FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା, ସେପଟେ ବାଚସ୍ପତି ଦେଲେ ଇସ୍ତଫା

ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା, ସେପଟେ ବାଚସ୍ପତି ଦେଲେ ଇସ୍ତଫା

ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା, ସେପଟେ ବାଚସ୍ପତି ଦେଲେ ଇସ୍ତଫା
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ନବୀନଙ୍କ ମନ୍ତ୍ରୀମଣ୍ଡଳରେ ହୋଇପାରେ ବଡ ପରିବର୍ତ୍ତନ । ନବୀନଙ୍କ ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀଙ୍କୁ ଏକକାଳୀନ ଇସ୍ତଫା ଦେବାକୁ ନିର୍ଦ୍ଦେଶ ମିଳିଥିବା ନେଇ ସୂଚନା ମିଳିଛି । ଆଉ ଏହାସହ ପୁଣିଥରେ ନୂଆ ମନ୍ତ୍ରୀମଣ୍ଡଳ ପାଇଁ ବାଟ ଫିଟିଛି । ନବୀନଙ୍କ ପଞ୍ଚମ ପାଳିରେ ଏଯାବତ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହୋଇନାହିଁ । ରାଜା ସ୍ୱାଇଁ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ କିଛି ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳିନି । ଏହାରି ଭିତରେ ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ଉପବାଚସ୍ପତିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।
୨୦୧୯ ନିର୍ବାଚନରେ ବିଜେଡି ସରକାରକୁ ଆସିବା ସହ ନୂଆ ମନ୍ତ୍ରୀମଣ୍ଡଳ ଗଠନ ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ନବୀନ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଶେଷ ହୋଇଥିବାବେଳେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅଦଳବଦଳ ହେବ ନବୀନଙ୍କ ମନ୍ତ୍ରିମଣ୍ଡଳ । ତେବେ ଦୀର୍ଘ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିନଥିଲେ ନବୀନ । ପୂର୍ବରୁ ବାରମ୍ବାର ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ନେଇ ଚର୍ଚ୍ଚା ହୋଇଥିଲା । ତେବେ କୌଣସି କାରଣରୁ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ବିଳମ୍ବିତ ହୋଇଥିଲା । କିନ୍ତୁ ଏବେ ମିଳିଥିବା ସୂଚନା ଅନୁଯାୟୀ ଦଳର କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଯାହା ଦର୍ଶାଉଛି ଖୁବଶୀଘ୍ର ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିପାରନ୍ତି ନବୀନ । ଏଥର ନୂଆ ଟିମ୍ ଗଠନ କରିବାକୁ ନବୀନ ବାବୁ ଯୋଜନା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts