- Home
- »
- Uncategorized
- »
- ଭିଜିଲାନ୍ସ ଜାଲରେ ୩ସରକାରୀ କର୍ମଚାରୀ
ଭିଜିଲାନ୍ସ ଜାଲରେ ୩ସରକାରୀ କର୍ମଚାରୀ

SHARE NOW :
ଭୁବନେଶ୍ୱର(ଲାଇଭ ଓଡିଶା ନ୍ୟୁଜ) : ବଦଳୁଛି ଓଡିଶା । ଦୁର୍ନିତୀଖୋରଙ୍କୁ ଆଉ ନାହିଁ ନିସ୍ତାର । ଦୁର୍ନିତୀରେ ଲିପ୍ତ ବ୍ୟକ୍ତିମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ । ଗତକାଲି ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଶନିବାର ଏହି ତିନି ଅଧିକାରୀ ବିଡ଼ା ବିଡ଼ା ଟଙ୍କା ଧରି ନିଜ ନିଜ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି।
ଗିରଫ ହୋଇଥିବା ଏହି ୩ ପ୍ରଥମ ଶ୍ରେଣୀ କର୍ମଚାରୀ ହେଲେ- କେନ୍ଦୁଝର ଶାଳପଡ଼ା ବୈତରଣୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ରାଉରକେଲା ପାନପୋଷସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଓ ବାଲେଶ୍ୱର ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା। ବିଧାନ ଚନ୍ଦ୍ର ସାହୁଙ୍କ ଠାରୁ ୧୦ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିବା ବେଳେ ପ୍ରକାଶ ମହାପାତ୍ରଙ୍କ ଠାରୁ ୧.୭୫ ଲକ୍ଷ ଓ ନରୋତ୍ତମ ବେହେରାଙ୍କ ଠାରୁ ୧୦ ଲକ୍ଷ ୧୪ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି।
ସୂଚନା ଅନୁଯାୟୀ, ବିଧାନଚନ୍ଦ୍ର ସାହୁଙ୍କୁ ଯାଜପୁର ଏନ.ସି କଲେଜ ନିକଟରେ ପିଛା କରି କାବୁ କରିଥିଲା ଭିଜିଲାନ୍ସ । ଯାଞ୍ଚ ବେଳେ କାରରୁ ୧୦ ଲକ୍ଷ ୭ ହଜାର ଟଙ୍କା ଜବତ କରିଥିଲା । ଏହାସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସାଲପଡ଼ା, କେନ୍ଦୁଝର ଓ କଟକରେ ରେଡ୍ କରି ୬୪ ହଜାର ଟଙ୍କା ଜବତ କରିଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ରାଉରକେଲାରୁ ଟଙ୍କା ଧରି ଭୁବନେଶ୍ୱର ଆସୁଥିବା ବେଳେ ସୁନ୍ଦରପଦା ନିକଟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ତାଙ୍କ ଠାରୁ ୧ଲକ୍ଷ ୮୫ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କର ସୁନ୍ଦରପଦା ଘରେ ଚଢ଼ାଉ କରାଯାଇଥିଲା। ସେହିପରି ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଭୁବନେଶ୍ୱର ଆସୁଥିବା ବେଳେ କଟକ ଟାଙ୍ଗୀ ଚେକ୍ ଗେଟ୍ ନିକଟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକାଇ ଥିଲେ। ଗାଡ଼ି ଯାଞ୍ଚ ବେଳେ ତାଙ୍କ ଠାରୁ ୮୯ ହଜାର ଟଙ୍କା ବାହାରିଥିଲା। ଏହା ପରେ ତାଙ୍କର ବାଲେଶ୍ୱର ସ୍ଥିତ ସରକାରୀ ବାସଭବନ ଓ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ତାଙ୍କ ଠାରୁ ଆଉ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଥିଲା।
ଗତକାଲି ପ୍ରକାଶ ମହାପାତ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ଆଉ ୨ଜଣଙ୍କୁ କୋର୍ଟ ଚାଲାଣ କରାଯିବ । ରେଡରେ ୨ଟି ଭିଜିଲାନ୍ସ ଡିଭିଜନର ୨ ଏସପି, ୯ଡିଏସପି ଓ ୭ ଆଇଆଇସି ସାମିଲ ହୋଇଥିଲେ ।