Live Odisha Tv

ଆଜି ଡାକ୍ତରଙ୍କ ଧର୍ମଘଟ ଜରୁରୀକାଳୀନ ସେବା ବନ୍ଦ

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ଦେଶବ୍ୟାପୀ ସ୍ୱାସ୍ଥ୍ୟ ସେବା ୨୪ ଘଣ୍ଟିଆ ବନ୍ଦ ରହିବ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଘୋଷଣା କରିଛି । ଆଇଏମଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଅଗଷ୍ଟ ୧୭ ସକାଳ ୬ଟାରୁ ୧୮ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଡର୍ଣ୍ଣ ମେଡିସିନର ଡାକ୍ତରମାନେ ସେମାନଙ୍କ ସେବା ପ୍ରଦାନ କରିବେ ନାହିଁ।

ଡାକ୍ତରଙ୍କ ଧର୍ମଘଟ ସମୟରେ ହସ୍ପିଟାଲରେ ଓପିଡି ଓ ନିୟମିତ ଅସ୍ତ୍ରୋପଚାର ବନ୍ଦ କରିବାକୁ ନିବେଦନ କରାଯାଇଛି। ଛୋଟ ଛୋଟ ଘରୋଇ ହସ୍ପିଟାଲ, ନର୍ସିଂହୋମ ବ୍ୟତୀତ କର୍ପୋରେଟ୍ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଧର୍ମଘଟ କରିବେ। ଆଇଏମଏ କେନ୍ଦ୍ର ସରକାରଙ୍କୁ ଦାବି କରିଛି ଯେ ହସ୍ପିଟାଲଗୁଡିକୁ ସୁରକ୍ଷିତ ଜୋନ୍ ଘୋଷଣା କରନ୍ତୁ ଏବଂ ବିମାନବନ୍ଦର ପରି ସୁରକ୍ଷା ବ୍ୟବସ୍ଥା କରନ୍ତୁ।

ଶୁକ୍ରବାର ଆଇଏମ୍ଏ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଡାକ୍ତର ଆରଭି ଅଶୋକନ୍ କହିଛନ୍ତି ଯେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ଘଟଣାରେ ଅନେକ ଲୋକ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଦୀର୍ଘ ୩୬ ଘଣ୍ଟା ଡ୍ୟୁଟିରେ ନିୟୋଜିତ ହୋଇଥିଲେ ମଧ୍ୟ ହସ୍ପିଟାଲରେ ବିଶ୍ରାମ ଗୃହ ନଥିଲା।

ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ରୋଗୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପଞ୍ଜାବର ସରକାରୀ ହସ୍ପିଟାଲଗୁଡ଼ିକର ଓପିଡି ବନ୍ଦ ରହିଛି। ଡାକ୍ତର ଓ ନର୍ସିଂ କର୍ମଚାରୀ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ କରିନଥିଲେ। ଉତ୍ତରାଖଣ୍ଡରେ ଏମ୍ସ ଋଷିକେଶର ଆବାସିକ ଡାକ୍ତରମାନେ ଗତ ୪ ଦିନ ହେଲା ଧର୍ମଘଟରେ ଅଛନ୍ତି।

ହିମାଚଳ ପ୍ରଦେଶରେ ୩ ଦିନିଆ ଧର୍ମଘଟ ଯୋଗୁଁ ରାଜ୍ୟର ମେଡିକାଲ କଲେଜଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିହାରର ପାଟନାର ଏନ୍ଏମ୍ସିଏଚ୍, ଦରଭଙ୍ଗାର ଡିଏମ୍ସିଏଚ୍ ଏବଂ ମୁଜାଫରପୁରର ଏସ୍ କେଏମ୍ ସିଏଚ୍ ରେ ଗୁରୁବାର ଅପରାହ୍ନରେ ଜରୁରୀକାଳୀନ ସେବା ଠପ୍ ହୋଇଯାଇଛି।

Digital Griot