ଥିରୁଭନନ୍ତପୁରମ୍ : ସୌର ସ୍କାମ ସହ ଜଡିତ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି ମିଡିଆ ବିରୋଧରେ ମକଦ୍ଦମା ଦାଏର କରାଯାଇ ପାରିବ ନାହିଁ । ରାୟରେ କେରଳ ହାଇକୋର୍ଟ ଷ୍ଟିଙ୍ଗ୍ ଅପରେସନ୍ କରିଥିବା ଦୁଇଜଣ ଟିଭି ସାମ୍ବାଦିକ ବିରୋଧରେ ଆରମ୍ଭ ହୋଇଥିବା ଅପରାଧିକ ମାମଲାକୁ ବନ୍ଦ କରିଦେଇଛନ୍ତି। ଏହା ସହିତ କୋର୍ଟ କହିଛନ୍ତି ଯେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ମିଡିଆ ରହିବା ଆବଶ୍ୟକ । କୋର୍ଟ ତାଙ୍କ ବିରୋଧରେ ଏଭଳି ମାମଲା ଦାୟର କରିପାରିବ ନାହିଁ।
ଜଷ୍ଟିସ୍ ପି.ଭି କୁହ୍ନିକ୍ରିଷ୍ଣନ୍ ଏହି ମାମଲାରେ କହିଛନ୍ତି ସରକାରଙ୍କ କାର୍ଯ୍ୟକଳାପ ବିଷୟରେ ରିପୋର୍ଟ କରିବା କିମ୍ବା ଷ୍ଟିଙ୍ଗ୍ ଅପରେସନ୍ କରିବା ପ୍ରେସ୍ ର ଏକ ଅଂଶ କାରଣ ଜନସାଧାରଣଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା ସେମାନଙ୍କର କର୍ତ୍ତବ୍ୟ ଏବଂ ଏହା ସଚ୍ଚୋଟ ଭାବରେ ପୂରଣ ହେବା ଉଚିତ୍। ଏଥିରେ ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ ।
ଜଷ୍ଟିସ୍ କୁହ୍ନିକ୍ରିଷ୍ଣନ୍ ତାଙ୍କ ରାୟରେ ଲେଖିଛନ୍ତି, ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଚତୁର୍ଥସ୍ତମ୍ଭ ଜରୁରୀ ଅଟେ। ଏହା ନିଶ୍ଚିତ କରେ ଯେ କ୍ଷମତାର ଅପବ୍ୟବହାର ଯେପରି ନ ହେବ ଏବଂ ନାଗରିକମାନେ ଗଣତାନ୍ତ୍ରିକ ପ୍ରକ୍ରିୟା ବିଷୟରେ ଭଲ ଭାବରେ ଅବଗତ ହେବେ । ଚତୁର୍ଥସ୍ତମ୍ଭ କାମ କରୁଛି କି ନାହିଁ ଏବଂ ନୀତିଗୁଡିକ ଅନୁସରଣ କରୁଛି କି ନାହିଁ ତାହା ଏକ ଭିନ୍ନ ବିଷୟ ।
ଚତୁର୍ଥସ୍ତମ୍ଭ ଦ୍ୱାରା ବ୍ୟବହୃତ ଏହିପରି ଗୋଟିଏ ପଦ୍ଧତି ହେଉଛି ଷ୍ଟିଙ୍ଗ୍ ଅପରେସନ୍ । କୋର୍ଟ କହିଛନ୍ତି ଗଣମାଧ୍ୟମ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ବାରା କରାଯାଇଥିବା ଏହି ପରି ଷ୍ଟିଙ୍ଗ୍ ଅପରେସନ୍ ଆଇନଗତ ଭାବରେ ବିବେଚନା କରାଯାଇପାରିବ କି ନାହିଁ ତାହା କେସ୍–କେସ୍ ଭିତ୍ତିରେ ନିଷ୍ପତ୍ତି ନିଆଯିବା ଉଚିତ୍। କିନ୍ତୁ ଯଦି ସତ୍ୟ ଜାଣିବା ଉଦ୍ଦେଶ୍ୟରେ ଏକ ଷ୍ଟିଙ୍ଗ୍ ଅପରେସନ୍ କରାଯାଏ ସେଥିରେ ବାଧା ଦେବା ଉଚିତ୍ ନୁହେଁ।
ଏହା ସହିତ କୋର୍ଟ ଦୁଇ ସାମ୍ବାଦିକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ସହ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ପ୍ରକ୍ରିୟାକୁ ଖାରଜ କରି ଦେଇଛନ୍ତି। ଦୁଇ ସାମ୍ବାଦିକ ସୌର ସ୍କାମ ମାମଲାରେ ଜେଲରେ ଥିବା ଜଣେ ସାକ୍ଷୀଙ୍କ ଉପରେ ଷ୍ଟିଙ୍ଗ ଅପରେସନ କରିଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ତାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର କରାଯାଇଥିଲା। ଯାହାକୁ ଖାରଜ କରିବାକୁ ହାଇକୋର୍ଟରେ ଦାବି କରାଯାଇଥିଲା।