଆନ୍ ଗ୍ୟାଙ୍ଗର୍ ଅନ୍ୟ ଜଣେ ସଦସ୍ୟକୁ ବେଙ୍ଗାଲୁରୁରୁ ସୋମବାର ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ ୭ଟି ଏଟିଏମ୍ କାର୍ଡ, କିଛି ସିମ୍କାର୍ଡ, ୪ଟି ମୋବାଇଲ ଜବତ ହୋଇଛି । ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଜଣେ ପ୍ରଶାସନିକ ଅଧିକାରୀଙ୍କ ନାଁରେ ଠକେଇ କରିଥିବା ଜଣାପଡ଼ିଛି । ଅଧିକ ତଦନ୍ତ ପାଇଁ ଦିଲ୍ଲୀ ସାଇବର୍ ସେଲ ତାକୁ ୮ ଦିନିଆ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି । ପୂର୍ବରୁ ଦିଲ୍ଲୀ ପୋଲିସ ଜଣେ ସାଇବର୍ ଲୁଟେରାଙ୍କ ସହ ୨ଜଣ ମହିଳା ଲୁଟେରାଙ୍କୁ ଗିରଫ କରାଯାଇଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି । ଏହି ଗ୍ୟାଙ୍ଗ୍ର ଆହୁରି କିଛି ସଦସ୍ୟ ଭାରତର କୋଣ ଅନୁକୋଣରେ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ ତଦନ୍ତ ଜାରି ରଖିଛି । । ଏସମ୍ପର୍କରେ ରାଜ୍ୟ କ୍ରାଇମବ୍ରାଞ୍ଚ ମଙ୍ଗଳବାର ସବିଶେଷ ସୂଚନା ଦେବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ପଶ୍ଚିମ ଦିଲ୍ଲୀରୁ ଚିମେଲମ୍ ଉମାନୁଏଲ୍ ଗିରଫ ହେବା ପରେ ନାଇଜେରିଆନ୍ ଗ୍ୟାଙ୍ଗ୍ର ଖିଅ ମିଳିଥିଲା ।
ଏହାପରେ ଓଡ଼ିଶା ପୁଲିସ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରି ଓକାକ୍ ସିଇଓଙ୍କ ନାଁରେ ଠକେଇ ମାମଲା ସମ୍ପର୍କରେ ଜଣାଇଥିଲା । ଏହିସବୁ ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ନାଇଜେରିଆନ୍ ଗ୍ୟାଙ୍ଗ ସଦସ୍ୟଙ୍କୁ ଧରିବାକୁ ଚେଷ୍ଟା କରିଥିଲା । ଚିମେଲମ୍ ଉମାନୁଏଲ୍କୁ ପଚାରିବାରୁ ତାଙ୍କର ସଦସ୍ୟ ବେଙ୍ଗାଲୁରୁରେ ଥିବା ସେ କହିଥିଲା । ଏନେଇ ଏକ ପୁଲିସ ଟିମ୍ ବେଙ୍ଗାଲୁରୁ ଯାଇ ଛାନ୍ଭିନ କରିଥିଲା । ରବିବାର ବେଙ୍ଗାଲୁରୁର ବନସ୍ୱାଡି ଏଟିଏମ୍ରୁ ଅଭିଯୁକ୍ତ ଓକୁଉଦିରି ପାଶ୍ଚାଲ୍ ଟଙ୍କା ବାହାର କରୁଥିଲା । ଏହି ସମୟରେ ତା’ ମୋବାଇଲ ଟ୍ରାକ୍ କରି ଦିଲ୍ଲୀ ପୁଲିସ ଗିରଫ କରିଥିଲା । ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଓକାକ୍ ସିଇଓ ମନୋଜ ପଟ୍ଟନାୟକଙ୍କ ପାଖକୁ ଏକ ଅଜଣା ନମ୍ବରରୁ ହ୍ୱାଟ୍ସଆପ୍ ଭିଡିଓ କଲ୍ ଆସିଥିଲା ।
ଏହି କଲ୍କୁ ସେ ଉଠାଇବା ପରେ କଲ୍ କରିଥିବା ବ୍ୟକ୍ତି କିଛି କହିନଥିଲେ । ତେଣୁ ୩୦ସେକେଣ୍ଡ୍ ପରେ ମନୋଜ କଲ୍ କାଟିଦେଇଥିଲେ। ଏଥିରୁ ସାଇବର ଠକ ମନୋଜଙ୍କ ଫଟୋ ସଂଗ୍ରହ କରିନେଇ ଏକ ଜାଲି ହ୍ୱାଟ୍ସଆପ୍ ଆକାଉନ୍ଟ ଖୋଲିଥିଲା । ଏହି ସମୟରେ ସେ ମନୋଜଙ୍କ ମୋବାଇଲରୁ କନ୍ଟାକ୍ଟ ଡିଟେଲ୍ସ ଚୋରି କରିନେଇଥିବା ସନ୍ଦେହ କରାଯାଉଛି । କିଛି ସମୟ ପରେ ମନୋଜଙ୍କ ନାଁରେ ତିଆରି ହୋଇଥିବା ଜାଲି ଆକାଉନ୍ଟରୁ ସାଇବର ଠକ ଠକିବାକୁ ଉଦ୍ୟମ କରିଥିଲା । ସେ ମନୋଜଙ୍କ ସହକର୍ମୀ ଓ ସମ୍ପର୍କୀୟଙ୍କୁ ଦେହ ଖରାପ ଅଛି କହି ଟଙ୍କା ପଠାଇବାକୁ କହିଥିଲା । ଏନେଇ ଏକ ୟୁପିଆଇ ନମ୍ବର ଦେଇଥିଲା । ପ୍ରାୟ ୫ ଜଣଙ୍କୁ ଟଙ୍କା ମାଗିଥିବାବେଳେ ମନୋଜଙ୍କ ଦେହ ଖରାପ କଥା ଶୁଣି ଦୁଇଜଣ ୭ ଲକ୍ଷ ଟଙ୍କା ଦେଇଥିଲେ । ପରେ ଏସମ୍ପର୍କରେ ଜାଣି ମନୋଜ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଜଣେ ଉଚ୍ଚପଦବୀ ଅଫିସରଙ୍କ ସହ ଏଭଳି ଘଟିଥିବା ଦେଖି କ୍ରାଇମବ୍ରାଞ୍ଚ ନିଜ ଆଡୁ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା ।