ମେ’ ୭ ଭୋର ୧.୩୦ରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଅପରେସନ ସିନ୍ଦୂରକୁ କାର୍ଯ୍ୟକାରୀ କରିଥିଲା। ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା ୯ ଆତଙ୍କୀ ଆଡ୍ଡା ଉପରେ କରିଥିଲା ମିସାଇଲ ମାଡ଼। ଏଥିରେ ୫ ପ୍ରମୁଖ ପାକିସ୍ତାନୀ ଆତଙ୍କବାଦୀଙ୍କ ସମେତ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ଭାରତର ଅପରେସନ ସିନ୍ଦୂରରେ ପ୍ରାଣ ହରାଇଥିବା ୫ ପ୍ରମୁଖ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ମୁଦାସର ଖାଦିଆନ ଖାସ, ହାଫିଜ ମହମ୍ମଦ ଜାମୀଲ, ମହମ୍ମଦ ୟୁସୁଫ ଆଝାର, ଖାଲିଦ(ଅବୁ ଆକାଶ) ଓ ମହମ୍ମଦ ହାସନ ଖାନ। ଲସ୍କର-ଇ-ତାଏବା ଓ ଜୈଶ ମହମ୍ମଦ ଭଳି ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନର ବଡ଼ବଡ଼ ପଦବୀରେ ଏହି ୫ ଆତଙ୍କବାଦୀ ରହିଥିଲେ। ଭାରତ ବିରୋଧୀ ଷଡ଼ଯନ୍ତ୍ରର ବିନ୍ଧାଣି ବୋଲି ଏମାନଙ୍କୁ କୁହାଯାଏ। ସବୁଠାରୁ ଆଚମ୍ବିତ କଥା ହେଲା, ଏହି ସବୁ ଆତଙ୍କବାଦୀଙ୍କୁ ପାକିସ୍ତାନରେ ହିରୋ ଭଳି ବିଦାୟ ଜଣାଯାଇଛି। ପାକିସ୍ତାନ ସେନା ଓ ପୁଲିସ୍ର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଅନ୍ତିମ ସଂସ୍କାର ବେଳେ ଯୋଗ ଦେବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।
କିଏ ସେହି ୫ ଆତଙ୍କବାଦୀ ?
୧- ମୁଦାସିର ଖାଦିଆନ ଖାସ: ଆତଙ୍କବାଦୀ ଦୁନିଆରେ ଖାସକୁ ସମସ୍ତେ ମୁଦାସିର ଓ ଅବୁ ଜୁନ୍ଦାଲ ନାଁରେ ଜାଣନ୍ତି। ହାଫିଜ ସୟିଦର ଲସ୍କର-ଇ-ତାଏବା ପାଇଁ ଖାସ କାମ କରୁଥିଲା। ପାକିସ୍ତାନର ମୁରିଦକେରେ ଥିବା ମର୍କଜ ତାଏବା ନାମକ ଲସ୍କରର ସବୁଠାରୁ ବଡ଼ ଆତଙ୍କୀ କ୍ୟାମ୍ପର ଦାୟିତ୍ୱ, ତା’ ହାତରେ ଥିଲା। ଖାସ ପ୍ରାଣ ହରାଇଥିବା ବେଳେ ତା’ର ଅନ୍ତିମ ସଂସ୍କାରରେ ବିଶ୍ୱ ସ୍ତରୀୟ ଆତଙ୍କବାଦୀ ହାଫିଜ ଅବଦୁଲ ରୌଫ ସାମିଲ ହୋଇଥିଲା।
