ଯୋଡା ପ୍ରେସକ୍ଲବ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

SHARE NOW :
କେନ୍ଦୁଝର (ଲାଇଭଓଡିଶା ନ୍ୟୁଜ):ଯେଉଁ ଦେଶର ଗଣମାଧ୍ୟମ ଯେତେ ମଜବୁତ ସେ ଦେଶର ଗଣତନ୍ତ୍ର ସେତେ ସୁଦୃଢ । ଗଣମାଧ୍ୟମକୁ ସୁଦୃଢ, ନିରପେକ୍ଷ, ସ୍ୱତନ୍ତ୍ର, ଦାୟିତ୍ୱ ସମ୍ମନ୍ନ, ଚାପମୁକ୍ତ କରିବା ପାଇଁ ପ୍ରେସ କାଉନସିଲର ଗଠନ କରାଯାଇଛି । ଗଣମାଧ୍ୟମ ତାର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିବା ବେଳେ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇପାରିଛି । ଜନସାଧାରଣ ଅନ୍ୟ ତିନୋଟି ସ୍ତମ୍ବ ଉପରୁ ଆସ୍ଥା ହରାଇଲେ ଚତୁର୍ଥ ସ୍ତମ୍ବ ଉପରେ ଭରସା କରିଥାନ୍ତି । ତେଣୁ ଗଣମାଧ୍ୟମର ଦାୟିତ୍ୱ ବୃଦ୍ଧି ପାଇଛି । କରୋନା କାଳରେ ଗଣମାଧ୍ୟମ ପ୍ରତିନଧିମାନେ କରୋନା ଯୋଦ୍ଧା ଭାବରେ ନିଜ ଜୀବନକୁ ବାଜି ଲଗାଇ ନିର୍ଭିକ ଭାବେ ଖବର ପରିବେଷଣ କରିପାରିଛନ୍ତି । ଫଳରେ ଗଣାମାଧ୍ୟମର ସଚେତନତା ଯୋଗୁଁ କରୋନା ଭଳି ମହାମାରୀକୁ ରୋକାଯାଇପାରିଛି । ପ୍ରଶାସନୀକ ଚାପରେ ସଠିତ୍ ପୀଡିତ ଏବଂ ମୃତ ବ୍ୟକ୍ତିଙ୍କ ସଂଖ୍ୟାକୁ ସୀମିତ ରଖାଯାଇଥିବା ବେଳେ ଗଣମାଧ୍ୟମର ସଠିକ ଆକଳନ ଏବଂ ଖବର ପରିବେଷଣ ଯୋଗୁଁ ପୀଡିତ ଏବଂ ମୃତ ବ୍ୟକ୍ତିମାନେ ସହାୟତା ପାଇପାରିଛନ୍ତି । ଏପରିସ୍ଥଳେ ଅଧିକାଂଶ କ୍ଷେତ୍ରରେ ରାଜନୈତକ ଏବଂ ଦୁର୍ନିତୀଗ୍ରସ୍ତ କର୍ମଚାରୀଙ୍କ ଆକ୍ରୋଶର ଶୀକାର ହେଉଥିବା ଦେଖାଯାଇଛି । ତେଣୁ ଗଣମାଧ୍ୟମ ଉପରେ ଯେତିକି ଦାୟିତ୍ୱ ବଢିଛି ସେହି ଅନୁପାତରେ ସୁରକ୍ଷା ଯୋଗାଇଦେବାର ଆବଶ୍ୟକତା ରହିଛି ବୋଲି ଯୋଡା ପ୍ରେସ କ୍ଲବ ପକ୍ଷରୁ ଭ୍ୟାଲି କ୍ଲବ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଯୋଡା ପ୍ରେସ କ୍ଲବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜାତୀୟ ପ୍ରେସ ଦିବସ ପାଳନ ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରକାଶ ମହାନ୍ତି ମଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ନୂଆମୁଣ୍ଡିର ମହାପ୍ରବନ୍ଧକ (ଓଏମ୍କ୍ୟୁ) ଅତୁଲ ଭଟ୍ଟନାଗର ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର ହିନ୍ଦୁ ଦୈନିକ କାଗଜର ପୂର୍ବତନ ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଦାସ, ସମ୍ମାନୀୟ ଅତିଥି ଭାବେ ରାଜ୍ୟର ଜଣେ ସୁପରିଚିଚ କବି, ଲେଖକ ତଥା ସ୍ତମ୍ବକାର କେଦାର ମିଶ୍ର ଓ ଯୋଡା ପୌରପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ବିଚିତ୍ରାନନ୍ଦ ନାୟକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମଙ୍ଗଳବାର ପ୍ରାତଃ ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ କଳାପାହଡ ଠାରେ ଅବସ୍ଥିତ ପ୍ରେସ କ୍ଲବ ଠାରୁ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ବାହାରି ଯୋଡା ସହର ପରିକ୍ରମା କରି ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସନ୍ଧ୍ୟା ସମୟରେ ଏକ ବର୍ଣ୍ଣାଢ୍ୟ ପରିବେଷ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଟିରେ ଯୋଡାର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ବଡବିଲ, କେନ୍ଦୁଝର, ଝୁମ୍ପୁରାର ବିଭିନ୍ନ ପ୍ରାନ୍ତରୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଟିରେ ଯୋଡା ସହରର ବରିଷ୍ଠ ନାଗରିକଙ୍କ ସହ ସହରର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ଭୃୟଶୀ ପ୍ରଶଂସା କରିଥିଲେ ।