Live Odisha Tv

ଓଲିଉଡ୍‌ରେ ବଙ୍ଗୀୟ ଅଭିନେତ୍ରୀ ଦର୍ଶନା

ପୁଣି ଜଣେ ବଙ୍ଗୀୟ ନାୟିକା ଓଡ଼ିଆ ସିନେମାକୁ ଆସୁଛନ୍ତି। ସେ ହେଲେ ମଡେଲ୍ ଟର୍ଣ୍ଣଡ୍‌ ଅଭିନେତ୍ରୀ ଦର୍ଶନା ବନିକ୍। କେବଳ ବଙ୍ଗଳା ନୁହେଁ, ସେ ବାଂଲାଦେଶୀ, ହିନ୍ଦୀ, ତାମିଲ ଓ ତେଲୁଗୁ ଛବିରେ ବି କାମ କରିଛନ୍ତି। ପୁଣି କଲର୍ସ, ଭୋଡାଫୋନ୍, ପିସି ଚନ୍ଦ୍ର ଜୁଏଲର୍ସ ଓ ବୋରୋଲିନ୍ ଭଳି ଲୋକପ୍ରିୟ ବ୍ରାଣ୍ଡ୍‌ର ମଡେଲ୍‌ ଭାବେ ଅନେକ ବିଜ୍ଞାପନରେ ବି ନଜର ଆସିଛନ୍ତି ଦର୍ଶନା। ୧୦ରୁ ଅଧିକ ବଙ୍ଗଳା ସିନେମାରେ ନାୟିକା ଭାବେ ସିନେପ୍ରେମୀଙ୍କ ମନ ଜିଣିସାରିଥିବା ଦର୍ଶନା ‘ସ୍ପଟବୟ’ ଜରିଆରେ ଓଲିଉଡ୍‌ରେ  ଡେବ୍ୟୁ କରୁଛନ୍ତି।

‘ସ୍ପଟବୟ’ ଉଭୟ ଓଡ଼ିଆ-ବଙ୍ଗଳା ଭାଷାରେ ନିର୍ମିତ ହେଉଛି। ଏଥିରେ ତାଙ୍କୁ ଏକ ପ୍ରଭାବଶାଳୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଜଣାଶୁଣା ବଙ୍ଗୀୟ ନାୟକ ବନି ସେନଗୁପ୍ତଙ୍କ ସହ ସେ ଏହି ଦ୍ବିଭାଷୀ ଛବିରେ ନଜର ଆସିବେ।  ଓଡ଼ିଶାର ଜଣାଶୁଣା ନିର୍ମାତା ରମେଶ ବାରିକ ଏହି ସିନେମାର ପ୍ରଯୋଜକ ଏବଂ ଅଶ୍ବିନ ତ୍ରିପାଠୀ ଏହାର ନିର୍ଦ୍ଦେଶକ। ଡକ୍ଟର ରଜନୀରଂଜନ ‘ସ୍ପଟବୟ’ର ସଂଳାପ ଲେଖିଥିବା ବେଳେ ଅସଦ୍ ନିଜାମ୍ ସ୍ବର ସଂଯୋଜନା ଦାୟିତ୍ବ ତୁଲାଇଛନ୍ତି। ଦର୍ଶନାଙ୍କୁ ଓଡ଼ିଆ ଦର୍ଶକ କେତେ ଗ୍ରହଣ କରୁଛନ୍ତି, ତାହା ‘ସ୍ପଟବୟ’ ରିଲିଜ୍ ହେବା ପରେ ଜଣାଯିବ।

Digital Griot