ଜାନୁଆରି ୨୦ ଅର୍ଥାତ ସୋମବାର ଦ୍ବିତୀୟ ଥର ପାଇଁ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଜନ୍ ଜି. ରୋବର୍ଟସ୍ ଜୁନିଅର୍ ଟ୍ରମ୍ପଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଟ୍ରମ୍ପଙ୍କ ଶପଥ ସମାରୋହରେ ବିଶ୍ବର ବହୁ ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧି ସାମିଲ ହେଉଛନ୍ତି । ୬୦ରୁ ଅଧିକ ଦେଶକୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ୟୁକ୍ରେନ ରାଷ୍ଟ୍ରପତି ଭୋଲିଦିମିର ଜେଲେନ୍ସ୍କି, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓରଜିଆ ମେଲୋନି, ହଙ୍ଗେରି ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନ, ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍ ମିଲେଇ ପ୍ରମୁଖଙ୍କୁ ପଠାଯାଇଛି ନିମନ୍ତ୍ରଣ ପତ୍ର । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଟ୍ରମ୍ପଙ୍କ ଶପଥ ସମାରୋହକୁ ଯାଇପାରିବେ ନାହିଁ ବୋଲି ପ୍ରଥମରୁ ମନା କରି ଦେଇଥିବା ବେଳେ ଚୀନ ବିଦେଶ ମନ୍ତ୍ରୀ ଯିବେ । ବିଳମ୍ବରେ ଭାରତକୁ ମିଳିଛି ନିମନ୍ତ୍ରଣ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୁହେଁ ବରଂ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର କରିବେ ଭାରତର ପ୍ରତିନିଧିତ୍ବ ।
ବିଦାୟୀ ରାଷ୍ଟ୍ର ପତି ଜୋ ବାଇଡେନ୍ ଏବଂ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ଜର୍ଜ ଡବ୍ଲୁ ବୁସ୍, ବାରାକ ଓବାମା ପ୍ରମୁଖ ଉପସ୍ଥିତ ରହିବେ । କେବଳ ମିଚେଲ ଓବାମାଙ୍କୁ ଛାଡ଼ିଦେଲେ ଅନ୍ୟ ପୂର୍ବତନ ରାଷ୍ଟ୍ରପତିମାନେ ସସ୍ତ୍ରୀକ ଉପସ୍ଥିତ ରହିବେ । ୨୦୧୬ ନିର୍ବାଚନରେ ହିଲାରୀ କ୍ଲିଣ୍ଟନଙ୍କୁ ହରାଇଥିଲେ ଡୋନାଲ୍ଡ ଟ୍ରମ୍ପ । ଆଉ ଟ୍ରମ୍ପଙ୍କ ଦ୍ବିତୀୟ ଶପଥ ସମାରୋହରେ ହିଲାରୀ କ୍ଲିଣ୍ଟନ ଉପସ୍ଥିତ ରହିବେ । ୨୦୨୪ ନିର୍ବାଚନରେ କମଲା ହାରିସଙ୍କୁ ହରାଇଛନ୍ତି ଟ୍ରମ୍ପ । କମଲା ହାରିସ ମଧ୍ୟ ଶପଥ ସମାରୋହରେ ଉପସ୍ଥିତ ରହିବେ ।
ଟ୍ରମ୍ପଙ୍କ ପାଇଁ ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିବା ଏଲନ୍ ମସ୍କ ଟ୍ରମ୍ପ ୨.୦ ସରକାରରେ ପ୍ରମୁଖ ଭୂମିକା ନିଭାଇବାକୁ ଯାଉଛନ୍ତି । ଟ୍ରମ୍ପ ପ୍ରଶାସନରେ ଡିପାର୍ଟମେଣ୍ଟ ଅଫ୍ ଗମେଣ୍ଟ ଏଫିସିଏନ୍ସି ମୁଖ୍ୟ ହେବାକୁ ଯାଉଛନ୍ତି ସେ । ଅନ୍ୟ ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଆମାଜନ ମୁଖ୍ୟ ଜେଫ୍ ବେଜୋସ୍, ମେଟା ମୁଖ୍ୟ ମାର୍କ ଜୁକରବର୍ଗ, ଟିକ୍ ଟକ୍ ମୁଖ୍ୟ ସୋଉ ଚିଉ ପ୍ରମୁଖ ଟ୍ରମ୍ପଙ୍କ ଶପଥ ସମାରୋହରେ ସାମିଲ ହେବେ । ମୁକେଶ ଅମ୍ବାନୀ ଓ ତାଙ୍କ ସ୍ତ୍ରୀ ନୀତା ଅମ୍ବାନିଙ୍କୁ ମଧ୍ୟ ଟ୍ରମ୍ପଙ୍କ ଶପଥ ସମାରୋହରେ ସାମିଲ ହେବାକୁ VIP ଇନଭିଟେସନ୍ ମିଳିଛି ।
