FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଅଙ୍ଗନବାଡି ଡ୍ରେସ ବେପାରୀ ସାଜିଛନ୍ତି ସି ଡି ପି ଓ

ଅଙ୍ଗନବାଡି ଡ୍ରେସ ବେପାରୀ ସାଜିଛନ୍ତି ସି ଡି ପି ଓ

ଅଙ୍ଗନବାଡି ଡ୍ରେସ ବେପାରୀ ସାଜିଛନ୍ତି ସି ଡି ପି ଓ
SHARE NOW :

କେନ୍ଦୁଝର(ଲାଇଭ ଓଡିଶା ନ୍ୟୁଜ): ଆପଣ କେବେ ଶୁଣିଛନ୍ତି କି ଜଣେ ଶିଶୁ ବିକାଶ ଯୋଜନା ଅଧିକାରିଣୀ ବେପାରୀ ସାଜିବାର । ଆଶ୍ଚର‌୍ୟ୍ୟ ଲାଗୁଥିଲେ କଥାଟି ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯୋଡ଼ା ବ୍ଲକରେ । ଯୋଡା ବ୍ଲକ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସବୁବେଳେ ବିବାଦ ଘେରରେ ରହିଆସିଛନ୍ତି । କେତେବେଳେ ଅଙ୍ଗନୱାଡି କର୍ମି ନିଯୁକ୍ତିରେ ହେରଫେର ତ ଅନ୍ୟ କେତେବେଳେ ଅଙ୍ଗନୱାଡି ଶିଶୁଙ୍କ ପାଇଁ ଉଦ୍ଧିଷ୍ଟ ପୋଷାକ ବିକ୍ରିରେ , ନିଜର ବ୍ୟବସାୟିକ ମନବୃତ୍ତି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନାରୁ ଜଣାପଡିଛି ରାଜ୍ୟ ସରକରାଙ୍କ ମାଳତୀ ଦେବୀ ପୋଷାକ ପରିଧାନ ଯୋଜନା ମାଧ୍ୟମରେ ପ୍ରତି ଅଙ୍ଗନୱାଡିର ୩ ରୁ ୬ ବର୍ଷ ଶିଶୁ ମାନଙ୍କ ପାଇଁ ୨୫୦ ଟଙ୍କା ଲେଖାଏ ଅନୁଦାନ ଗରମ ପୋଷାକ, ଜୋତା ଏବଂ ମୋଜା କିଣିବା ପାଇଁ ଶିଶୁ ବିକାଶ ଯୋଜନା ମଧ୍ୟମରେ ଯୋଗାଇ ଦେଇଥାନ୍ତି । ଏଥିରେ ଗରମ ପୋଷାକ ୧୫୦ ଟଙ୍କା, ଜୋତା ଓ ମୋଜା ୧୦୦ ଟଙ୍କା ଏହିପରି ୨୫୦ ଟଙ୍କା ପ୍ରତି ଶିଶୁ ପାଇଁ ଉଦ୍ଧିଷ୍ଟ ରହିଛି । ଏହି ଯୋଜନା ମାଧ୍ୟମରେ ଯୋଡା ବ୍ଲକରେ ଥିବା ୧୯ଟି ପଞ୍ଚାୟତର ୮୯୭୦ଜଣ ଶିଶୁଙ୍କୁ ୨୮୧ଟି ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଏହି ପୋଷାକ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ତେବେ ଏହି ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ୬ଜଣ ସୁପରଭାଇଜର ୧୧ଟି ସେକ୍ଟର ମାଧ୍ୟମରେ ପରିଚାଳନା କରୁଥିବା ବେଳେ ନିୟମ ମୁତାବକ ସୁପରଭାଇଜରମାନେ ଏହି ପୋଷାକ ଖୋଲା ବଜାରରୁ କିଣି ଶିଶୁ ମାନଙ୍କୁ ଯୋଗାଇଦେବାର ପ୍ରାବଧାନ ରହିଛି ଏବଂ ଏହି ଖର୍ଚ୍ଚକୁ ଶିଶୁ ବିକାଶ ଅଧିକାରୀଙ୍କ ସୁପାରିଶକ୍ରମେ ପୈଠ କରାଯିବାକୁ ଥିବା ବେଳେ ଖୋଦ ଶିଶୁ ବିକାଶ ଅଧିକାରିଣୀ ଏହାକୁ କିଣି ସୁପରଭାଇଜରମାନଙ୍କୁ ତାଙ୍କୁ ଠାରୁ କିଣିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଫଳରେ ସିଡିପିଓ ଯୋଗାଉଥିବା ନିମ୍ନମାନର ପୋଷାକକୁ ନେଇ ଅଙ୍ଗନୱାଡି କର୍ମିମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଗତ ବୈଠକରେ ଅଙ୍ଗନୱାଡି କର୍ମିମାନେ ଏହି ପୋଷାକ ଗୁଡିକୁ ଗ୍ରହଣ କରିନାହାନ୍ତି । ଫଳରେ ଏହା ସିଡିପିଓଙ୍କ କାର‌୍ୟ୍ୟାଳୟରେ ପଡିରହିଥିଲେ ମଧ୍ୟ ଶିଶୁ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇପାରିନାହିଁ । ଏବେ ଯୋଡାରେ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ ଶିଶୁମାନେ ଏହି ଗରମ ପୋଷାକ ପାଇବାରୁ ବଞ୍ଚିତ ହୋଇଛନ୍ତି । ଲାଭ ଖୋର ମନବୃତ୍ତି ରଖି ଶିଶୁ ବିକାଶ ଯୋଜନା ଅଧିକାରିଣୀ ସୁକାନ୍ତି ପାତ୍ର ଶିଶୁ ମାନଙ୍କ ନିମନ୍ତେ ନିମ୍ନମାନର ପୋଷାକ ଶସ୍ତା ଦରରେ କିଣି ନିଜର ବେପାର ଚଳାଇଆସୁଥିବା ବେଳେ ସରକାରଙ୍କର ଏହି ମହତ ଯୋଜନା ଏବେ ଯୋଡା ବ୍ଲକରେ ବାଟବଣା ହେବାକୁ ଯାଉଥିବା ଅଙ୍ଗନୱାଡି କର୍ମିମାନେ ଅଭିଯୋଗ କରିଛନ୍ତି । ଭଲକରି ଦେଖନ୍ତୁ ଏହି ଅଧିକାରିଣୀ ଜଣଙ୍କୁ କ୍ୟାମେରା ଆଗରେ କିଭଳି ମୁହଁ ଲୁଚାଉଛନ୍ତି । ଫଟ ଉଠେଇବାକୁ ମନା କରିବା ସହିତ ଗରମ ପୋଷାକ ଓ ଜୋତା , ମୌଜା ତାଙ୍କ କାର‌୍ୟ୍ୟାଳୟ ଭିତରକୁ କେମିତି ଆସିଲା ସେ ଜାଣିନାହାନ୍ତି ବୋଲି ସଫେଇ ଦେଉଛନ୍ତି । ଗତ ବର୍ଷ ମଧ୍ୟ ଜୋରଜବରଦସ୍ତ ନିମ୍ନମାନର ପୋଷାକ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଯୋଗାଇଦିଆଯାଇଥିବା କର୍ମିମାନେ ଅଭିଯୋଗ କରିଛନ୍ତି । ଏହି ପୋଷାକ ବ୍ୟବସାୟରେ ପ୍ରତି ପୋଷାକ ପିଛା ୫୦ ଟଙ୍କା ଲାଭ ରଖାଯାଇଥିଲେ ଏଥିରେ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର କରାଯାଇଥିବା ଅନୁମାନ କରାଯାଉଛି । କୋମଳମତି ଶିଶୁ ମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ବଢିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଭଳି ଦୁର୍ନୀତି ଖୋର ଅଧିକାରୀ ମାନଙ୍କୁ ଉଚ୍ଚ ସ୍ତରୀୟ ତଦନ୍ତ ପରିସରକୁ ନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *

Related Posts