- Home
- »
- Breaking News
- »
- ବସ୍ତି ବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ
ବସ୍ତି ବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ସଦର ବ୍ଳକ ଖରଝୁରା ପଂଚାୟତର ନୂଆଁବସ୍ତିର ଶତାଧିକ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସୁରକ୍ଷା ମଂଚର ସଭାନେତ୍ରୀ ଜ୍ୟୋତିର୍ମୟୀ ରଥଙ୍କ ନେତୃତ୍ବରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକେ ସ୍ଥାନୀୟ ପଟାଭାଡି ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ପହଂଚିଥିଲେ । ଗତ ପ୍ରାୟ ୩୫ ବର୍ଷ ହେଲା ଖରଝୁରା ପଂଚାୟତର ନୂଆଁବସ୍ତିରେ ସରକାରୀ ଜମିରେ ଶତାଧିକ ଗରୀବ ପରିବାର ରହି ଆସୁଛନ୍ତି । ଗରୀବ ,ମୂଲିଆ ,ଶ୍ରମିଜୀବି ପରିବାର ସବୁ ରହି ଆସୁଥିବା ସରକାରୀ ଯାଗାରେ ଘରଡିହ ପଟ୍ଟା ପ୍ରଦାନ କରିବା ପାଇଁ ରାଜସ୍ବ ବିଭାଗ ପାଖରେ ଦୀର୍ଘ ଦିନ ହେଲା ଦାବି ଆପତ୍ତି କରି ଆସୁଛନ୍ତି । ହେଲେ ଗରୀବ ପରିବାରମାନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦିଆଯାଉ ନ ଥିବାରୁ ନୂଆଁବସ୍ତିର ଛାତ୍ରଛାତ୍ରୀମାନେ ବାସିନ୍ଦା ପ୍ରମାଣ ପତ୍ର ପାଉ ନାହାନ୍ତି । ସେହିପରି ଏହି ଗରୀବ ପରିବାରମାନଙ୍କ ନିଜସ୍ବ ଘରଡିହ ପଟ୍ଟା ନ ଥିବାରୁ କୌଣସି ଆବାସ ଯୋଜନାରେ ବି ସାମିଲ ହୋଇ ପାରୁ ନାହାନ୍ତି ।ତେବେ ତୁରନ୍ତ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ନୂଆଁବସ୍ତିର ଏହି ପରିବାରମାନଙ୍କୁ ଘରଡିହ ପଟ୍ଟା ଯୋଗାଇ ଦେବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅବା ବିଜୁ ପକ୍କାଘର ଯୋଜନାରେ ସାମିଲ କରିବା ପାଇଁ ଦାବୀ କରିଛନ୍ତି ।ଦାବୀ ପୂରଣ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।