ଆସନ୍ତା ଅଗଷ୍ଟ ୨୨ରେ ସମଗ୍ର ଦେଶରେ ଆନ୍ଦୋଳନ କରିବ କଂଗ୍ରେସ। ହିଣ୍ଡେନବର୍ଗ ରିପୋର୍ଟରେ ସେବି ମୁଖ୍ୟ ଓ ଆଦିନୀ ଗ୍ରୁପ ମଧ୍ୟରେ ମଧୁଛନ୍ଦ୍ରିକା ଥିବା କଥା ଦାବି କରାଯିବା ପରେ କଂଗ୍ରେସ ଏପରି ବିଶାଳ ଆନ୍ଦୋଳନର ଡାକରା ଦେଇଛି।ହିଣ୍ଡେନବର୍ଗ ପକ୍ଷରୁ ସେବି ମୁଖ୍ୟ ମାଧବୀ ବୁଚ୍ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣାଯାଇଛି। ତେଣୁ ତାଙ୍କୁ ସରକାର ସେବି ମୁଖ୍ୟ ପଦରୁ ହଟାନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପୂର୍ବରୁ କଂଗ୍ରେସ ସେବି ମୁଖ୍ୟ ଓ ଆଦାନି ଗ୍ରୁପ ମଧ୍ୟରେ ଥିବା ସମ୍ପର୍କରେ ଜେପିସି ତଦନ୍ତ ପାଇଁ ଦଳ ଦାବି କରିଥିଲା।
ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଦଳର ସମସ୍ତ ସାଧାରଣ ସମ୍ପାଦକ, ଇନଚାର୍ଜ ଓ ରାଜ୍ୟ ମୁଖ୍ୟମାନେ ଯୋଗ ଦେଇଥିଲେ। ଏହି ବୈଠକରେ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇ କହିଛନ୍ତି, ଆଦାନି ଓ ସେବି ବିରୋଧରେ ଆସିଥିବା ଅଭିଯୋଗର ଯୁଗ୍ମ ସଂସଦୀୟ କମିଟି ବା ଜେପିସି ତଦନ୍ତ ଦାବିରେ ଦଳର ନେତୃତ୍ୱବୃନ୍ଦ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି।
ଶନିବାର ହିଣ୍ଡେନବର୍ଗ ଆଦାନି ଗ୍ରୁପ୍ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲା। ଆମେରିକାର ଶର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ସଂସ୍ଥା ରିସର୍ଚ୍ଚରେ କହିଛି ଯେ ଆଦାନି ଗ୍ରୁପର ସ୍କାମରେ ଜଡ଼ିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ ରହିଛି। ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନ ଦେଖାଇବାର ଏହା ଏକ କାରଣ ବୋଲି ହିଣ୍ଡେନବର୍ଗ ରିସର୍ଚ୍ଚ ଦାବି କରିଥିଲା। ଏହାକୁ ନେଇ ସେବି ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ପ୍ରତିକ୍ରିୟା ରଖି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ବଦନାମ କରିବାକୁ ଚେଷ୍ଟା ଚାଲିଛି ବୋଲି କହିଥିଲେ।