Live Odisha Tv

ବିଧାନସଭାରେ ବିଜେପି ସରକାରର ପ୍ରଥମ ବଜେଟ

ବିଧାନସଭାରେ ଉପସ୍ଥାପନ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ । ସମାଜର ସବୁ ବର୍ଗକୁ ଗୁରୁତ୍ବ ଦିଆଯାଇଛି। ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତାଙ୍କୁ ଗୁରୁତ୍ବ ଦିଆଯାଇଛି । ଚଳିତ ବର୍ଷ ବଜେଟର ପରିମାଣ ୨ ଲକ୍ଷ ୬୫ ହଜାର କୋଟି ରହିଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟ ପରିମାଣକୁ ୧୫% ବୃଦ୍ଧି କରାଯାଇଛି। କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ବଜେଟ ଆକାର ବଢ଼ିଲା । ଗତବର୍ଷ କୃଷି ବଜେଟ  ୨୪, ୮୨୯ କୋଟି ରହିଥିବା ବେଳେ  ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ରହିଛି । ତେବେ ପ୍ରଥମ ବଜେଟ୍‌ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ବଜେଟରେ ୨୪ବର୍ଷର ବିଜେଡି ସରକାରର ବିଭିନ୍ନ ଯୋଜନା ପାଇଁ ବ୍ୟୟବରାଦ କରିଥିବା ମୋହନ ସରକାର ସେଗୁଡ଼ିକର ନାଁ ପରିବର୍ତ୍ତନ କରିଛନ୍ତି । ଅଧିକାଂଶ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ବିଜେଡି ଓ ବିଜୁ ଛାପ ହଟାଯାଇଛି । ଏହା ସହିତ ପ୍ରାୟ ଡଜନେ ନୂଆ ଯୋଜନାକୁ ମଧ୍ୟ ବିଜେପି ସରକାର କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ବରାଦ କରିଛନ୍ତି । ବିଜେପି ଯେଉଁସବୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ ପାଇଁ ମଧ୍ୟ ଏହି ବଜେଟରେ ବ୍ୟୟବରାଦ ହୋଇଛି । ଏହା ସହିତ ବିଜେପି ସରକାର ମୋଟ ବଜେଟର ୧୬.୦୪% ଋଣ ଆଣି ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବେ ବୋଲି ଜଣାପଡ଼ିଛି ।

ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତବର୍ଷର ବଜେଟ୍ ଆକାରରେ ୧୫.୨% ବୃଦ୍ଧି ହୋଇଛି । ମୋହନ ସରକାର ଚଳିତ ଆର୍ଥିକ ବର୍ଷରେ ନିଜସ୍ୱ ଟିକସ ଓ ଅଣଟିକସ ବାବଦରେ ୧.୧୮ଲକ୍ଷ କୋଟି ଟଙ୍କା, କେନ୍ଦ୍ରୀୟ ଟିକସରୁ ରାଜ୍ୟଅଂଶ ଓ କେନ୍ଦ୍ରୀୟ ଅନୁଦାନକୁ ମିଶାଇ ମୋଟ ୯୩ହଜାର କୋଟି ଟଙ୍କା, ଋଣ ଓ ଅଗ୍ରୀମର ପୁନଃଭରଣା ବାବଦରେ ୫୦୫କୋଟି ଟଙ୍କା ପାଇବେ ଅଟକଳ କରିଛନ୍ତି । ଏହାସହିତ ମୋଟ ବଜେଟ ଅଟକଳର ୧୬.୦୪% ଅର୍ଥାତ୍ ୪୩୪୯୫କୋଟି ଟଙ୍କା ଋଣ ଆଣିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।

ଚଳିତ ବଜେଟରେ ବିଜେଡି ସରକାରର ବହୁଚର୍ଚ୍ଚିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ପରିବର୍ତ୍ତନ ହୋଇ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ହୋଇଛି । ସେହିପରି ବିଜୁ ସେତୁର ନାଁ ବଦଳାଇ ‘ସେତୁ ବନ୍ଧନ’ ଯୋଜନା, ମୋ ସ୍କୁଲର ନାଁ ବଦଳାଇ ‘ପଂଚସଖା ଶିକ୍ଷା ସେତୁ ଯୋଜନା’, ଲକ୍ଷ୍ମୀ ଯୋଜନାର ନାଁ ‘ଗ୍ରାମାଂଚଳ ପରିବହନ’ ଯୋଜନା, ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳାଇ ‘ବିକଶିତ ଗାଁ ବିକଶିତ ଓଡ଼ିଶା’, କାଳିଆ ଯୋଜନାର ନାଁ ବଦଳାଇ ‘ସିଏମ-କିଷାନ’ ଯୋଜନା, ବିଜୁ ପକ୍କାଘର ଯୋଜନା ପରିବର୍ତ୍ତେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଘୋଷଣା କରିଛନ୍ତି ।

Digital Griot