୨- ହାଫିଜ ମହମ୍ମଦ ଜାମୀଲ: ସେ ଜୈଶର ପ୍ରତିଷ୍ଠାତା ମୌଲାନା ମସୁଦ ଆଝାରର ଭିଣୋଇ। ବାହାବଲପୁର ସ୍ଥିତ ମର୍କଜ ସୁଭାନ ଆଲ୍ଲାର ଦାୟିତ୍ୱ ଜାମୀଲ ହାତରେ ଥିଲା। ଯୁବଗୋଷ୍ଠୀଙ୍କୁ ପ୍ରଲୋଭିତ କରି ସେ ଜୈଶର ନିଯୁକ୍ତି ଦେଉଥିଲା ଓ ସଂଗଠନ ପାଇଁ ପାଣ୍ଠି ସଂଗ୍ରହରେ ସହାୟତା କରୁଥିଲା। ମେ’ ୭ରେ ଭାରତ ଏଠାରେ ମିସାଇଲ ମାଡ଼ କରିଥିଲା, ପ୍ରାଣ ହରାଇଥିବା ମସୁଦ ଆଝାର ପରିବାରର ୧୦ ଜଣ ସଦସ୍ୟ ଓ ୪ ଜଣ ସହଯୋଗୀଙ୍କ ମଧ୍ୟରେ ଜାମୀଲ ଥିବା ସ୍ପଷ୍ଟ ହୋଇଛି।
୩- ମହମ୍ମଦ ୟୁସୁଫ ଆଝାର: ଜୈଶର ଆଉ ଜଣେ କୁଖ୍ୟାତ ଆତଙ୍କବାଦୀ ହେଲା ୟୁସୁଫ ଆଝାର ଓରଫ ଉସ୍ତାଦ ଜୀ ଓରଫ ମହମ୍ମଦ ସଲିମ। ସେ ମଧ୍ୟ ମସୁଦ ଆଝାରର ଭିଣୋଇ। ଜୈଶରେ ଆତଙ୍କବାଦୀଙ୍କୁ ଯୁଦ୍ଧାସ୍ତ୍ର ଚଳାଇବାର ତାଲିମ ସେ ଦେଉଥିଲା। ଜମ୍ମୁ-କଶ୍ମୀରରେ ହୋଇଥିବା ଏକାଧିକ ଆତଙ୍କବାଦୀ ହମଲାରେ ସେ ସାମିଲ ଥିଲା। ୧୯୯୯ ମସିହା ଆଇସି-୮୧୪ ବିମାନ ଅପହରଣ ବା କାନ୍ଦାହର ଅପହରଣ ହମଲାରେ ବି ସେ ସାମିଲ ଥିଲା।
୪- ଅବୁ ଆକାଶ: ଲସ୍କର-ଇ-ତାଏବାର ଅନ୍ୟତମ କୁଖ୍ୟାତ ଆତଙ୍କବାଦୀ ହେଉଛି ଅବୁ ଆକାଶ ଓରଫ ଖାଲିଦ। ଜମ୍ମୁ-କଶ୍ମୀରରେ ହୋଇଥିବା ଅନେକ ଆତଙ୍କବାଦୀ ହମଲାରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଲସ୍କର ପାଇଁ ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅପରେସନ ସିନ୍ଦୂରରେ ସେ ପ୍ରାଣ ହରାଇବା ପରେ ତା’ର ଅନ୍ତିମ ସଂସ୍କାରର ପାକିସ୍ତାନର ଫୈସଲାବାଦରେ ହୋଇଥିଲା।
୫- ମହମ୍ମଦ ହାସନ ଖାନ: ବ୍ୟାନ ହୋଇଥିବା ଜୈଶର ଆଉ ଜଣେ ଆତଙ୍କୀ ହେଉଛି ମହମ୍ମଦ ହାସନ ଖାନ। ମେ’ ୭ରେ ପ୍ରାଣ ହରାଇଥିବା ଶତାଧିକ ଆତଙ୍କବାଦୀ ମଧ୍ୟରେ ହାସନ ଖାନ ରହିଥିଲା। ସେ ମୁଫତି ଅସଘର ଖାନ କଶ୍ମୀରର ପୁଅ। ଅସଘର ପାକିସ୍ତାନ ଅଧିକୃତ କଶ୍ମୀରରେ ଲସ୍କରର ଅପରେସନାଲ କମାଣ୍ଡର ଭାବେ କାମ କରୁଛି। ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାରେ ସେ ସହଯୋଗ କରେ।