ସଙ୍ଗୀତ ଜଗତର ବେତାଜ ବାଦସାହା ଅକ୍ଷୟ ମହାନ୍ତିଙ୍କୁ ମନେପକଉଛି ଓଡିଶା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ); ସଂଗୀତ ଦୁନିଆରେ ଶ୍ରେଷ୍ଠ ସ୍ୱର, ସଭିଏଁ ଡାକନ୍ତି ତାଙ୍କୁ ଶବ୍ଦର ସୌଦାଗର । ତାଙ୍କ ସ୍ୱରରେ ଥିଲା ଅଦ୍ଭୁତ ମାଦକତା । ତାଙ୍କ ଲେଖାରେ ଥିଲା ସତ୍ୟର ଶୁଦ୍ଧ ଉଚ୍ଚାରଣ । ସ୍ୱଚ୍ଛ ପବନ ପରି ଥିଲା ତାଙ୍କ ମନ ଓ ମୁଖାପିନ୍ଧା ମଣିଷ ପ୍ରତି ଥିଲା କଟାକ୍ଷ । ମନେପଡୁଛନ୍ତି ସେ ଆଜି , ଝୁରୁଛନ୍ତି ତାଙ୍କୁ ସଂଗୀତ ପ୍ରେମୀ । ସେ ଆଉ କେହି ନୁହଁନ୍ତି ସେ ଅକ୍ଷୟ ମହାନ୍ତି ବା ଖୋକା ଭାଇ । ଆଜିିବି କାନରେ ବାଜିଗଲେ ତାଙ୍କ ସ୍ୱର ମନ ପଂହଚିଯାଏ ସ୍ୱର୍ଗରେ ।
ସ୍ୱର ସମ୍ରାଟ ଅକ୍ଷୟ ମହାନ୍ତି , ଖେଳାଳୀ କିମ୍ବା ଜାହାଜର କପ୍ତାନ ହେବାର ସ୍ୱପ୍ନ ଦେଖୁ ଦେଖୁ ସଂଯୋଗକୁ ପାଲଟିଗଲେ ଗାୟକ । ଆକାଶବାଣୀରୁ ରୁପେଲୀ ପରଦା ଅକ୍ଷୟ ସବୁଠି ପାଲଟିଗଲେ ଅଦ୍ୱିତୀୟ । ସଂଗୀତ ଓ ସାହିତ୍ୟ ତାଙ୍କ ବ୍ୟକ୍ତତ୍ୱର ଗୋଟିଏ ଦିଗ । କଟକ ସହରରେ ଜନ୍ମ, କଟକରେ ଜୀବନ ଯୌବନ ଆଉ କଟକରେ ମରଣ । କଟକକୁ ଖୁବ ଭଲ ପାଉଥିଲେ ଖୋକାଭାଇ । କଟକୀ ପାନରୁ ଆରମ୍ଭ କରି ଚୁନା ମାଛ ପର୍ଯ୍ୟନ୍ତ ଏସବୁ ଥିଲା ତାଙ୍କର ଭାରି ପସନ୍ଦ । ଶୁନଶାନ କାଠଯୋଡି, ମହାନଦୀ କୂଳ, ତଳଖାଇରେ ବିତୁଥିଲା ଅକ୍ଷୟଙ୍କ ଜୀବନ । ଆଉ ଏହି ସବୁ ସ୍ଥାନ ପାଲଟୁଥିଲା ଅକ୍ଷୟଙ୍କ ଗୀତର ଏନ୍ତୁଡିଶାଳ ।
କଟକରେ ଆକାଶବାଣୀ କେନ୍ଦ୍ର ସ୍ଥାପନ ହେବା ସହ ଓଡିଆ ସଂଗୀତ ପାଇଁ ଏକ ନୂତନ ଯୁଗର ଅୟାରମ୍ଭ ହୋଇଥିଲା । ୧୯୫୬ମସିହାରେ ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବେ ଆକାଶବାଣୀ ଓ କଟକ କେନ୍ଦ୍ରରେ ନିଜର ସଂଗୀତ ଜୀବନ ଆରମ୍ଭ କରିଥିଲେ । ସେହିସମୟରେ ତାଙ୍କ କଣ୍ଠରୁ ଛରିପଡିଥିଲା ଅନେକ କାଳଜୟୀ ଗୀତ । ଗୀତ ଓ ସଂଗୀତର ନିଶାରେ ଛୁମୁଥିବା ଅକ୍ଷୟ ସରକାରୀ ଚାକିରୀ ବି କରୁଥିଲେ । ହେଲେ ଗୀତର ପ୍ରେମରେ ପଡି ଛାଡିଥିଲେ ସରକାରୀ ଚାକିରି । ୧୯୫୯ ମସିହାରେ ମାଆ ସିନେମାରୁ ଆରମ୍ଭ କଲେ ପ୍ରଚ୍ଛଦ ଗାୟକର ଜୀବନ । ଜୀବନ କାଳରେ ୧୨୯ଟି ସିନେମାରେ ଓଡିଆ ସିନେମାକୁ ଦେଇଛନ୍ତି ଅଭୁଲା ଗୀତ ।
ବ୍ୟକ୍ତିଗତ ଜୀବନ ହେଉ ବା ବୃତ୍ତିଗତ ଜୀବନ ଭାରି ଖିଆଲୀ ମଣିଷ ଥିଲେ ଅକ୍ଷୟ । ତେଣୁ ସବୁବେଳେ କିଛିନା କିଛି ନୂଆ କଥା ଦେଖିବାକୁ ମିଳେ ତାଙ୍କ ଗୀତରେ । ତାଙ୍କ ଗୀତରେ ବାରି ହୋଇପଡେ ଓଡିଆ ଜନଜୀବନ , ସଂସ୍କୃତି ଓ ପରମ୍ପରାର ଚିତ୍ର । ତାଙ୍କର ଏହି ଅନନ୍ୟ ପ୍ରତିଭା ପାଇଁ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଶ୍ରୋତାଙ୍କୁ କରିଛନ୍ତି ବିଭୋର । ଆଧୁନିକ ଓ ଭକ୍ତି ସଂଗୀତରେ ଅପ୍ରତିଦ୍ୱନ୍ଦୀ ଅକ୍ଷୟ । ଓଡିଆ ଜାତିର ପରମ ଆରାଧ୍ୟ ଶ୍ରୀ ଜଗନ୍ନାଥଙ୍କ ପାଇଁ ଅକ୍ଷୟଙ୍କ ସଂଗୀତ ଏକ ପ୍ରତିବେଦନ । ତାଙ୍କର ଭକ୍ତିଗୀତ ଶୁଣିବା ମାତ୍ରେ ଭକ୍ତିଭାବରେ ସିକ୍ତ ହୋଇଉଠେ ପ୍ରାଣ । ସତେ ଯେମିତି ଅକ୍ଷୟଙ୍କ ଦରଦୀ କଣ୍ଠରୁ ଝରିପଡୁଛି ଭକ୍ତି ଅମୃତ ।
ଅକ୍ଷୟ ମହାନ୍ତିଙ୍କା ଆଉ ଏକ ବଳିଷ୍ଠ ଦିଗ ହେଉଛି ଲେଖିବା ଓ ସଂଗୀତ ନିର୍ଦ୍ଦେଶନା । ତାଙ୍କ ରଚିତ ଗୀତ ଅନ୍ୟ କଣ୍ଠଶିଳ୍ପୀ ଗାଇ ବେଶ ସୁନାମ ପାଇଛନ୍ତି । ତାଙ୍କ ଗୀତ ଓ ଲେଖା କେବଳ ଓଡିଆ ସିନେମା, ସଂଗୀତ ପାଇଁ ନୁହେଁ ସଂଗୀତର ସବୁ କ୍ଷେତ୍ରକୁ ସମୃଦ୍ଧ କରିଛି ଏହା ସ୍ୱୀକାର କରିବାରେ କାହାରି ଦ୍ୱିଧା ନାହିଁ ଗୀତ କହିଲେ ଅକ୍ଷୟ, ଅକ୍ଷୟ କହିଲେ ବି ଗୀତ । ତେଣୁ ସବୁ ଗୀତରେ ସେ ସହଜ , ସୁବୋଧ୍ୟ ।