Live Odisha Tv

ସମୀର ଦେ ଓଡିଶା ଫୁଟବଲ ସଂଘର ସଭାପତି

ରବିବାର ଓଡିଶା ଫୁଟବଲ ସଂଘ ( FAO)ର ସାଧାରଣ ପରିଷଦ ବୈଠକ ବାରବାଟି ଷ୍ଟାଡିୟମ୍ ସ୍ଥିତ ଓସିଏ (OCA) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆସନ୍ତା ୪ ବର୍ଷ ପାଇଁ ସଂଘର କର୍ମକର୍ତ୍ତାମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରି ନଥିବାରୁ ବୈଠକରେ ଔପଚରିକ ଭାବରେ ବିଭିନ୍ନ ପଦ ପଦବୀ ପାଇଁ ବିନା ପ୍ରତିଦ୍ୱନ୍ଦିତାରେ ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇଥିଲା। ରାଧାରମଣ ସଂଘକୁ ପ୍ରତିନିଧିତ୍ଵ କରୁଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପିର ଟାଣୁଆ ନେତା ସମୀର ଦେ ଆସନ୍ତା ଚାରି ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ ଶିଖର ମିଶ୍ର ସଂଘର କାର୍ଯ୍ୟକାରୀ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ସଂଘର ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରା ପୁଣିଥରେ ବିନା ପ୍ରତିଯୋଗିତାରେ ନିର୍ବାଚିତ ହୋଇଛନ୍ତି। ଏହା ବ୍ୟତୀତ ୮ ଜଣ ଉପ ସଭାପତି ତିନି ଜଣ ଯୁଗ୍ମ ସମ୍ପାଦକ ଜଣେ କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ତିନିଜଣ ଯୁଗ୍ମ ସମ୍ପାଦକ ଭାବରେ ନିର୍ବାଚିତ ହେବାପରେ ଜଣେ ମହିଳାଙ୍କୁ ଯୁଗ୍ମ ସମ୍ପାଦକ ଭାବରେ ମନୋନୀତ କରାଯାଇଛି।

ସଂଘର ସାଧାରଣ ପରିଷଦ ବୈଠକରେ ୨୦୨୪/୨୫ ମସିହା ପାଇଁ ସଂଘର ଫୁଟବଲ ଖେଳ ସୂଚୀ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତ ମାସ ୨୪ ତାରିଖରୁ ଫାଓ ଲିଗ୍ ଆରମ୍ଭ ହେବ। ସେକେଣ୍ଡ ଡିଭିଜନ ଫୁଟବଲ ଲିଗରେ ୧୦ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଓ ପ୍ରଥମ ଡିଭିଜନ ଫୁଟବଲ ଲିଗରେ ମୋଟ ୨୨ଟି ଦଳ ଅଂଶ ଗ୍ରହଣ କରିବେ। ବୈଠକରେ ନବ ନିର୍ବାଚିତ ସଭାପତି ସମୀର ଦେ ଏବଂ ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରା ବୈଠକକୁ ପରିଚାଳନା କରିଥିଲେ। ନିର୍ବାଚିତ ସଭାପତି କହିଲେ କ୍ରୀଡ଼ାରେ କୌଣସି ରାଜନୀତି କରିବା ଆବଶ୍ୟକତା ନାହିଁ । ତେଣୁ ସେ କ୍ରୀଡାର ବିକାଶ ପାଇଁ ଉଦ୍ୟମ ଜାରି ରଖିବେ।

Digital Griot