Live Odisha Tv

୬ ଶହ କୋଟି ଟପିଲା ଶାରଦୀୟ ପୂଜା ବଜେଟ୍

ଲକ୍ଷେ କି କୋଟିଏ ନୁହେଁ, ମା’ ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ସତେ ଯେମିତି ଲାଗୁଛି କଟକ-ଭୁବନେଶ୍ୱରରେ ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା। ଜାଣି ଆଶ୍ଚର୍ଯ୍ୟ ହେବେ, ଉଭୟ ସହରରେ ଏବର୍ଷ ୬ ଶହ କୋଟି ଟପିଛି ଶାରଦୀୟ ପୂଜା ବଜେଟ୍। ତେବେ କାହିଁକି, ବ୍ୟୟବହୁଳ ହେଉଛି ଶାରଦୀୟ ଦୁର୍ଗାପୂଜା। ଆକର୍ଷଣୀୟ ପୂଜା ସହ ବଢ଼ି ଚାଲୁଛି ବଜେଟ। ପ୍ରତିବର୍ଷ ବୃଦ୍ଧି ପାଉଥିବା କଳେବର ଭିତରେ କେଉଁଠି କଥା କହୁଛି ସୁନା ଚାନ୍ଦି ମେଢ଼ ତ ଆଉ କେଉଁଠି ଗାଥା ବଖାଣୁଛି ତୋରଣ।

ରୌପ୍ୟନଗରୀ କଟକ। ସୁନା ଚାନ୍ଦି ମେଢ଼ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ଏବର୍ଷ ୩୪ରେ ପହଞ୍ଚିଛି ସୁନା ଚାନ୍ଦି ମେଢ ସଂଖ୍ୟା। ଆଉ ତାହାରି ଭିତରେ ମା’ ଜଗତଜନନୀଙ୍କ ଏକକୁ ଆରେକ ବଳି ମୂର୍ତ୍ତି ଗୁଡ଼ିକରେ ଝଟକୁଛି ମହଣ ମହଣ ସୁନା ଆଉ ଚାନ୍ଦି। କଟକ ସହରର ପ୍ରଥମ ଚାନ୍ଦିମେଢ ୧୯୫୬ ମସିହାରେ ଚୌଧୁରୀ ବଜାରରେ କରାଯାଇଥିଲା। ସେଠାରେ ପ୍ରାୟ ୪ କ୍ୱିଣ୍ଟାଲ୍‌ ଚାନ୍ଦିରେ ପ୍ରଥମ ଚାନ୍ଦିମେଢ଼ କରାଯାଇଥିଲା। ପରେ ମା’ଙ୍କୁ ଲାଗି କରାଯାଇଥିଲା ସୁନା ଅଳଙ୍କାର। ଏଭଳି ଭାବେ ୪୦ କେଜିର ସୁନା ଅଳଙ୍କାରରେ ଏଥର ଝଟକୁଛି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି। ଆଗକୁ ସୁନାରେ ସମ୍ପୂର୍ଣ୍ଣ ମେଢ଼ ହେବ ବୋଲି କହିଛି କମିଟି।

ତଥ୍ୟ କହୁଛି, କଟକରେ ଗତବର୍ଷ ଅପେକ୍ଷା ଏବର୍ଷ ପ୍ରାୟ ୩୦ ପ୍ରତିଶତ ବଢ଼ିଛି ପୂଜା ବଜେଟ୍। ଗତଥର କଟକ ସହରରେ ୩୨ଟି ସୁନା ଓ ଚାନ୍ଦିମେଢ଼ ଥିଲା। ଏଥର ଏହା ୩୪ରେ ପହଞ୍ଚିଛି। ଏବର୍ଷ ତୁଳସୀପୁର ଓ ରାମଗଡ଼ କନିକା ଛକ କମିଟି ସାମିଲ ହୋଇଥିବାରୁ ସହରରେ ମୋଟ୍‌ ୧୭୬ଟି ମେଢ଼ କରାଯାଇଛି। ଗତବର୍ଷ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥର ପହଞ୍ଚିଛି ପ୍ରାୟ ୩୨୫ କୋଟିରେ। ଭାବିଲେ ଲାଗୁଛି, ପୂଜାକୁ ଆକର୍ଷଣୀୟ କରିବା ପାଇଁ ସତେ ଯେମିତି ଚାଲିଛି ପ୍ରତିଯୋଗିତା।

କଟକରେ ମେଢ଼କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଭୁବନେଶ୍ୱରରେ ତୋରଣକୁ ପ୍ରାଧାନ୍ୟ। ଅର୍ଥାତ ରାଜଧାନୀରେ ମେଢ଼ ଅପେକ୍ଷା ତୋରଣ ଉପରେ ପ୍ରତିବର୍ଷ ଭଳି ଏଥର ଫୋକସ୍‌ କରାଯାଇଛି। ପୁରୁଣା ଷ୍ଟେସନ୍ ବଜାର, ନୂଆପଲ୍ଲୀ, ସହିଦନଗର, ବଡ଼ଗଡ଼, ଝାରପଡ଼ା, ଲକ୍ଷ୍ମୀସାଗର ଓ ଗଙ୍ଗନଗର ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ କରାଯାଇଛି। କେବଳ ସହିଦନଗର ପୂଜା କମିଟି ଏଥର କୋଟିଏ ଟଙ୍କା ଅଟକଳ କରିଥିବା ବେଳେ ତୋରଣରେ ହିଁ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା କମିଟିର ବଜେଟ୍ ରହିଛି ୮୦ ଲକ୍ଷ। ଏଭଳି ଭାବେ ଭୁବନେଶ୍ୱରରେ ମୋଟ୍ ୧୮୭ଟି ମେଢ଼ କରାଯାଇଥିବା ବେଳେ ତାହାରି ଭିତରେ ରହିଛି ୬ଟି ସୁନା ଚାନ୍ଦି ମେଢ଼। ପୂର୍ବବର୍ଷ ଅପେକ୍ଷା ଏଥର ରାଜଧାନୀରେ ପୂଜା ବଜେଟ ୨୫ ପ୍ରତିଶତ ବଢ଼ି ପ୍ରାୟ ସାଢ଼େ ୩ ଶହ କୋଟିରେ ପହଞ୍ଚିଛି।

Digital Griot