FOLLOW US ON SOCIAL

  1. Home
  2. »
  3. ରାଜ୍ୟ
  4. »
  5. ବନରକ୍ଷୀ ସାଜିଲେ ଦେବଦୂତ,ଡରିଲେ ଡକାୟତ ଗ୍ୟାଙ୍ଗ

ବନରକ୍ଷୀ ସାଜିଲେ ଦେବଦୂତ,ଡରିଲେ ଡକାୟତ ଗ୍ୟାଙ୍ଗ

ବନରକ୍ଷୀ ସାଜିଲେ ଦେବଦୂତ,ଡରିଲେ ଡକାୟତ ଗ୍ୟାଙ୍ଗ
SHARE NOW :

ନୀଳଗିରି(ନୀଳାଚଳ ଲାଇଭଓଡିଶା ବ୍ୟୁରୋ): ଯାହାକୁ ରଖେ ଅନନ୍ତ କି କରିପାରେ ବଳବନ୍ତ । ଅର୍ଥାତ ଯାହାକୁ ଇଶ୍ୱର ନିଜେ ରକ୍ଷା କରନ୍ତି ତାକୁ ଅବା କିଏ ଅସୁବିଧାରେ ପକାଇପାରିବ । ଏମିତି କିଛି ଦୃଷ୍ୟ ଆମେ ଚଳଚ୍ଚିତ୍ରରେ ମାଧ୍ୟମରେ ମଧ୍ୟ ଅନେକ ଥର ଦେଖିଥାଉ ଯେତେବେଳେ ସାଧାରଣ ଜନତା ଅସୁବିଧାରେ ଥାନ୍ତି ସେତେବେଳ ସେମାନଙ୍କୁ ରକ୍ଷା କରିବା ପାଇଁ ପହଁଞ୍ଚିଥାଏ ଦେବଦୂତ । ହେଲେ ଏହି ଘଟଣା ବାସ୍ତବ ଜୀବନରେ କେତେ ଦୂର ସମ୍ଭବ ତାହା କେହି କହିବା ଅସମ୍ଭବ । କିନ୍ତୁ ଏଭଳି ଏକ ଘଟଣା ଘଟିଛି ନୀଳଗିରି ଅଞ୍ଚଳରେ । କିଟିମିଟି ଅନ୍ଧାର । ଜଙ୍ଗଲି ରାସ୍ତାରେ ଆଗକୁ ମାଡ଼ି ଚାଲିଥିଲା ଯାତ୍ରୀବାହୀ ବସ୍ । କେହି କେବେ ଭାବି ନଥିଲେ ଅନ୍ଧାର ରାତିରେ ଜଗି ବସିଛି ବିପଦ । ଘାତ ଲଗାଇ ବସର ଆସିବା ବାଟକୁ ଅନାଇ ବସିଥିଲେ ଡକାୟତି ଗ୍ୟାଙ୍ଗ । ବସ୍ ଠିକଣା ସ୍ଥାନରେ ପହଞ୍ଚିବା ପରେ ଡକାୟତ ଗ୍ୟାଙ୍ଗର ପ୍ଲାନ୍ ବି କାମ ଦେବା ଆରମ୍ଭ କରିଥିଲା । ହେଲେ ଠିକ୍ ସମୟରେ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ଜଣେ ବନ କର୍ମଚାରୀ । ଏକା ଥିଲେ ବି ଉପସ୍ଥିତି ବୁଦ୍ଧି ଖଟାଇ ବଞ୍ଚାଇ ଦେଲେ ବସ୍ କମର୍ଚାରୀଙ୍କ ସହ ସମସ୍ତ ଯାତ୍ରୀଙ୍କ ଧନଜୀବନ ।
ଘଟଣା ନୀଳଗିରି ଅଞ୍ଚଳର । ତିନିକୋଷିଆ ଜଙ୍ଗଲ ଦେଇ ନୀଳଗିରି-ଉଦଳା ରାସ୍ତାରେ ଗନ୍ତବ୍ୟ ସ୍ଥଳ ଆଡ଼କୁ ଆଗେଇ ଚାଲିଥାଏ ‘ବିଜୟା’ ବସ୍ । ହେଲେ, ବସକୁ ଟାର୍ଗେଟ କରି ଜଗି ବସିଥିଲେ ଡକାୟତି ଗ୍ୟାଙ୍ଗ । ଶାଳ ଗଛ କାଟି କରିଥିଲେ ରାସ୍ତା ଅବରୋଧ । ଡକାୟତ ଗ୍ୟାଙ୍ଗର କିଛି ଦୁର୍ବୃତ୍ତ ରାସ୍ତା ଅବରୋଧ ସ୍ଥାନରେ ଉପସ୍ଥିତ ଥିଲେ । କିଛି ଦୂରରେ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ଏକ ପଲସର ବାଇକ ଧରି ବସ୍ ଆସିବା ବାଟକୁ ଚାହିଁ ବସିଥିଲେ । ପ୍ଲାନିଂ ମୁତାବକ ବିଜୟା ବସ୍ ଉଦଳା ପଟୁ ଆସି ପହଞ୍ଚିଥିଲା । ହାତ ହଲାଇ ବାଇକରେ ଥିବା ଦୁଇ ଦୁର୍ବୃତ୍ତ ବସକୁ ଅଟକାଇଥିଲେ । ବସ୍ ରହିବା ପରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆଗରେ ଗଛ ପଡି ରାସ୍ତା ବନ୍ଦ ହୋଇଯାଇଛି ବୋଲି କହିଥିଲେ । ଏହାପରେ ୨୦୦ ଟଙ୍କା ଦିଅ ଅନ୍ୟ ବାଟ ଅଛି ଦେଖାଇ ଦେବୁ ସେ ବାଟ ଦେଇ ପଳାଇବେ ବୋଲି କହିଥିଲେ । ଏମିତି ଶୁଣିବା ପରେ ବସ୍ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା ।ଏହି ଡକାୟତ ଗ୍ୟାଙ୍ଗ ନିଜ ପ୍ଲାନକୁ ସକ୍ଷମ କରି କିଛି କରିବା ପୂର୍ବରୁ ଦେବଦୂତ ସାଜି ପହଁଞ୍ଚିଥିଲେ ପାଟ୍ରୋଲିଂରେ ଥିବା ସଜନାଗଡ଼ ବନରଖି । ତେବେ ଦୁର୍ବୃତ୍ତମାନେ ବନରକ୍ଷୀଙ୍କୁ ଦେଖିବା ମାତ୍ରେ ଗୋଡାଇଥିଲେ । ବନରକ୍ଷୀ ପ୍ରତିବାଦ କରିବାରୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘଟଣା ସ୍ଥଳରୁ ଚାଲିଯିବାକୁ ଧମକ ଦେଇଥିଲେ । ତଥାପି ବନରକ୍ଷୀ ବିଚଳିତ ନହୋଇ ଡକାୟତ ଗ୍ୟାଙ୍ଗର ସାମ୍ନା କରିଥିଲେ । ଏହାସହ ଫୋନ କରି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ଆଖପାଖର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଡକାୟତ ଗ୍ୟାଙ୍ଗ ରାତିର ଅନ୍ଧାରରେ ଜଙ୍ଗଲ ଭିତରକୁ ଖସି ଯିବାକୁ ସକ୍ଷମ ହୋଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ ଶାଳଗଛକୁ ରାସ୍ତାରୁ କାଟି ସଫା କରିବା ପରେ ଯାତ୍ରୀଙ୍କୁ ଧରି ‘ବିଜୟା’ ବସ୍ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା ।ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ବନ ବିଭାଗ କର୍ମଚାରୀଙ୍କ ସାହାସୀକତାକୁ ପ୍ରଶଂସା କରିଛନ୍ତି । ଏବଂ ସୁରକ୍ଷିତ ଥିବା ସମସ୍ତ ଯାତ୍ରୀମାନେ ବନରକ୍ଷୀଙ୍କୁ ନିଜର ଦେବଦୂତ ମାନିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts