- Home
- »
- Breaking News
- »
- ବାଂଶପାଣି ରେଳଷ୍ଟେସନରେ ହଙ୍ଗାମା, ବସ୍ତିବାସିନ୍ଦାଙ୍କ ମାଡରେ ଆରପିଏଫ ଯବାନ ଗୁରୁତର ଆହତ
ବାଂଶପାଣି ରେଳଷ୍ଟେସନରେ ହଙ୍ଗାମା, ବସ୍ତିବାସିନ୍ଦାଙ୍କ ମାଡରେ ଆରପିଏଫ ଯବାନ ଗୁରୁତର ଆହତ

SHARE NOW :
କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): ବସ୍ତି ବାସିନ୍ଦାଙ୍କ ଲଙ୍କାକାଣ୍ଡ । ରେଳ ଷ୍ଟେସନରେ କଂପ୍ୟୁଟର ସମେତ ସମସ୍ତ ଯନ୍ତ୍ରପାତି ଓ ସିଗନାଲର ଭଙ୍ଗାରୁଜା । ଏହାସହ ଆରପିଏଫ ଯବାନ ମାନଙ୍କୁ ପ୍ରବଳ ମାଡ । ଏଭଳି ଖବର ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବାଂଶପାଣି ଅଂଚଳରୁ । ରେଳ ଷ୍ଟେସନରେ ପାଖ ବସ୍ତିର ଜଣେ ଯୁବକ ବୁଲୁଥିବା ସମୟରେ ରେଳବାଇ ଆରପିଏଫ ଯବାନ ମାନେ ଚୋର ସନ୍ଦେହରେ ପ୍ରବଳ ମାଡ ଦେଇଥିବାବେଳେ ଯୁବକ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଯାହାର ଖବର ପ୍ରଚାର ହେବା ପରେ ବାଂଶପାଣି ଅଂଚଳର ୨ଟି ବସ୍ତିରୁ ହଜାର ହଜାର ଲୋକ ଆସି ରେଳ ଷ୍ଟେସନ ସଂପତି ଭାଙ୍ଗିବା ସମେତ ଉପସ୍ଥିତ ଯବାନ ମାନଙ୍କୁ ମାଡମାରି ଗୁରୁତର ଆହତ କରିଦେଇଛନ୍ତି । ଏଥିରେ ୫ଜଣ ଆରପିଏଫ ଯବାନ ଗୁରୁତର ଆହତ ହୋଇଥିବା ବେଳେ ୨ଜଣଙ୍କର ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ତାଙ୍କୁ ଟାଟାଷ୍ଟିଲ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଯୋଡାସ୍ଥିତ ଟାଟା ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଜଣାପଡିଛି । ଘଟଣା ସ୍ଥଳରେ ଯୋଡ଼ା ପଲିସ ପହଞ୍ଚି ଲଛମନ ପାତ୍ର ନାମକ ଯୁବକରର ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିବା ଜଣାପଡିଛି । ଘଟଣା ସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ଯୋଡ଼ା ଥାନା ପକ୍ଷରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି । ମୃତ ଲଛମନ ଜଣେ ରେଳ ବୋଝେଇ ଶ୍ରମିକ ଭାବେ କାର୍ୟ୍ୟ କରି ଆସୁଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ଏକ ବର୍ଷର ଝିଅ ଏବେ ନିରାଶ ହୋଇପଡିଛନ୍ତି । ଲଛମନଙ୍କ ବଡଭାଇ କ୍ଷତିପୂରଣ ବାବଦକୁ ୨୦ ଲକ୍ଷ ଟଙ୍କା ସହିତ ଜଣକୁ ଚାକିରୀ ଦେବାକୁ ରେଳବାଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାବି ରଖିଥିବା ଜଣାପଡିଛି । ଖବର ପାଇ କଲିକତା ଓ ଚକ୍ରଧରପୁର ରୁ ସିଆରପିଏଫ ମୁଖ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିବା ଦେଖିବାକୁ ମିଳିଛି ।