| |

ବିଜେପି ସଙ୍କଳ୍ପ ପତ୍ରରେ ମହିଳାଙ୍କୁ ଗୁରୁତ୍ୱ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ତା’ର ନିର୍ବାଚନୀ ଇସ୍ତାହାର ବା ସଙ୍କଳ୍ପ ପତ୍ର ଘୋଷଣା କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ସଙ୍କଳ୍ପ ପତ୍ର ଜାରି କରିଛନ୍ତି। ଏଥିରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ପାଇଁ ଦଳ ପୂରା ହାତ ଖୋଲି ଦେଇଛି। ବିଜେପି ତା’ର ସଙ୍କଳ୍ପ ପତ୍ରରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳା ସମୃଦ୍ଧି ଯୋଜନାରେ ଏହି ଅର୍ଥ ଦିଆଯିବ। ଦିଲ୍ଲୀରେ ବିଜେପି ସରକାର ଗଠନ କଲେ, ପ୍ରଥମ କ୍ୟାବିନେଟ ବୈଠକରେ ଏହା ଉପରେ ମୋହର ମରାଯିବ ବୋଲି କହିଛନ୍ତି ଜେ.ପି ନଡ୍ଡା। ସୂଚନାଯୋଗ୍ୟ, ଆପ୍ ପ୍ରତି ମାସରେ ମହିଳାଙ୍କୁ ୨୧୦୦ ଟଙ୍କା ଦେବାକୁ ଘୋଷଣା କରିଥିବା ବେଳେ କଂଗ୍ରେସ ‘ପ୍ୟାରୀ ଦିଦି ଯୋଜନା’ରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି।

ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ଦେବାକୁ ଦଳ ଘୋଷଣା କରିଛି। ଏହା ସହିତ ସେମାନଙ୍କୁ ୬ଟି ପୁଷ୍ଟିକର କିଟ୍‌ ଦିଆଯିବ। କେବଳ ଏତିକି ନୁହେଁ, ପିଏମ୍ ମାତୃତ୍ୱ ବନ୍ଦନ ଯୋଜନାରେ ମହିଳାମାନଙ୍କୁ ସେମାନଙ୍କ ପ୍ରଥମ ସନ୍ତାନ ପାଇଁ ୫୦୦୦ ଟଙ୍କା ଓ ଦ୍ୱିତୀୟ ସନ୍ତାନ ପାଇଁ ୬୦୦୦ ଟଙ୍କା ଦେବାକୁ ଦଳ କରିଛି ଘୋଷଣା। ଦିଲ୍ଲୀର ଗରିବ ମହିଳାଙ୍କୁ ୫୦୦ ଟଙ୍କା ସବ୍‌ସିଡିରେ ଏଲ୍‌ପିଜି ସିଲିଣ୍ଡର ଯୋଗାଇ ଦିଆଯିବ। ହୋଲି ଓ ଦୀପାବଳି ଅବସରରେ ସେମାନଙ୍କୁ ମାଗଣାରେ ଗୋଟିଏ ଲେଖାଏଁ ଏଲ୍‌ପିଜି ସିଲିଣ୍ଡର ଦିଆଯିବ ବୋଲି ବିଜେପି ତା’ର ସଂକଳ୍ପ ପତ୍ରରେ ଘୋଷଣା କରିଛି।

ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଦିଲ୍ଲୀର ଆପ୍ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରି ନାହାନ୍ତି। ତା’ଠାରୁ ଭଲ ଯୋଜନା ସେମାନେ କାର୍ଯ୍ୟକାରୀ କରୁଥିବା ଦର୍ଶାଇ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରି ନାହାନ୍ତି। ବିଜେପି କ୍ଷମତାକୁ ଆସିଲେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବା ସହିତ ବରିଷ୍ଠ ନାଗରିକମାନଙ୍କ (୭୦ ବର୍ଷରୁ ଅଧିକ) ପାଇଁ ସେଥିରେ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରିବ ବୋଲି ଘୋଷଣା କରିଛି। ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦେଉଥିବା ବେଳେ ଦିଲ୍ଲୀରେ ବିଜେପି ସରକାର ଗଠନ କଲେ ବରିଷ୍ଠ ନାଗରିକମାନେ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପାଇବେ।

ବିଜେପି ବରିଷ୍ଠ ନାଗରିକମାନଙ୍କ ପାଇଁ ପେନ୍‌ସନ ଯୋଜନା ମଧ୍ୟ ଘୋଷଣା କରିଛି। ଏଥିରେ ୬୦-୭୦ ବୟସ ବର୍ଗର ଲୋକେ ମାସକୁ ୨୦୦୦ରୁ ୨୫୦୦ ଟଙ୍କା ପେନ୍‌ସନ ପାଇବେ। ୭୦ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ମାସିକ ୩୦୦୦ ଟଙ୍କା ପେନ୍‌ସନ୍ ପ୍ରଦାନ କରାଯିବ। ସେହିପରି ବିଧବା ଓ ଦିବ୍ୟାଙ୍ଗମାନଙ୍କୁ ଦିଆଯାଉଥିବା ସହାୟତାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଦଳ ଘୋଷଣା କରିଛି। ଦିଲ୍ଲୀର ବସ୍ତି ଅଞ୍ଚଳରେ ଅଟଳ କ୍ୟାଣ୍ଟିନ ଖୋଲାଯିବ। ଏଥିରେ ମାତ୍ର ୫ ଟଙ୍କାରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ଦଳର ସଂକଳ୍ପ ପତ୍ର ଘୋଷଣା କରିବା ଅବସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ଯେ ୨୦୨୧ ମସିହାରେ ଆପ୍ ମହିଳାମାନଙ୍କୁ ପ୍ରତିମାସରେ ୧୦୦୦ ଟଙ୍କା ଲେଖାଏଁ ଦେବ ବୋଲି ଘୋଷଣା କରିଥିଲା। କିନ୍ତୁ ଦଳ ପଞ୍ଜାବ କିମ୍ବା ଦିଲ୍ଲୀରେ ତା’ର ଏହି ପ୍ରତିଶ୍ରୁତି ପାଳନ କରୁନାହିଁ।

ଆପ୍‌ର ମୋହଲ୍ଲା କ୍ଲିନିକ୍‌ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି ଶ୍ରୀ ନଡ୍ଡା। ସେ କହିଛନ୍ତି ଯେ ଆପ୍‌ର ଏହି ମୋହଲ୍ଲା କ୍ଲିନିକ୍‌ଗୁଡ଼ିକ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ଏଥିରେ ୩୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଲେ, ଏହି ସବୁ ଅଭିଯୋଗର ତଦନ୍ତ କରାଯିବ ଓ ଯେଉଁମାନେ ଏଥିରେ ସଂପୃକ୍ତ ଥିବେ, ସେମାନଙ୍କୁ ଜେଲରେ ଭର୍ତ୍ତି କରାଯିବ। ଏହା ସହିତ ବର୍ତ୍ତମାନ ଦିଲ୍ଲୀରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ବିଜେପି ସରକାର ଆସିଲେ ମଧ୍ୟ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜେ.ପି ନଡ୍ଡା। ବିଜେପି କ୍ଷମତାକୁ ଆସିଲେ ଚଳିତ ଯୋଜନାଗୁଡ଼ିକୁ ବନ୍ଦ କରି ଦେବ ବୋଲି ଆପ୍ ନେତାମାନେ ଲୋକଙ୍କୁ କହୁଥିବା ବେଳେ ଶ୍ରୀ ନଡ୍ଡା ଏହି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସଂକଳ୍ପ ପତ୍ର ଘୋଷଣା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଫେବ୍ରୁଆରୀ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ।

Similar Posts

  • | |

    ଆଜି ଡାକ୍ତରଙ୍କ ଧର୍ମଘଟ ଜରୁରୀକାଳୀନ ସେବା ବନ୍ଦ

    କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଆଜି ଦେଶବ୍ୟାପୀ ସ୍ୱାସ୍ଥ୍ୟ ସେବା ୨୪ ଘଣ୍ଟିଆ ବନ୍ଦ ରହିବ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ଘୋଷଣା କରିଛି । ଆଇଏମଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଅଗଷ୍ଟ ୧୭ ସକାଳ ୬ଟାରୁ ୧୮ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ମଡର୍ଣ୍ଣ ମେଡିସିନର ଡାକ୍ତରମାନେ ସେମାନଙ୍କ ସେବା ପ୍ରଦାନ କରିବେ ନାହିଁ। ଡାକ୍ତରଙ୍କ ଧର୍ମଘଟ…