ପ୍ରଥମ ଦିନରେ ପାଖାପାଖି ଶହେ ଏକଜିକ୍ୟୁଟିଭ୍ ଅର୍ଡର୍ ପାସ୍ କରାଇବେ ଟ୍ରମ୍ପ । ବିନା କାଗଜପତ୍ରରେ ଆମେରିକାରେ ଥିବା ବିଦେଶୀ ନାଗରିକଙ୍କୁ ବାହାର କରିବେ । ଦେଢ଼ ଶହ ବର୍ଷ ଧରି ଆମେରିକାରେ ଚାଲି ଆସିଥିବା ଜନ୍ମଗତ ନାଗରିକତା ଅଧିକାରର ଦି ଏଣ୍ଡ କରାଇବେ ଟ୍ରମ୍ପ । ଟ୍ରମ୍ପଙ୍କ ଇମିଗ୍ରେସନ୍ ଏବଂ ଜନ୍ମଗତ ନାଗରିକତା ଅଧିକାର ରଦ୍ଦ ନିଷ୍ପତ୍ତି ଯୋଗୁଁ ଅନେକ ଦେଶ ପ୍ରଭାବିତ ହେବେ । ଭାରତ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେବ ।
ଟାରିଫ୍ ଅର୍ଥାତ କର ଉପରେ ପ୍ରଥମ ଦିନରେ ବଡ଼ ନିଷ୍ପତ୍ତି ନେବେ ଡୋନାଲ୍ଡ ଟ୍ରମ୍ପ । ବିଦେଶରୁ ଆମଦାନୀ ହେଉଥିବା ସମସ୍ତ ଉତ୍ପାଦ ଉପରେ ୧୦ ପ୍ରତିଶତ କର ବୃଦ୍ଧି କରିବେ । କାନାଡ଼ା ଓ ମେକ୍ସିକୋ ଉତ୍ପାଦ ଉପରେ ୨୫ ପ୍ରତିଶତ, ଚୀନ ଉତ୍ପାଦ ଉପରେ ୬୦ ପ୍ରତିଶତ କର ବୃଦ୍ଧି କରିବାକୁ ଅକଜିକ୍ୟୁଟିଭ୍ ଅର୍ଡର୍ ପାସ କରିବେ ଟ୍ରମ୍ପ । ୨୦୨୧ ଜାନୁଆରି ୬ ତାରିଖରେ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲ୍ ହିଲ୍ରେ କରିଥିବା ଭଙ୍ଗାରୁଜା ଏବଂ ସୁରକ୍ଷାକର୍ମୀଙ୍କ ଉପରେ କରିଥିବା ଆକ୍ରମଣ ଅଭିଯୋଗରେ ଶତାଧିକ ଲୋକ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ଟ୍ରମ୍ପ ସୋନଙ୍କୁ ରାଜନୈତିକ ବନ୍ଦୀ କହୁଥିବା ବେଳେ ପ୍ରଥମ ଦିନରେ ସେମାନଙ୍କୁ କ୍ଷମା ପ୍ରଦାନ କରିବେ । ଏନେଇ ନିର୍ବାଚନ ପ୍ରଚାର ବେଳେ ସେ କହିଥିଲେ ।
ଦ୍ବିତୀୟ ଥର ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଗତ ୧୦ ତାରିଖରେ ଟ୍ରମ୍ପଙ୍କୁ ମନହଟନ୍ କୋର୍ଟ, ହସ୍ ମନି ମାମଲାରେ ଦୋଷୀ ସାବ୍ୟସ୍ତ କରି ସାରିଛନ୍ତି । ତାଙ୍କୁ ଜେଲ ଦଣ୍ଡାଦେଶ ହୋଇ ନଥିଲେ ମଧ୍ୟ ଆମେରିକାରେ ଏହା ଇତିହାସ ହେବାକୁ ଯାଉଛି । ଗତ ମେ’ ମାସରେ ମଧ୍ୟ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ । ବ୍ୟାବସାୟିକ କାଗଜପତ୍ର ଜାଲିଆତି କରିଥିବା ଅଭିଯୋଗରେ ମନହଟନ୍ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସେ । ଟ୍ରମ୍ପଙ୍କ ଦ୍ବିତୀୟ ଶପଥ ସମାରୋହ ମଧ୍ୟ ଅନ୍ୟ ଏକ ଦୃଷ୍ଟିରୁ ଇତିହାସ ହେବାକୁ ଯାଉଛି । କାରଣ ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ମୃତ୍ୟୁ ପରେ ଦେଶର ସବୁ ସରକାରୀ ଅଫିସରେ ଜାତୀୟ ପତାକା, ୩୦ ଦିନ ପାଇଁ ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ତେବେ ଯେଉଁ ରାଜ୍ୟରେ ରିପବ୍ଲିକାନ୍ ଗଭର୍ଣ୍ଣର ଅଛନ୍ତି, ସେଠାରେ ସ୍ବତନ୍ତ୍ର ନିର୍ଦ୍ଦେଶ ବଳରେ ଜାତୀୟ ପତାକା ଆଉ ଅର୍ଦ୍ଧନମିତ ଅବସ୍ଥାରେ ନାହିଁ । କ୍ୟପିଟଲ୍ ହିଲରେ ଜାତୀୟ ପତାକା ପୂର୍ଣ୍ଣ ଉଚ୍ଚାରେ ରଖିବାକୁ ଗତ ମଙ୍ଗଳବାର ନିର୍ଦ୍ଦେଶ ଦେଇ ସାରିଛନ୍ତି ଆମେରିକା କଂଗ୍ରେସର ବାଚସ୍ପତି ।