ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

SHARE NOW :
ସୁବର୍ଣ୍ଣପୁର(ଲାଇଭ ଓଡିଶା ନ୍ୟୁଜ): ଜିଲ୍ଲା ତରଭା ବ୍ଳକ ଶିବତଲା ଗ୍ରାମ ପଂଚାୟତ ଅନ୍ତର୍ଗତ ମନହିରା ଗାଁ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ପଦ୍ମପୁର ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରିବା ପ୍ରତିବାଦରେ ଏହି ଆନ୍ଦୋଳନ କରିଛନ୍ତି ।
ରାଜ୍ୟ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଅନୁଯାୟୀ ୨୦ରୁ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ପ୍ରାଥମିକ ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ନିର୍ଦ୍ଦେଶ ରହିଛି ।ହେଲେ ମନହିରା ଗାଁ ପ୍ରାଥମିକ ବିଦ୍ୟାଳୟରେ ୨୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୧୨ ଜଣ ଛାତ୍ରଛାତ୍ରୀ ଥିବା ପଦ୍ମପୁର ବିଦ୍ୟାଳୟରେ କିଭଳି ମିଶ୍ରଣ କରିଛନ୍ତି ସେ ନେଇ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ପ୍ରଥମେ ମନହିରା ଗାଁ ଛାତ୍ରଛାତ୍ରୀଙ୍କ ସାର୍ଟିପିକେଟ ନେଇ ପଦ୍ମପୁର ପ୍ରାଥମିକ ବିଦ୍ୟାଳୟରେ ନାଁ ଲେଖି ଦିଆଗଲା ।ପରେ ମନହିରା ଗାଁରେ କମ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ମନହିରା ଗାଁ ବିଦ୍ୟାଳୟକୁ ପଦ୍ମପୁର ବିଦ୍ୟାଳୟରେ ମିଶ୍ରଣ କରି ଦିଆଯାଇଥିବା ଅଭିଯୋଗ ହୋଇଛି ।
ସେହି ବିଦ୍ୟାଳୟକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ, ବିପଦପୂର୍ଣ୍ଣ ରାସ୍ତା ଅତିକ୍ରମ କରି ଛୋଟ ପୁଅଝିଅ ମାନେ ପଦ୍ମପୁର ଗାଁ ବିଦ୍ୟାଳୟକୁ ଯିବା ସମ୍ଭବ ନୁହେଁ ବୋଲି ଅଭିଭାବକମାନେ କହିଛନ୍ତି । ତେବେ ମନହିରା ଗାଁ ବିଦ୍ୟାଳୟ ପୁଣି ଖୋଲିବା ପାଇଁ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।