Live Odisha Tv

ରାଜ୍ୟରେ କାର୍ଯ୍ୟକାରୀ ହେବ କାମଧେନୁ ଯୋଜନା

ରାଜ୍ୟରେ ଖୁବ ଶୀଘ୍ର କାମଧେନୁ ଯୋଜନା ପ୍ରଣୟନ କରାଯିବ । ଏଥିପାଇଁ ୫ ବର୍ଷରେ ୧୪୨୩. ୪୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । କ୍ଷୁଦ୍ର ଦୁଗ୍ଧ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା, ଗୋଶାଳା ପ୍ରତିଷ୍ଠା, ସବସିଡିଯୁକ୍ତ ଗୋଖାଦ୍ୟ ଯୋଗାଇବା, ପଶୁପାଳନ ବୀମା ଅଧୀନରେ କଭରେଜ୍ ବୃଦ୍ଧି ଏବଂ ଦୁଗ୍ଧ ସମବାୟ ସମିତିକୁ ମଜବୁତ କରିବାରେ ସହାୟକ ହେବ ଏହି ଯୋଜନା । ଜାତୀୟ ମୌସୁମୀ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଭୁବନେଶ୍ଵରରେ ଶୁକ୍ରବାର ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ମୌସୁମୀ ବୈଠକ ୨୦୨୪ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ କେନ୍ଦ୍ର ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ରାଜ୍ୟରେ ପଶୁ ସମ୍ପଦ ବିକାଶ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ଏବଂ ମତ୍ସ୍ୟ ଚାଷକୁ ବ୍ୟାପକ କରିବା ପାଇଁ ଆଲୋଚନା ହୋଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ସୁଦୂରପ୍ରସାରୀ ବିକାଶ ଏବଂ ଏହାର ନିରନ୍ତରତା ବଜାୟ ରଖିବା ସମ୍ପର୍କରେ ବ୍ୟାପକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ଆଗାମୀ ୫ ବର୍ଷରେ ୧୪୨୩. ୪୭ କୋଟି ଟଙ୍କା ବ୍ୟୟବରାଦରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପ୍ରଣୟନ କରାଯିବ । କ୍ଷୁଦ୍ର ଦୁଗ୍ଧ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା, ଗୋଶାଳା ପ୍ରତିଷ୍ଠା, ସବସିଡିଯୁକ୍ତ ଗୋଖାଦ୍ୟ ଯୋଗାଇବା, ପଶୁପାଳନ ବୀମା ଅଧୀନରେ କଭରେଜ୍ ବୃଦ୍ଧି ଏବଂ ଦୁଗ୍ଧ ସମବାୟ ସମିତିକୁ ମଜବୁତ କରିବାରେ ଏହି ଯୋଜନା ସହାୟକ ହେବ । ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇ ଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ ।

ସେହିପରି ଗାଈଗୋରୁଙ୍କ ସ୍ଵାସ୍ଥ୍ୟ ଓ ଚିକିତ୍ସା ପାଇଁ ‘ଗୋ ମାତା ଯୋଜନା’ ଆରମ୍ଭ ହେବ । ଏହା ସହିତ ବୁଲା ଗାଈଗୋରୁଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା’ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ କୁକୁଡ଼ା ଏବଂ କ୍ଷୁଦ୍ର ପ୍ରାଣୀ ଉତ୍ପାଦନ ବୃଦ୍ଧି ପାଇଁ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥି ସହ ୧୯୬୦ ମସିହାରେ ପ୍ରଣୟନ ହୋଇଥିବା ଓଡ଼ିଶା ଗୋହତ୍ୟା ନିରାକରଣ ଆଇନକୁ ସଂଶୋଧନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି । ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଜାତୀୟ ଦୁଗ୍ଧ ଉତ୍ପାଦନ ଉନ୍ନୟନ ବୋର୍ଡ଼(ଏନଡିଡିବି) ସହ ରାଜ୍ୟ ସରକାର ବୁଜାମଣା ପତ୍ର ସ୍ଵାକ୍ଷର କରିଛନ୍ତି । ଏନଡିଡିବି ବ୍ରହ୍ମପୁରଠାରେ ପଶୁ ଟିକା ଉତ୍ପାଦନ କେନ୍ଦ୍ର ଏବଂ ଭୁବନେଶ୍ଵରରେ ପଶୁ ଖାଦ୍ୟ ମାନ ନିର୍ଦ୍ଧାରଣ ପରୀକ୍ଷାଗାର ପ୍ରତିଷ୍ଠା କରିବ ।

Digital Griot