ଶରଧାପାଲି ଠାରେ ବନ୍ଧୁମିଳନ ଓ ରକ୍ତଦାନ ଶିବିର

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଶରଧାପାଲି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଶରଧାପାଲି ଉଚ୍ଚ ବିଦ୍ୟାଳୟର ୨୦୦୪ ମେଟ୍ରିକ୍ ଵ୍ୟାଚର ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକିଲ ପାଣ୍ଡେଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ପଣ୍ଡା,ସୂର୍ଯ୍ୟନାରାୟଣ ସାହୁ,ନିରଞ୍ଜନ ପଣ୍ଡା,ମହାବୀର ସାହୁ,ଧବଳେଶ୍ଵର ଭୋଇ ବଳଦେବ ସାହୁ,ପରମେଶ୍ବର ସାହୁ,କିଶୋର ପଧାନ,ସ୍କୁଲ୍ ପରିଚାଳନା କମିଟିର ସଭାପତି ଚିତ୍ତରଞ୍ଜନ ପଣ୍ଡା,ସମାଜସେବୀ ପରଦେଶୀ ପଧାନ,ଲଲିତ ମୋହନ କୁମ୍ଭାର,ସୁବଳ ଚନ୍ଦ୍ର ନାୟକ,କାଦମ୍ବିନୀ ଭୋଇ,ଅଜୟ ପଧାନ, ମାନଭଞ୍ଜନ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ସରିବା ପରେ ଗୁରୁ ପୂଜନ କାର୍ଯ୍ୟକ୍ରମ ହୋଇଥିଲା । ମଞ୍ଚ ଉପରେ ଉପସ୍ଥିତ ଥିବା ସମସ୍ତ ଗୁରୁମାନଙ୍କୁ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଫୁଲ,ଚନ୍ଦନ,ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଆଶୀର୍ବାଦ ଲାଭ କରିଥିଲେ । ସ୍ଵର୍ଗାରୋହଣ କରିଥିବା ଦିବଂଗତ ବନ୍ଧୁ ତୃପ୍ତିମୟୀ ବାରିକ ଓ ଦିବଂଗତ ଶିକ୍ଷକ ହରିବନ୍ଧୁ ଦାଶ,ବଂଶୀଧର ବାରିକ,ତରଣିସେନ ସାହୁ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଦାମୋଦର ବାହୁକ,ଚୈତନ୍ୟ ପୋଢ଼ ଓ ନିରାକାର ମାଝୀଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ କରାଯାଇଥିଲା । ଅର୍ପିତା ପଣ୍ଡା ସ୍ଵାଗତ ଭାଷଣ ଦେଇଥିବା ବେଳେ ନବିନ ସାହୁ ମଞ୍ଚ ପରିଚାଳନା କରିଥିଲେ । ତେବେ ବାହାରେ ରହୁଥିବା କିଛି ବନ୍ଧୁ ବ୍ୟକ୍ତିଗତ କାରଣରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାରି ନଥିବାରୁ ଭିଡିଓ କଲ୍ ମାଧ୍ୟମରେ ଯୋଗଦାନ କରିଥିଲେ । ବନ୍ଧୁତ୍ୱ ଭାବର ଆଦାନ ପ୍ରଦାନ ସହ ପରସ୍ପରଙ୍କ ସୁଖରେ ଦୁଃଖରେ ଏକତ୍ରିତ ହୋଇ ଛିଡା ରହିବା ଏବଂ ଏହି ବର୍ଦ୍ଧିତ ବୟସରେ ପ୍ରକୃତ ବନ୍ଧୁତାର ପରିଚୟ ସୃଷ୍ଟି କରିବାର ଆବଶ୍ୟକତା ନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ସମାଜ ପାଇଁ କିଛି କରିବାର ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ହୋଇଥିଲା ଯେଉଁଥିରେ ୧୬ ଜଣ ପ୍ରାକ୍ତନ ଛାତ୍ର ଛାତ୍ରୀ ରକ୍ତଦାନ କରିବା ସହ ଏହି ସ୍ମୃତିକୁ ବଞ୍ଚାଇବା ପାଇଁ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ । ପ୍ରତିବର୍ଷ ୧୦ମ ପରୀକ୍ଷାରେ କୃତିତ୍ୱ ଅର୍ଜନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଅର୍ଥ ସଂଗ୍ରହ କରି ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଏଭଳି ମହତ୍ କାର୍ଯ୍ୟକୁ ଅତିଥିମାନେ ଖୁବ୍ ପ୍ରଶଂସା କରିବା ସହ ଆଗକୁ ଆହୁରି ଭଲ କାମ କରି ନିଜ ଗାଁ ତଥା ନିଜ ସ୍କୁଲର ନାମ ରୋଶନ କରିବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ । ପରିଶେଷରେ ଭାରତୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଭୋଜି ଭାତ ନାଚଗୀତର ଆସର ଜମିବା ପରେ ଶେଷରେ ସମସ୍ତେ ପରସ୍ପରକୁ ଅଭିବାଦନ ଜଣାଇବା ସହିତ ଏକ ଭାବବିହ୍ଵଳ ପରିବେଶରେ ନିଜ ନିଜ ଗନ୍ତବ୍ୟ ସ୍ଥାନକୁ ଫେରିଥିଲେ । ପ୍ରତିବର୍ଷ ଏହି ବନ୍ଧୁମିଳନ ଧୁମଧାମରେ ପାଳନ କରିବା ପାଇଁ ମତପ୍ରକାଶ ପାଇଥିଲା ।

ରିପୋର୍ଟ : ସୁଶାନ୍ତ ପଣ୍ଡା

Digital Griot