ଅଧାଗଢା ତେଲନଦୀରୁ ମହାନଦୀକୁ ରାସ୍ତା

SHARE NOW :
ସୁବର୍ଣ୍ଣପୁର(ଲାଇଭ୍ ଓଡିଶା ନ୍ୟୁଜ୍) : ତେଲନଦୀରୁ ମହାନଦୀ ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ସରିବାର ନାଁ ଧରୁନାହିଁ ।ଦୁଇ ଲେନ ବିଶିଷ୍ଟ ରାସ୍ତାର ପ୍ରଶସ୍ତି କରଣ କରାଯାଇ ଫୋର ଲେନ ବିଶିଷ୍ଟ ରାସ୍ତା ତିଆରି ଚାଲିଛି ।ପ୍ରାୟ ସାଢେ ତିନି କିଲୋମିଟର ଏହି ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଶେଷ କରିବାକୁ ଛଅ ମାସ ସମୟ ନିର୍ଦ୍ଧାରିତ ହୋଇଥିଲା ।ହେଲେ ପାଖାପାଖି ଦୁଇ ବର୍ଷ ହେଲା ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ଶେଷ ହୋଇନାହିଁ ।ବର୍ତ୍ତମାନ ସୁଦ୍ଧା ସରକାରୀ ଜମି ଜବରଦଖଲ ପ୍ରକ୍ରିୟା ଓ ରୟତ କିସମ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ ।ଫଳରେ ମହାନଦୀ ପୋଲଠାରୁ ବ୍ଳକ ଛକ ପର୍ଯ୍ୟନ୍ତ ପ୍ରାୟ ଗୋଟିଏ କିଲୋମିଟର କାର୍ଯ୍ୟ ଶେଷ ହୋଇ ସାରିଥିବା ବେଳେ ବ୍ଳକ ଛକରୁ ତେଲନଦୀ ପର୍ୟ୍ୟନ୍ତ ପ୍ରାୟ ଅଢେଇ କିଲୋମିଟର ରାସ୍ତା କାର୍ୟ୍ୟ ଶେଷ ଏବେ ସୁଧା ଶେଷ ହୋଇନାହିଁ ।ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ନ ହେଉଣୁ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ୧୧୬୫ ଗୋଟି ଗଛ କାଟି ଦିଆଗଲା ।ତେବେ ଏଯାଏଁ ରାସ୍ତାର ଅଧିକାଂଶ ବିଦ୍ୟୁତ ପୋଲ ସ୍ଥାନାନ୍ତର କରାଯାଇ ପାରିନାହିଁ ।ପଟାଭାଡିରୁ ତେଲନଦୀ ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇ ପାରି ନ ଥିବା ବେଳେ ବ୍ଳକଛକରୁ ପଟାଭାଡି ରାସ୍ତା ପର୍ଯ୍ୟନ୍ତ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି ।ପ୍ରାୟ ୬ କୋଟି ୬୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ରାସ୍ତା ଉପରେ ଗୃହ ଓ ପୂର୍ତ୍ତ ବିଭାଗ ନିରବଦ୍ରଷ୍ଟା ସାଜିଛନ୍ତି ।ସେହିପରି ରାଜସ୍ବ ବିଭାଗ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିପାରୁନଥିବାରୁ ଏହି ବିକାଶ କାର୍ଯ୍ୟ ଏବେ ସ୍ୱପ୍ନ ପାଲଟିଛି । ।