| |

ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୨.୭ ଡିଗ୍ରି

ଭୁବନେଶ୍ବର: ରାଜ୍ୟରେ ଆଜି ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ସମ୍ବଲପୁରରେ ୪୨.୭ ଡିଗ୍ରି ପାରା ଚଢ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ହୀରାକୁଦରେ ଆଜି ତାପମାତ୍ରା ୪୧.୭ ଡିଗ୍ରି, ଝାରସୁଗୁଡ଼ାରେ ୪୧.୬ ଡିଗ୍ରି, ଭୁବନେଶ୍ୱରରେ ୪୦.୨ ଡିଗ୍ରି, ବାଲେଶ୍ୱରରେ ୩୯.୭ ଡିଗ୍ରି, ରାଉରକେଲାରେ ୩୯.୬ ଡିଗ୍ରି ଓ ଚାନ୍ଦବାଲିରେ ୩୯.୪ ଡିଗ୍ରି ରେକର୍ଡ ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୦.୨ ଡିଗ୍ରି ରେକର୍ଡ କରାଯାଇଛି l ଗତବର୍ଷ ଅପ୍ରେଲ ୫ରେ ୪୦ଡ଼ିଗ୍ରି ଅତିକ୍ରମ କରିଥବା ବେଳେ ଅପ୍ରେଲ ମାସରେ ୧୦ରୁ ଅଧିକ ଥର ୪୦ ଡ଼ିଗ୍ରି ଅତିକ୍ରମ କରିଥିଲା l ଚଳିତ ବର୍ଷ କାଳବୈଶାଖୀର ପ୍ରଭାବ ହେତୁ ତାପମାତ୍ରା କମ ଥିଲା ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ କହିଛନ୍ତି।

ରାଜ୍ୟରେ ଆଜି ପୂର୍ବଦିନଗୁଡ଼ିକର ତୁଳନାରେ ପ୍ରବଳ ଖରା ହୋଇଛି। ସକାଳ ୮ଟା ପରେ ସ୍ଥିତି ଅସମ୍ଭାଳ ହୋଇଛି। ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଘରୁ ବାହାରିବା ଅସହଜ ଥିଲା। ରାସ୍ତାଘାଟଗୁଡ଼ିକ ଖାଁଖାଁ ଲାଗୁଥିଲା। ପଶ୍ଚିମଓଡ଼ିଶାର ସହରଗୁଡ଼ିକରେ ଅଧିକ ଖରା ଅନୁଭୂତ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର ଛୁଇଁ କେରଳ ଛୁଇଁପାରେ। ଏହା ଆସନ୍ତା ୨୭  ତାରିଖରେ କେରଳ ପହଞ୍ଚିପାରେ ବୋଲି ଅନୁମାନ କରାଯାଉଛି। ସାଧାରଣତଃ ମୌସମୀ ବାୟୁ  ଜୁନ୍‌ ୧ ପର୍ଯ୍ୟନ୍ତ କେରଳରେ ପହଞ୍ଚିଥାଏ। କିନ୍ତୁ ଚଳିତ ଥର  ମୌସୁମୀ  ଶୀଘ୍ର  କେରଳ ପହଞ୍ଚିବ ବୋଲି ଅନୁମାନ ହୋଇଛି। ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ପ୍ରଥମ ଥର ହେବ। କାରଣ ୨୦୦୯ରେ ମୌସୁମୀ କେରଳରେ  ୨୩ ମେ’ରେ ପହଞ୍ଚିଥିଲା।

ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍‌ ୧ରେ କେରଳରେ ପହଞ୍ଚିବା ପରେ ଜୁଲାଇ ୮ ପର୍ଯ୍ୟନ୍ତ ସାରା ଭାରତରେ ବର୍ଷା ହୋଇଯାଇଥାଏ।। ୧୭ ସେପ୍ଟେମ୍ବରରେ ମୌସୁମୀ  ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ହଟି ଯାଇଥାଏ।  ଅକ୍ଟୋବର ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଭାରତର ଉତ୍ତର ପଶ୍ଚିମ ଅଞ୍ଚଳରୁ ଫେରିଯାଇଥାଏ।

Similar Posts

Leave a Reply

Your email address will not be published. Required fields are marked *