Live Odisha Tv

ଅନ୍ତିମ ଯାତ୍ରାରେ ସମୀର ଦେ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

କଟକ: ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମୀର ଦେ ଇହଲୀଳା ସମ୍ବରଣ କରିଛନ୍ତି । କଟକର ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ନଭେମ୍ବର ୧ ତାରିଖରେ ସମୀର ଦେ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନର ଚିକିତ୍ସା ପରେ ଶେଷରେ ସେ ପ୍ରାଣ ତ୍ୟାଗ କରିଛନ୍ତି ।

ସମୀର ଦେଙ୍କ ଦେହାନ୍ତରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସହରରେ ଜାରି ରହିଥିବା ଐତିହାସିକ ବାଲିଯାତ୍ରାରେ ଆଜି ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଏ ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଘୋଷଣା କରିଛନ୍ତି । ବାଲିଯାତ୍ରାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜିଲ୍ଲାପାଳଙ୍କ ସୂଚନା ମୁତାବକ, ସମୀର ଦେଙ୍କର ମରଶରୀରକୁ ପ୍ରଥମେ ତାଙ୍କର ଅନ୍ତିମ ଦର୍ଶନ ପାଇଁ ବିଧାନସଭାକୁ ନିଆଯିବ । ଏହା ପରେ ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ମଧ୍ୟ ବିଭିନ୍ନ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବେ । ସେଠାରୁ ସିଧାସଳକ ପୁଣି କଟକ ପୈତୃକ ବାସଭବନକୁ ପାର୍ଥିବ ଶରୀର ଅଣାଯିବ । ଏହା ପରେ ଖାନନଗର ଶ୍ମଶାନରେ ତାଙ୍କର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ କରାଯିବ ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟର ବହୁ ମାନଗଣ୍ୟ ବ୍ୟକ୍ତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ଵର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମୀର ଦେ ସୋମବାର କଟକର ଏକ ଘରୋଇ ମେଡ଼ିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

Digital Griot