ଆସନ୍ତାକାଲି ସ୍ମାର୍ଟସେବାରେ ଯୋଡିହେବ ବାଲେଶ୍ୱର ଜିଲ୍ଲା

SHARE NOW :
ବାଲେଶ୍ୱର (ଲାଇଭ ଓଡିଶା ନ୍ୟୁଜ୍): ପ୍ରତ୍ୟେକ ଜିଲ୍ଲାରେ ଲେଖା ହେଉଛି ସ୍ୱାସ୍ଥ୍ୟସେବାର ସ୍ମାର୍ଟ କାହାଣୀ । ଆଜି ଦୁଇ ଜିଲ୍ଲା ସ୍ମାର୍ଟ କାର୍ଡରେ ସାମିଲ ହୋଇଥିବା ବେଳେ ଆସନ୍ତାକାଲି ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ି ହେବ ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲା ସ୍ମାର୍ଟବୁକର ନୂତନ ଫର୍ଦ୍ଦରେ ଯୋଡିଦେବ ବାଲେଶ୍ୱର ଜିଲ୍ଲା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ବଣ୍ଟନ କରିବେ । ଏଥିସହ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୧୧ଟାରେ ବାଲେଶ୍ୱରର ପୋଲିସ ଲାଇନ୍ ପଡ଼ିଆରେ ପହଞ୍ଚି ହିତାଧିକାରୀଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ଦେବେ । ପରେ ପରେ ଜିଲ୍ଲାର ୧୨ଟି ବ୍ଲକ୍ରେ ଦାୟିତ୍ୱରେ ଥିବା ମନ୍ତ୍ରୀ, ବିଧାୟକମାନେ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କୁ ବିଏସକେୱାଇ କାର୍ଡ ବଣ୍ଟନ କରିବେ । ଏଥିରେ ବାଲେଶ୍ୱର ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ପରିବାରର ୧୯ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ପୁରୁଷ ହିତାଧିକାରୀଙ୍କ ପାଇଁ ୫ ଲକ୍ଷ ଓ ମହିଳା ହିତାଧିକାରୀ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସ ପାଇ ପାରିବେ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ୩ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସପି, ୨୨ ଜଣ ଇନ୍ସପେକ୍ଟର, ୯୪ଜଣ ଏସ୍ଆଇ, ଏଏସ୍ଆଇଙ୍କ ସମେତ ୨୫ ପ୍ଲାଟୁନ୍ ଫୋର୍ସ ନିୟୋଜିତ କରାଯାଇଛି । ଏଥିସହିତ ଭିଡ଼କୁ ଏଡ଼ାଇବା ପାଇଁ ତାମୁଳିଆ ବ୍ରିଜ୍, ଫୁଲାଡ଼ି ଛକ, ସମଲପୁର ଛକ, ଟେକ୍ନିକାଲ ଫିଲ୍ଡ, ମଠସାହି ଛକ ପ୍ରଭୃତି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପୋଲିସ ଲାଇନ୍ ଛକ, ଆଇଟିଆଇ ଛକ, ସେଣ୍ଟ୍ରାଲ ସ୍କୁଲ ଛକ, ଟେକ୍ନିକାଲ ଛକ, ଷ୍ଟେସନ୍ ଛକରେ ଗାଡ଼ି ଚଳାଚଳକୁ ବାରଣ କରାଯିବା ସହିତ ବ୍ଲକିଂ କରାଯାଇଛି ।