Live Odisha Tv

ୱାକଫ୍ ଆଇନରେ ସଂଶୋଧନ ହେବାର ସମ୍ଭାବନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ସପ୍ତାହରେ ୱାକଫ୍ ବୋର୍ଡର କ୍ଷମତା ଏବଂ କାର୍ଯ୍ୟକାରିତାରେ ସଂଶୋଧନ ସମ୍ବନ୍ଧୀୟ ଏକ ବିଲ୍ ସଂସଦରେ ଆଗତ କରିପାରନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୋଦୀ ସରକାର କୌଣସି ସମ୍ପତ୍ତିକୁ ‘ଓ୍ଵାକଫ୍ ସମ୍ପତ୍ତି’ କରିବା ନେଇ ପରିବର୍ତ୍ତନ ଆଣିପାରନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ କ୍ୟାବିନେଟ୍ ୱାକଫ୍ ଆଇନରେ ପ୍ରାୟ ୪୦ଟି ସଂଶୋଧନକୁ ଅନୁମୋଦନ କରିଛି।

ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୱାକଫ୍ ବୋର୍ଡ ଦ୍ୱାରା କରାଯାଇଥିବା ସମ୍ପତ୍ତି ଉପରେ ଦାବିକୁ ବାଧ୍ୟତାମୂଳକ ଭାବେ ଯାଞ୍ଚ କରିବାକୁ ପ୍ରସ୍ତାବ ଦିଆଯିବ। ସେହିଭଳି ଓ୍ଵାକଫ୍ ବୋର୍ଡର ବିବାଦୀୟ ସମ୍ପତ୍ତି ପାଇଁ ବାଧ୍ୟତାମୂଳକ ଯାଞ୍ଚ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ସପ୍ତାହରେ ସଂସଦରେ ୱାକଫ୍ ଆଇନରେ ସଂଶୋଧନ ପାଇଁ ଏକ ବିଲ୍ ଆଗତ ହେବାର ସମ୍ଭାବନା ରହିଛି।

ଏହି ସଂଶୋଧନର ସିଧାସଳଖ ପ୍ରଭାବ ଉତ୍ତରପ୍ରଦେଶ ଭଳି ଅଞ୍ଚଳରେ ପଡ଼ିବ, ଯେଉଁଠାରେ ଓ୍ଵାକଫ୍ ବୋର୍ଡ ବହୁତ ସକ୍ରିୟ ଅଛି ଏବଂ ଏଥିରେ ବହୁତ ଜମି ମଧ୍ୟ ରହିଛି। ୨୦୧୩ରେ ୟୁପିଏ ସରକାର ମୂଳ ଆଇନରେ ସଂଶୋଧନ ଆଣି ଓ୍ଵାକଫ୍ ବୋର୍ଡକୁ ଅଧିକ କ୍ଷମତା ଦେଇଥିଲେ। ଓ୍ଵାକଫ୍ ବୋର୍ଡର ପ୍ରାୟ ୮.୭ ଲକ୍ଷ ସମ୍ପତ୍ତି ଥିବା ବେଳେ ମୋଟ ୯.୪ ଲକ୍ଷ ଏକର ଜମି ରହିଛି। ଓ୍ଵାକଫ୍‌ ପକ୍ଷରୁ ‘ଓକାଫ୍’ କୁ ନିୟନ୍ତ୍ରଣ କରିବା ପାଇଁ ଓ୍ଵାକଫ୍ ଆଇନ, ୧୯୯୫ ପ୍ରଣୟନ କରାଯାଇଥିଲା।

ଏହା ପୂର୍ବରୁ ରାଜ୍ୟ ୱାକଫ ବୋର୍ଡଗୁଡ଼ିକୁ କୌଣସି ସମ୍ପତ୍ତି ଉପରେ ଦାବି କରିବା ପାଇଁ ଦିଆଯାଇଥିବା ସମ୍ପୂର୍ଣ୍ଣ କ୍ଷମତା ଏବଂ ଅଧିକାଂଶ ରାଜ୍ୟରେ ଏଭଳି ସମ୍ପତ୍ତି ସର୍ଭେ ରେ ବିଳମ୍ବକୁ ସରକାର ଗୁରୁତ୍ୱ ଦେଇଥିଲେ। ଓ୍ଵାକଫ୍ ସମ୍ପତ୍ତିର ଅପବ୍ୟବହାର ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ନିରୀକ୍ଷଣରେ ସାମିଲ କରିବାର ସମ୍ଭାବନା ଉପରେ ମଧ୍ୟ ସରକାର ବିଚାର କରିଥିଲେ। ସୂତ୍ରରୁ ପ୍ରକାଶ ଯେ ଆପିଲ ପ୍ରକ୍ରିୟାରେ ଥିବା ତ୍ରୁଟିଗୁଡ଼ିକର ମଧ୍ୟ ଅନୁସନ୍ଧାନ ଚାଲିଛି।

Digital Griot