  • |

    ରାଜ୍ୟରେ ବନ୍ୟା ପରିସ୍ଥିତି ଆଶଙ୍କା

    ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ କମିସନର। ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳ ଉପରେ ନଜର ରଖିବା ସହ ଏନେଇ ରିପୋର୍ଟ ଦେବାକୁ କୁହାଯାଇଛି। ହୀରାକୁଦର ଆଉ ୬ଟି ଗେଟ୍‌ ଖୋଲିବା ପରେ ଫୁଲୁଛି ମହାନଦୀ। ଶାଖା ନଦୀମାନଙ୍କରେ ମଧ୍ୟ ଜଳସ୍ତର ବଢ଼ିବାରେ ଲାଗିଛି । ସକାଳ ୮ଟା…

  • |

    ପୁରୀ ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ଖାଦ୍ୟ ଅଧିକାରୀ

    ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଖାଦ୍ୟ ଅଧିକାରୀ ନିଯୁକ୍ତ ହେବେ। ଖାଦ୍ୟ ଅଧିକାରୀ ମହାପ୍ରସାଦ, ଶୁଖିଲି ଭୋଗର ମାନ ଯାଞ୍ଚ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରି ରହିବ। ରାଜ୍ୟ ସରକାରଙ୍କ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଦ୍ୱାଦଶ ଶତାବ୍ଦୀର ଶ୍ରୀକ୍ଷେତ୍ରରେ ବ୍ୟବହୃତ ଘିଅର ଗୁଣବତ୍ତା ଏବଂ ‘ଭୋଗ’ରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଖାଦ୍ୟ ଅଧିକାରୀ ଯାଞ୍ଚ…

  • |

    ଇସ୍ରାଏଲ ଉପରେ ଇରାନର ଆକ୍ରମଣ

    ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ବିବାଦ ଶେଷରେ ଭୟଙ୍କର ରୂପ ନେଇଛି। ଆଜି ଇସ୍ରାଏଲ ଉପରେ ୪୦୦ରୁ ଅଧିକ ମସାଇଲ ଓ ରକେଟ ମାଡ଼ କରିଛି ଇରାନ। ପୂରା ଇସ୍ରାଏଲରେ ଆକ୍ରମଣ ଘଣ୍ଟି ବାଜିବା ସହ ସ୍ଥିତି ବେହାଲ ହୋଇଛି। ରକେଟ ଆଟାକ ପରେ ପୂରା ଇସ୍ରାଏଲର ଲୋକ ବୋମା ଶେଲଟରକୁ ଚାଲି ଯାଇଛନ୍ତି। ଇସ୍ରାଏଲ ଆକାଶରେ ଇରାନରେ ମିସାଇଲ ଓ ରକେଟ ପ୍ରବେଶ କରିବା କ୍ଷଣି ଇସ୍ରାଏଲ ପକ୍ଷରୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି। ଲୋକମାନଙ୍କୁ ବୋମା ପ୍ରତିହିତ…

  • | |

    ପଦୋନ୍ନତିର ପର ଦିନ ଭିଜିଲାନ୍ସ ଚଢ଼ାଉ

    ବାଲେଶ୍ୱର ଜଳସେଚନ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କୁ ଗୁରୁବାର ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଇଞ୍ଜିନିୟର ଭାବେ ଦିଆଯାଇଥିଲା ପଦୋନ୍ନତି। କିନ୍ତୁ ପଦୋନ୍ନତି ମିଳିବାର ପର ଦିନ ତାଙ୍କର ୭ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ପ୍ରଭାସ କୁମାର ପ୍ରଧାନ ଅର୍ଜନ କରିଥିବା ସଂପତ୍ତି ଲୋକଲୋଚନକୁ ଆସିଛି। ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଭାସ କୁମାର ପ୍ରଧାନ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ୮୫ଟି…

  • |

    ଶ୍ରୀବାଣୀ କ୍ଷେତ୍ରରେ ଘୋଷଯାତ୍ରା

    ଭୁବନେଶ୍ୱର : ପ୍ରତିବର୍ଷ ପରି କିସ୍ ଶ୍ରୀବାଣୀ କ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଯାଇଛି। ଆଜି ପୂର୍ବାହ୍ନରେ ମଙ୍ଗଳ ଆରତି, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା ଓ ରଥ ପ୍ରତିଷ୍ଠା ଆଦି ନୀତିକାନ୍ତି ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସଂପନ୍ନ ହେବା ପରେ କିଟ୍‍ ମନ୍ଦିର ଟ୍ରଷ୍ଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅପରାହ୍ନ ୩ଟାରେ ଛେରା ପହଁରା ନୀତି ସଂପନ୍ନ ହୋଇଥିଲା। ଅପରାହ୍ନ ୪ଟା ସମୟରେ ଭକ୍ତମାନେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ…

Leave a Reply

Your email address will not be published. Required fields are marked *