- Home
- »
- Breaking News
- »
- ଆସନ୍ତା ବର୍ଷରୁ ସ୍କୁଲ ସ୍ତରରେ ଆରମ୍ଭ ହେବ ମୋବାଇଲ ଆଟେଣ୍ଡାନ୍ସ ବ୍ୟବସ୍ଥା
ଆସନ୍ତା ବର୍ଷରୁ ସ୍କୁଲ ସ୍ତରରେ ଆରମ୍ଭ ହେବ ମୋବାଇଲ ଆଟେଣ୍ଡାନ୍ସ ବ୍ୟବସ୍ଥା

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ): ସ୍କୁଲ ବା ଅଭିଭାବକଙ୍କୁ ଆଉ ଠକିପାରିବେନି ଛାତ୍ରଛାତ୍ରୀ । ରାଜ୍ୟରେ ଆସନ୍ତା ବର୍ଷ ଠାରୁ ଲାଗୁ ହୋଇଯିବ ମୋବାଇଲ ଆଟେଣ୍ଡାନ୍ସ ବ୍ୟବସ୍ଥା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦୨୨ ଶିକ୍ଷାବର୍ଷରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ । ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ସ୍କୁଲଗୁଡ଼ିକରେ ମୋବାଇଲ-ଆଟେଣ୍ଡାନ୍ସ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ ହେବାକୁ ଯାଉଛି । ଯେଉଁ ବ୍ୟବସ୍ଥାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସାଙ୍ଗକୁ ଦୈନିକ କେତେ ଛାତ୍ରଛାତ୍ରୀ ଶ୍ରେଣୀ କକ୍ଷରେ ଉପସ୍ଥିତ ରହୁଛନ୍ତି ତା’ର ରିପୋର୍ଟ ମଧ୍ୟ ବିଭାଗ ପାଖରେ ରହିବ । ଏହାବ୍ୟତୀତ ପିଲାମାନେ ସ୍କୁଲରେ ଦୈନିକ କେତୋଟି କ୍ଲାସ୍ରେ ଉପସ୍ଥିତ ରହିଛନ୍ତି ତା’ର ରିପୋର୍ଟ ମଧ୍ୟ ପ୍ରତିଦିନ ଅପରାହ୍ଣ ୪ଟା ସୁଦ୍ଧା ଅଭିଭାବକମାନେ ଜାଣିପାରିବେ । ଫଳରେ ଯେଉଁ ପିଲାମାନେ ସ୍କୁଲ ଆସି ବାହାରେ ବୁଲାବୁଲି କରୁଥିଲେ ସେମାନଙ୍କ କାର୍ୟ୍ୟକଳାପ ଉପରେ ଅଙ୍କୁଶ ଲାଗି ପାରିବ । ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ । ତେଣୁ ଆସନ୍ତା ଶିକ୍ଷାବର୍ଷ ଆରମ୍ଭରୁ ଅଭିଭାବକମାନେ ସେମାନଙ୍କ ମୋବାଇଲ ନମ୍ବର ସ୍କୁଲର ପ୍ରଧାନଶିକ୍ଷକଙ୍କ ନିକଟରେ ଦାଖଲ କରିବେ । ତେବେ ପ୍ରତ୍ୟେକ ଅଭିଭାବକ ଅନ୍ତତଃ ୨ଟି ମୋବାଇଲ ନମ୍ବର ଦାଖଲ କରିବାକୁ କୁହାଯିବ । । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନେକ ସମୟରେ ଛାତ୍ରଛାତ୍ରୀ ଘରୁ ସ୍କୁଲ ଯିବା କହି ବାହାରେ ବୁଲାବୁଲି କରୁଛନ୍ତି । ବିଭିନ୍ନ ନଦୀ କିମ୍ବା ହ୍ରଦରେ ଖେଳକୁଦରେ ବୁଡି ମୃତ୍ୟୁବରଣ ମଧ୍ୟ କରୁଛନ୍ତି । ଦୁର୍ଘଟଣା ଘଟିବା ପରେ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ପିଲାମାନେ ସ୍କୁଲ ନଆସିବା ଘଟଣା କାହିଁକି ପ୍ରଧାନଶିକ୍ଷକ ଜଣାଇଲେ ନାହିଁ ବୋଲି ଅଭିଯୋଗ କରିଥାନ୍ତି । ଏପରି ସମସ୍ୟାର ସମାଧାନ ଲାଗି ରାଜ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପିଲାଙ୍କ ଲାଗି ମୋବାଇଲ-ଆଟେଣ୍ଡାନ୍ସ ପ୍ରଚଳନ ହେବ ।। ଏହି ମୋବାଇଲ-ଆଟେଣ୍ଡାନ୍ସ ବ୍ୟବସ୍ଥାରେ ଜିଲ୍ଲାୱାରୀ ପ୍ରତିଦିନ ଅଭିଭାବକଙ୍କୁ ପିଲାର ଉପସ୍ଥାନ ସମ୍ପର୍କରେ ଅବଗତ କରାଯିବା ପରେ ପ୍ରତି ସପ୍ତାହର ଶନିବାର ଦିନ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକମାନେ ସାପ୍ତାହିକ ରିପୋର୍ଟ ବିଇଓଙ୍କ ପାଖରେ ଦାଖଲ କରିବେ । ବିଇଓମାନେ ପ୍ରତି ୧୫ଦିନର ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ଦାଖଲ କରିବେ । ପ୍ରତିମାସର ଶେଷ ସପ୍ତାହରେ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ । ପ୍ରତି ୩ ମାସର ଉପସ୍ଥାନ ରିପୋର୍ଟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଖରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି । ଏନେଇ ପ୍ରତ୍ୟେକ ସ୍କୁଲରେ ସ୍ୱତନ୍ତ୍ର ସେଲ୍ ରହିବ ।