ସେବା ଓ ସମର୍ପଣର ଏକ ଜୀବନ୍ତ ଚରିତ୍ର

ଗରିବ ଆବହେଳିତ ଲୋକଙ୍କର ସେବା କରିବା ପାଇଁ ଯଦି ଇଚ୍ଛା ଥିବ, ଯନ୍ତ୍ରଣାରେ ଜର୍ଜରିତ ରୋଗୀର ଯନ୍ତ୍ରଣା ଉପଶମ ପାଇଁ ଯଦି ମନୋବୃତ୍ତି ଥିବ ତେବେ ସେଠି ବିଶାଳକାୟ ଅଟ୍ଟାଳିକା, ଏସି କ୍ୟାବିନ୍‌, ଅତ୍ୟାଧୁନିକ ଯନ୍ତ୍ରପାତି ଏସବୁ ତୁଚ୍ଛ ପାଲଟିଯାଏ । ବରଗଡ ଜିଲ୍ଲା ଗାଈସିଲାଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜୁବାଖୋଲ ଗାଁ ଦାଣ୍ଡ କିଛି ସମୟ ପାଇଁ ପାଲଟିଗଲା ହସ୍ପିଟାଲର କ୍ୟାମ୍ପସ ଆଉ କାରଟି ହୋଇଗଲା ଅସ୍ଥାୟୀ କ୍ଲିନିକ୍ ଆଉ ଦଉଡି ଖଟିଆରେ ବସି ରୋଗୀ ଦେଖି ଚାଲିଥିଲେ ଡାକ୍ତର ବାବୁ । ହଁ ମ ସେଇ ଡାକ୍ତର ଯାହାକୁ ସାରା ଓଡିଶା ଟଙ୍କିକିଆ ଡାକ୍ତର ଭାବେ ଜାଣେ । ଡକ୍ଟର ରାମ ଚନ୍ଦାନୀ ।

ଅନେକ ବିପରୀତ ପରିସ୍ଥିତିରେ ବି ରୋଗୀସେବା ଛାଡିନଥିବା ଡାକ୍ତର ରାମଚନ୍ଦାନୀ, ପାହାଡ ଜଙ୍ଗଲ ଘେରା ଯୁବାଖୋଲ ଗ୍ରାମରେ ପହଁଚିଥିଲେ ରୋଗୀ ସେବା ପାଇଁ, ଯେଉଁମାନଙ୍କ ପାଖରେ ଚିକିତ୍ସା ସେବା ପହଁଚିବା ଏକ ଦୁରୁହ ବ୍ୟାପାର । ଡାକ୍ତର ରାମ ଚନ୍ଦାନୀ ପ୍ରାୟତ ନିଜ ଗାଁ କୁ ଆସିଲେ ଆଖପାଖ ଅଂଚଳରେ ବୁଲିବୁଲି ରୋଗୀ ସେବା କରନ୍ତି । କେବେ ବିଲ ଭିତରୁ ଲୋକଙ୍କୁ ଡାକି ତାଙ୍କ ସ୍ୱାସ୍ଥ୍ୟର ଚିକିତ୍ସା କରନ୍ତି ତ ଆଉ କେବେ ଘରେ ଥିବା ମହିଳା ଓ ଛୋଟ ପିଲାମାନଙ୍କ ପାଖରେ ପହଁଚି ସେମାନଙ୍କୁ ସ୍ୱାସ୍ଥ୍ୟର ଯନ୍ତ୍ର ନେବାକୁ ପରାମର୍ଶ ଦିଅନ୍ତି । ଅନେକଙ୍କ ପାଇଁ ଏଭଳି ଦୃଶ୍ୟ ନୂଆ ହୋଇପାରେ କିନ୍ତୁ ଡାକ୍ତର ରାମଚନ୍ଦାନୀଙ୍କ ପାଇଁ ଇଏ ନିତି ଦିନିଆ ଘଟଣା ।

ସେବା ଓ ସମର୍ପଣର ଜୀବନ୍ତ ଚରିତ୍ରଟିଏ । ବେଳେବେଳେ ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗିପଡେ କିନ୍ତୁ ପୁଣି ରେଗୀର ଯନ୍ତ୍ରଣାଭରା ଡାକ ଶୁଣିରେ ହାତରେ ଷ୍ଟେଥୋସକୋପ୍ ଧରି ବାହାରିପଡେ ସେମାନଙ୍କ ସେବା କରିବାକୁ । ଜୀବନର ମନ୍ତ୍ର ହେଉଛି ନିଜେ ଖୁସିରେ ବଞ୍ଚିବା ଆଉ ଅନ୍ୟକୁ ଖୁସିରେ ବଞ୍ଚିବାକୁ ସୁଯୋଗ ଦେବା ହେଲେ ରାମ ଚନ୍ଦାନୀଙ୍କ ଭଳି କିଛି ମଣିଷ ଆଉ ଦୁଇ ପାଦ ଆଗକୁ ଯାଇ ଚିନ୍ତା କରନ୍ତି ଠିକ୍ ସେଇ ଦୃଷ୍ଟିବାଧିତ ସନ୍ଥ କବି ଭଳି ଯିଏ କହିଥିଲେ…“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ।”

Digital Griot