ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା

SHARE NOW :
କେନ୍ଦୁଝର(ଦିଗାମ୍ବର ବେହେରା /ନୀଳାଚଳ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ୫ ନଂ ୱାର୍ଡ ଆଜାଦବସ୍ତି ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଆଜି ଅପରାହ୍ନ ୧୨ ଘଟିକା ସମୟରେ ସିରିକା ମୁଣ୍ଡା ନାମକ ଜଣେ ଯୁବକଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ଯୋଡା ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ ଆଜି ସିରିକା ମୁଣ୍ଡା ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁର୍ତ୍ତ ମାନେ ଘର ଭିତରେ ପଶି ସିରିକାଙ୍କୁ ପଥରରେ ଛେଚି ହତ୍ୟା କରି ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପାଖ ପଡୋଶୀ ଓ ସ୍ଥାନୀୟ ଲୋକେ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ପୋଲିସକୁ ଜିମା ଦେଇଥିବା ବେଳେ, ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା ।
ଖବର ପାଇ ଘଟଣାସ୍ଥଳରେ ଯୋଡା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି । ହତ୍ୟାରେ ବ୍ୟବହୃତ ପଥରକୁ ଜବତ୍ କରି ଛାନଭିନ୍ ଚଳାଇଛି ପୋଲିସ୍ । ତେବେ ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣା ପଡିନାହିଁ । ପୂର୍ବ ଶତ୍ରୁତା ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଥିବା ଜଣାପଡିଛି ।