Live Odisha Tv

୨ଶହ ଦେଶରେ ପାଳିତ ହେଲା ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ

ଭୁବନେଶ୍ୱର : ଜୁନ୍‍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ୩୦ଟି ଜିଲ୍ଲା ସଦର ମହକୁମା ସମେତ ୩୫ଟି ସହର ତଥା ପ୍ରତ୍ୟେକ ବ୍ଲକ୍‍ ଏବଂ ୬୫୦୦ ପଞ୍ଚାୟତରେ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ଥିଲା ‘ଲେଟ୍‍ସ ଏଓଜି’। ଆର୍ଟ ଅଫ୍‍ ଗିଭିଂ ହେଉଛି ନିରାଧାର ଅଭ୍ୟାସ ଯେଉଁଥିରେ ନିସ୍ୱାର୍ଥପରତା, କୃତଜ୍ଞତା, ପ୍ରଶଂସା, ଦୟା, ସମବେଦନା, ଖୁସି, ବନ୍ଧୁତ୍ୱ ଓ ବିନମ୍ରତା ଭାବ ଭରି ରହିଥାଏ। ଅନ୍ୟମାନଙ୍କ ସହ ଆଦାନ ପ୍ରଦାନରେ ଜଣେ ଜୀବନର ସବଠୁ ବଡ଼ ଆନନ୍ଦ ଲାଭ କରିଥାଏ। ଏବେ ସମଗ୍ର ବିଶ୍ୱରେ ଆର୍ଟ ଅଫ୍‍ ଗିଭିଂର ୨ କୋଟିରୁ ଊର୍ଦ୍ଧ୍ୱ ଅନୁଗାମୀ ଓ ୧ କୋଟି ସଦସ୍ୟ ଏହାର ବାର୍ତ୍ତା ବର୍ଷ ତମାମ ପ୍ରଚାର ଓ ପ୍ରସାର କରୁଛନ୍ତି। ବିଶ୍ୱର ୨୦୦ଟି ଦେଶରେ ଏହାର ସଂଯୋଜକ ରହିଥିବା ବେଳେ ଭାରତର ସମସ୍ତ ରାଜ୍ୟ ଓ ଓଡ଼ିଶାର ସମସ୍ତ ବ୍ଲକ୍‍ ଓ ପଞ୍ଚାୟତରେ ସଂଯୋଜକ ଅଛନ୍ତି। ପାଇବାର କୌଣସି ଆଶା ନ ରଖି ଅନ୍ୟକୁ ବିଭିନ୍ନ ଭାବରେ ଦାନ କରିବାର ଦର୍ଶନ ଉପରେ ଏହା ପର୍ଯ୍ୟବେସିତ। ଏଥିପାଇଁ ସମାଜର ବିଭିନ୍ନ ବର୍ଗର କୋଟି କୋଟି ଲୋକ ଏଥିରେ ଅନୁପ୍ରାଣିତ ହୋଇ ‘ଆର୍ଟ ଅଫ୍‍ ଗିଭିଂ’ ଅଭିଯାନରେ ସାମିଲ ହୋଇଛନ୍ତି । ଜଣେ ବ୍ୟକ୍ତିର କାର୍ଯ୍ୟ କିପରି ଏକ ସୁନ୍ଦର ବିଶ୍ୱ ସୃଷ୍ଟି ପାଇଁ ପ୍ରଭାବ ପକାଇଥାଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ‘ଆର୍ଟ ଅଫ୍‍ ଗିଭିଂ’ ବୋଲି ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି। ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଖୁସିର ପ୍ରସାର, ଯେଉଁଠି ଯେତେବେଳେ ଆବଶ୍ୟକ ସେଇଠି ସେହି ସମୟରେ ଅନ୍ୟକୁ ସହଯୋଗର ହାତ ବଢ଼ାଇବା ଏବଂ ସମସ୍ତଙ୍କ ସହ ବନ୍ଧୁତା ସ୍ଥାପନ କରିବା ତଥା ସମସ୍ତଙ୍କୁ ଆଦର କରିବା ହେଉଛି ଆର୍ଟ ଅଫ୍‍ ଗିଭିଂର ଉଦ୍ଦେଶ୍ୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ପାଇଁ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କର ଏହି ସ୍ୱତନ୍ତ୍ର ଓ ଅଭିନବ ପ୍ରୟାସ ୨୦୧୩ ମସିହା ମେ ୧୭ ତାରିଖଠାରୁ ଆରମ୍ଭ କରାଯାଇଥିଲା। ସେହିବର୍ଷଠାରୁ ପ୍ରତିବର୍ଷ ମେ ୧୭ ତାରିଖରେ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ଦିବସ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ଭାବେ ପାଳିତ ହୋଇଆସୁଛି। ଚଳିତବର୍ଷ ନିର୍ବାଚନ ହେତୁ ଏହା ଜୁନ୍‍ ୧୭ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ମାତ୍ର ୫ ବର୍ଷ ବୟସରେ ପିତାଙ୍କୁ ହରାଇ ନିଜେ ଅଭାବ ମଧ୍ୟରେ ଥାଇ ଶ୍ରୀ ସାମନ୍ତ ପିଲାଦିନରୁ ଅନ୍ୟକୁ ଭଲ ପାଇବାର ପ୍ରୟାସ କରିଆସୁଥିଲେ। ବାଲ୍ୟଜୀବନରୁ ଛୋଟ ଛୋଟ କାମ କରି ସେ ପାଉଥିବା ସାମାନ୍ୟ ଅର୍ଥରେ ଗାଁର ଅନ୍ୟ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରିବାକୁ ଭୁଲୁ ନ ଥିଲେ। ଏହାର ପ୍ରତିଫଳନ ସ୍ୱରୂପ ଜନ୍ମ ନେଇଥିଲା ଆର୍ଟ ଅଫ୍‍ ଗିଭିଂ।

Digital Griot