Live Odisha Tv

ଅଚ୍ୟୁତ ସାମନ୍ତଙ୍କୁ ମହାତ୍ମା ସମ୍ମାନ ୨୦୨୪

ଭୁବନେଶ୍ୱର : ଶିକ୍ଷାବିତ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନଜନକ ମହାତ୍ମା ପୁରସ୍କାର ପ୍ରଦାନ କରାଯାଇଛି । ମଙ୍ଗଳବାର ନୂଆଦିଲ୍ଲୀଠାରେ ବିର୍ଲା ଗ୍ରୁପ୍‍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ଶ୍ରୀ ସାମନ୍ତଙ୍କୁ ମହାତ୍ମା ପୁରସ୍କାର ପ୍ରଦାନ କରାଯାଇଛି ।

ପ୍ରତିବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ପ୍ରଦାନ କରାଯାଇଥାଏ ମହାତ୍ମା ପୁରସ୍କାର । ଏହି ଅବସରରେ ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଭାରତର ବିଶିଷ୍ଟ ସିଏସଆର୍ ମ୍ୟାନ କୁହାଯାଉଥିବା ଅମିତ ସଚଦେବାଙ୍କ ଉଦ୍ୟମରେ ଏହି ମହାତ୍ମା ସମ୍ମାନ ଆରମ୍ଭ କରାଯାଇଥିଲା । ସମାଜର ବିକାଶମୂଳକ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ୨୦୧୬ରୁ ଦିଆଯାଇ ଆସୁଥିବା ଏହି ସମ୍ମାନ ରତନ ଟାଟା, ଅଜିମ ପ୍ରେମଜୀ, ବିନ୍ଦେଶ୍ୱର ପାଠକ, ସବାନା ଆଜମୀଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନକୁ ପ୍ରଦାନ କରାଯାଇଛି ।

ଏହି ସମ୍ମାନ ପ୍ରଦାନ ପାଇଁ ଏକ ଚୟନ କମିଟି ରହିଛି । ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଦୀର୍ଘ ୩୩ ବର୍ଷ ଧରି ଅଚ୍ୟୁତ ସାମନ୍ତ ଶିକ୍ଷା ଓ ସମାଜସେବାରେ ନିଜକୁ ନିୟୋଜିତ କରିଆସିଛନ୍ତି । ଜନଜାତି ଓ ସମାଜର ଅବହେଳିତ ବର୍ଗଙ୍କ ବିକାଶ ତଥା ସମାଜରେ ଅସମାନତା ଦୂର ନେଇ ମହାତ୍ମା ଗାନ୍ଧୀଙ୍କ ଯେଉଁ କାର୍ଯ୍ୟଧାରା ଥିଲା କିସ୍ ଜରିଆରେ ଶ୍ରୀ ସାମନ୍ତ ସେହି କାର୍ଯ୍ୟକୁ ଗତ ତିନି ଦଶନ୍ଧୀ ଧରି ତ୍ୱରାନ୍ୱିତ କରିଆସୁଛନ୍ତି । ତାଙ୍କର ଏହି ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ପାଇଁ ତାଙ୍କୁ ଆଜି ମହାତ୍ମା ସମ୍ମାନ ପ୍ରଦାନ କରାଯାଇଛି ।

ଆଜି ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ସୁଧା ମୂର୍ତ୍ତିି, ଓଡ଼ିଶୀ ଓ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ଓ ଗୁରୁ ସୋନାଲ ମାନସିଂହଙ୍କ ଭଳି ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ଏହି ସମ୍ମାନ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାଜଶ୍ରୀ ବିର୍ଲା ଓ ପୁଡୁଚେରୀର ପ୍ରାକ୍ତନ ଲ୍ୟୁଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ ପ୍ରମୁଖ ଉପସ୍ଥିତ ଥିଲେ । ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସିଏସଆର୍ ଗୁଡ଼ ବୁକ୍ ସମ୍ପାଦକ ତଥା ମହାତ୍ମା ଆୱାର୍ଡ ନିର୍ଦ୍ଦେଶକ ମୁଗଧା ଆରୋରା ଏବଂ ଆୟୋଜକ କମିଟିକୁ କୃତଜ୍ଞତା ଜଣାଇଛନ୍ତି । ଏହି ସମ୍ମାନକୁ ଶ୍ରୀ ସାମନ୍ତ କିଟ୍ ଓ କିସ୍ ପରିବାରକୁ ଉତ୍ସର୍ଗ କରିଛନ୍ତି ।

Digital Griot