ନୂଆଦିଲ୍ଲୀ: ମାରୁତି କମ୍ପାନୀ ନୂତନ କରି ଲଞ୍ଚ କରିଥିବା ଗ୍ରାଣ୍ଡ୍ ଭିଟାରା କାରକୁ ଗ୍ରାହକଙ୍କଠାରୁ ଫେରସ୍ତ କରାଇନେବ । ମାର୍କେଟରେ ବିକ୍ରି ହୋଇଥିବା ୩୯, ୦୦୦ କାର୍ ଫେରାଇ ନେବାକୁ କମ୍ପାନୀ କହିଛି । ସଦ୍ୟତମ ବଜାରକୁ ଆସିଥିବା ଏହି କାରରେ ଏକ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ମାରୁତି କମ୍ପାନୀ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ଯାନ୍ତ୍ରିକ ତ୍ରୁଟିର ସମାଧାନ କରିବା ପରେ ପୁଃନଶ୍ଚ ଗ୍ରାହକଙ୍କୁ ସେମାନଙ୍କ କାର୍ ହସ୍ତାନ୍ତର କରାଯିବ ।
ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କୁହାଯାଇଛି ଯେ ୯ ଡିସେମ୍ବର ୨୦୨୪ରୁ ୨୯ ଅପ୍ରେଲ ୨୦୨୫ ମଧ୍ୟରେ ତିଆରି ହୋଇଥିବା ଗ୍ରାଣ୍ଡ୍ ଭିଟାରା ଏସୟୁଭି ଫ୍ୟୁଲ୍ ଗେଜ୍ ଦେଖାଉଥିବା ସିଷ୍ଟମରେ କିଛି ତ୍ରୁଟି ଦେଖିବାକୁ ମିଳିଛି । ସ୍ପିଡୋମିଟର୍ ପାଖରେ ଥିବା ଫ୍ୟୁଲ ଲେବଲ୍ ଇଣ୍ଡିକେଟର୍ ( ଇନ୍ଧନ ପରିମାଣର ସଂକେତ) ଏବଂ ୱାର୍ଣ୍ଣିଂ ଲାଇଟରେ ବେଳେ ବେଳେ ଇନ୍ଧନର ସଠିକ୍ ତଥ୍ୟ ଦେଖାଉନାହିଁ । ଫଳରେ ଗାଡ଼ି ଚାଳକଙ୍କୁ ଟାଙ୍କିରେ ଥିବା ଇନ୍ଧନର ପରିମାଣ ଜଣାପଡ଼ୁନାହିଁ । ଏପରି ଏକାଧିକ ଅଭିଯୋଗ ଆସିବା ପରେ କମ୍ପାନୀ ଗାଡ଼ିର ଏହ ସମସ୍ୟାକୁ ଦୂର କରିବାକୁ ବଜାରେ ବିକ୍ରି ହୋଇଥିବା ଏବଂ ମହଜୁଦ ଥିବା ଗାଡ଼ିକୁ ଫେରସ୍ତ ନେବ । ଯେଉଁଥିରେ ପ୍ରାୟ ୩୯ ହଜାର ୫୦୬ଟି ଗାଡ଼ି ରହିଛି ।
ଏହି ପ୍ରକ୍ରିୟା ପାଇଁ କମ୍ପାନୀ ପକ୍ଷରୁ କାର୍ ଡିଲର୍ ଏବଂ ଗ୍ରାହକଙ୍କୁ ସିଧାସଳଖ ସମ୍ପର୍କ କରାଯିବ । ନିକଟସ୍ଥ ମାରୁତି ୱାର୍କସପରେ ଗାଡ଼ି ଦାଖଲ କରିବେ । ଯେଉଁଥିରେ ଟେକ୍ନିସିଆନ୍ ମାନେ ତାହାକୁ ଯାଞ୍ଚ କରିବେ, ଆବଶ୍ୟକ ପଡ଼ିଲେ ଗାଡ଼ି ବଦଳାଯିବ । ମରାମତି କାମ ସମ୍ପୂର୍ଣ୍ଣ ମାଗଣାରେ କରାଯିବ । ଭାରତରେ ଗାଡ଼ି କମ୍ପାନୀଗୁଡ଼ିକ ଏଭଳି ସ୍ୱଇଚ୍ଛାରେ ଗାଡ଼ି ଫେରସ୍ତ ନେବା ବହୁତ ମାତ୍ରାରେ ଆରମ୍ଭ ହୋଇଛି । ଗ୍ରାହକଙ୍କ ସୁରକ୍ଷା ଏବଂ ଗାଡ଼ିର କ୍ୱାଲିଟି ଉପରେ ଅଧିକ ଧ୍ୟାନ ଦିଆଯାଉଛି ।
ମାରୁତି ସୁଜୁକି ପ୍ରିମିୟମ୍ ଏହାର ଏସୟୁଭି (SUV) ଗାଡ଼ିକୁ ଦ୍ରୁତ ଗତିରେ ବିସ୍ତାର କରୁଛି। ଟୟୋଟା ସହଯୋଗରେ ବିକଶିତ ଗ୍ରାଣ୍ଡ ଭିଟାରା ହେଉଛି କମ୍ପାନୀର ପ୍ରମୁଖ କମ୍ପାକ୍ଟ ଏସୟୁଭି ରେଞ୍ଜ ମଧ୍ୟରୁ ଗୋଟିଏ। ଏଥିରେ ଏକ ଶକ୍ତିଶାଳୀ-ହାଇବ୍ରିଡ୍ ପାୱାରଟ୍ରେନ୍, ଅଲ୍-ହ୍ୱିଲ୍ ଡ୍ରାଇଭ୍ ବିକଳ୍ପ ଏବଂ ଅନେକ ଅତ୍ୟାଧୁନିକ ଟେକନିକ୍ ରହିଛି । ଯାହା ଏହାକୁ ସହରାଞ୍ଚଳ ଏବଂ ଘରୋଇ ଗ୍ରାହକଙ୍କ ମଧ୍ୟରେ ଅଧିକ ପସନ୍ଦ ହେଉଛି ।
ଜିଏସଟି ସଂସ୍କାର ପରେ ମାରୁତି ସୁଜୁକି ଗ୍ରାଣ୍ଡ ଭିଟାରାର ମୂଲ୍ୟ ୧୦୭,୦୦୦ ପର୍ଯ୍ୟନ୍ତ ହ୍ରାସ ଘୋଷଣା କରିଛି। ଏସୟୁଭିର ମୂଲ୍ୟ ବର୍ତ୍ତମାନ ୧୦.୭୭ ଲକ୍ଷ (ଏକ୍ସ-ସୋରୁମ୍) ରୁ ଆରମ୍ଭ ହୋଇ ଟପ୍-ଅଫ୍-ଦି-ଲାଇନ୍ ମଡେଲ୍ ପାଇଁ ୧୯.୭୨ ଲକ୍ଷ (ଏକ୍ସ-ସୋରୁମ୍) ପର୍ଯ୍ୟନ୍ତ ବୃଦ୍ଧି ପାଇଛି। କମ୍ପାନୀ ଦାବି କରୁଛି ଯେ ପେଟ୍ରୋଲ ଗାଡ଼ିରେ ୨୧.୧୧ କିଲୋମିଟର/ଲିଟର ଏବଂ ସିଏନଜି ଗାଡ଼ିରେ ୨୬.୬ କିଲୋମିଟର/କିଲୋଗ୍ରାମ ଇନ୍ଧନ ଅର୍ଥନୀତି ପ୍ରଦାନ କରିବ।





