Live Odisha Tv

ଅରୁଣ ଷଡ଼ଙ୍ଗୀ ହେବେ ରାଜ୍ୟ ପୁଲିସ ଡିଜି

ରାଜ୍ୟ ଜେଲ୍ ବିଭାଗ ଡିଜି ୧୯୮୯ ବ୍ୟାଚ୍ ଆଇପିଏସ୍ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆରପିଏଫ ସ୍ପେଶାଲ ଡିଜି ଭାବେ ନିଯୁକ୍ତି ମିଳିଛି। ଏପଟେ ରାଜ୍ୟ ସରକାର ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ସ୍ଥାୟୀ ପୁଲିସ ଡିଜି(ପୁଲିସ ଫୋର୍ସ ମୁଖ୍ୟ) କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଶ୍ରୀ ଷଡ଼ଙ୍ଗୀ ଏବେ ଅତିରିକ୍ତ ଭାବେ ରାଜ୍ୟ ପୁଲିସ ଡିଜି ଦାୟିତ୍ୱ ତୁଲାଉଛନ୍ତି। କେନ୍ଦ୍ର ସରକାରଙ୍କ ରୋଷର ଶିକାର ହୋଇ ଓଡ଼ିଶା ଫେରୁଥିବା ୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ ରାଜ୍ୟର ପରବର୍ତ୍ତୀ ଡିଜି ହେବା ସମ୍ଭାବନା କ୍ଷୀଣ ବୋଲି ଜଣାପଡ଼ିଛି।

ଗୃହ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୧୯୮୯ ବ୍ୟାଚ୍ ଆଇପିଏସ୍ ଏଏମ୍ ପ୍ରସାଦଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଶ୍ରୀ ପ୍ରସାଦଙ୍କୁ ସିଆରପିଏଫ ସ୍ପେଶାଲ ଡିଜି ଭାବେ ନିଯୁକ୍ତି ମିଳିଛି। ଗତକାଲି କେନ୍ଦ୍ର ସରକାର ୧୯୯୦ ବ୍ୟାଚ୍ ଆଇପିଏସ୍ ଶ୍ରୀ ଖୁରାନିଆଙ୍କୁ ତାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଶେଷ ହେବା ପୂର୍ବରୁ ତତ୍କାଳ ପ୍ରଭାବରୁ ଆଗୁଆ ଫେରାଇ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁଲାଇ ୨୬ତାରିଖରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟିକୁ ସୁପାରିଶ କରିଥିଲେ। ଶ୍ରୀ ଖୁରାନିଆ ଓ ବିଏସଏଫରେ ଥିବା ତାଙ୍କ ବରିଷ୍ଠ ସହଯୋଗୀ ନୀତିନ ଅଗ୍ରୱାଲ (ବିଏସଏଫ ଡିଜି)ଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଭାବେ ବିବେଚନା କରାଯାଉଛି ତଥା ତାଙ୍କୁ ପନିସମେଂଟରେ ଓଡ଼ିଶା ଫେରାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଶ୍ରୀ ଖୁରାନିଆ ବିଏସଏଫ ଡେପୁଟି ସ୍ପେଶାଲ ଡିଜି ଭାବେ କାର୍ଯ୍ୟ କରୁଥିଲେ।

ଅନ୍ୟପକ୍ଷରେ ତତକାଳୀନ ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ୧୯୯୦ ବ୍ୟାଚ୍ ଆଇପିଏସ୍ ଅରୁଣ ଷଡଙ୍ଗୀଙ୍କୁ ରାଜ୍ୟ ପୁଲିସ ଡିଜି ଭାବେ ଅସ୍ଥାୟୀ ଦାୟିତ୍ୱ ନ୍ୟସ୍ତ କରିଥିଲେ। ଗତ ଜୁନ୍ ମାସରେ ରାଜ୍ୟରେ ମୋହନ ସରକାର କ୍ଷମତାକୁ ଆସିବା ପରେ ସେବେଠୁ ରାଜ୍ୟରେ ଅସ୍ଥାୟୀ ଡିଜି ଭାବେ ଶ୍ରୀ ଷଡ଼ଙ୍ଗୀ କାର୍ଯ୍ୟ କରୁଛନ୍ତି। ଦୀର୍ଘ ୭ମାସ ଧରି ଅସ୍ଥାୟୀ ଡିଜି ଦାୟିତ୍ୱରେ ଥିବା ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟର ସ୍ଥାୟୀ ଡିଜି କରିବା ପାଇଁ ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥାୟୀ ପୁଲିସ ଡିଜି ପଦବୀ ନିମନ୍ତେ ଡିଜି ପାହ୍ୟାର ଯୋଗ୍ୟ ଅଫିସରଙ୍କ ତାଲିକା ୟୁପିଏସସି କର୍ତ୍ତୃପକ୍ଷଙ୍କୁ ପଠାଇବାକୁ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ଗୃହ ବିଭାଗକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁମତି ଦେଇଥିବା ଜଣାପଡ଼ିଛି।

Digital Griot