ବୀରେନ୍ଦ୍ର କୁମାର ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ କଠଉମାଲ ସ୍ଥିତ ବିରେନ୍ଦ୍ର କୁମାର ଯୁକ୍ତ ୩ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମପୁର ଅଞ୍ଚଳ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୁବନ୍ଦେ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ, ମୁଖ୍ୟ ବକ୍ତା ଭାବରେ ପଞ୍ଚାୟତସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରୀପାଠୀ ଏବଂ ସମ୍ମାନିତ ଅତିଥି ଭାବରେ ବିଡ଼ିଓ ଲକ୍ଷ୍ମଣ ମାଝି,ସରପଞ୍ଚ ଶେଷଦେବ ପଧାନ,ଚାଷୀ ନେତା କିଶୋର ଚନ୍ଦ୍ର ଦେବତା ପ୍ରମୁଖ ଉପସ୍ଥିତ ଥିବା ବେଳେ ଗାଇସିଲେଟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପି.ଆର.ଆଇ ମେମ୍ବର ତଥା ଅନେକ ଶିକ୍ଷାବିତ ଉପସ୍ଥିତ ଥିଲେ । ଏହି ଅବସରରେ ସର୍ବପ୍ରଥମେ ମେଲଛାମୁଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ବର୍ଗତ ଵୀରେନ୍ଦ୍ର କୁମାର ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା । ସର୍ବପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଅଧ୍ୟାପକ ମୋହନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବନା ସେଠ ବାର୍ଷିକ ବିବରଣୀ ପଠନ କରିଥିଲେ । ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଛି, ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା ମହାବିଦ୍ୟାଳୟର ବିକାଶ ଆଗକୁ ଯାଇଥାଏ। ଛାତ୍ରଛାତ୍ରୀ ସାଧନାରତ ଭାବେ ପାଠ ପଢିବା ସହିତ ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧାନ୍ତରେ ନିଶ୍ଚିତ ପହଞ୍ଚି ପାରିବେ ବୋଲି କହିବା ସହିତ ସରଳ ଜୀବନଚର୍ଯ୍ୟାରେ ଉଚ୍ଚ ଚିନ୍ତାଧାରା ରଖି ଗ୍ରାମାଞ୍ଚଳରେ ଶିକ୍ଷା ଓ କୃଷିର ଉନ୍ନତି କ୍ଷେତ୍ରରେ ଅନେକ କାର୍ଯ୍ୟ କରିଥିବା ସେହି ମହାନ ବ୍ୟକ୍ତି ସ୍ବର୍ଗତ ବିରେନ୍ଦ୍ର ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ମୁ ଗର୍ବିତ ମନେକରୁଛି ବୋଲି ମୁଖ୍ୟଅତିଥି ବିଧାୟକ ଶ୍ରୀଯୁକ୍ତ ଗଡତିଆ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ତ୍ରିପାଠୀ ଘାତ ପ୍ରତିଘାତ ମଧ୍ୟରେ ମହାବିଦ୍ୟାଳୟ ୧୦ ବର୍ଷ ଅତିକ୍ରମ କରିସାରିଛି ।ଏଠାରୁ ବହୁ କୃତୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ ଦୀର୍ଘ ୧୦ ବର୍ଷ ପରେ ଦ୍ଵିତୀୟ ଥର ପାଇଁ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଥିବାରୁ ମହାବିଦ୍ୟାଳୟର ଅଧକ୍ଷା ସୁଶ୍ରୀ ଭାବନା ସେଠଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ପ୍ରଦାନ କରିଥିଲେ । ସ୍ବର୍ଗତ ବିରେନ୍ଦ୍ର ସାହୁଙ୍କ ସୁପୁତ୍ର ତଥା ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ବାପାଙ୍କ ସ୍ବପ୍ନ ସାକାର କରିବା ପାଇଁ ଦୀର୍ଘ ବର୍ଷ ଧରି ଜଣେ ସଫଳ ରାଜନେତା ଭାବରେ ନିଜର ପରିଚୟ ସୃଷ୍ଟି କରିବା ସହିତ ଗାଇସିଲେଟ ଅଞ୍ଚଳରେ କୃଷି ଓ ଶିକ୍ଷା କ୍ଷେତ୍ରରେ କରିଥିବା ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ତଥା ବିଶେଷ କରି କଠଉମାଲ ମହାବିଦ୍ୟାଳୟ ପାଇଁ ତାଙ୍କର ଅନେକ ଅବଦାନ ରହିଛି ବୋଲି ଅତିଥି ମାନେ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଅଣ୍ଟା ଭିଡିଥିବା ଯୁବନେତା ତଥା ମହାବିଦ୍ୟାଳୟର ସମ୍ପାଦକ ଦେବେନ୍ଦ୍ର ଯୋଷୀ ଏହି ଶିକ୍ଷାନୁଷ୍ଠାନ କୁ ଗଢ଼ିବା ପାଇଁ ଦିନରାତି ଏକ କରି ଆଜି ଶୀର୍ଷରେ ପହଞ୍ଚାଇଥିବାରୁ ତାଙ୍କୁ ମଧ୍ୟ ଅତିଥି ମାନେ ଖୁବ୍ ପ୍ରଶଂସା କରିଥିଲେ । ତେବେ ଶିକ୍ଷାବିତ କୈଳାଶ ଚନ୍ଦ୍ର ଯୋଷୀ ଏବଂ ସ୍ବର୍ଗତ ଉତ୍ତମ ନନ୍ଦଙ୍କ ପରିବାର ଓ ଅଞ୍ଚଳର ବୁଦ୍ଧିଜୀବୀ ମାନଙ୍କ ପ୍ରୟାସରେ କଠଉମାଲ ଠାରେ ସ୍ଥାପିତ ହୋଇଥିବା ଏହି ଅନୁଷ୍ଠାନ କୁ ସ୍ବର୍ଗତ ବୀରେନ୍ଦ୍ର ସାହୁଙ୍କ ନାମରେ ନାମିତ କରିଥିବାରୁ ଆଗାମୀ ଦିନରେ ଏହି ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସ୍ବର୍ଗତ ବୀରେନ୍ଦ୍ର ସାହୁଙ୍କ ପରବର୍ତ୍ତୀ ପିଢ଼ି ସମପିର୍ତ ହୋଇ କାର୍ଯ୍ୟ କରିବେ ବୋଲି ସ୍ବର୍ଗତ ସାହୁଙ୍କ ପୁତ୍ର ମନୋଜ ସାହୁ ଓ ପୁତୁରା ସରୋଜ ଶ୍ରିଭୂଷଣ ସାହୁ ପ୍ରତିଶ୍ରୁତି ଦେଇଛନ୍ତି ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ତେବେ ପ୍ରତିବର୍ଷ ମହାବିଦ୍ୟାଳୟର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ୧ ହଜାର ୫୧ ଟଙ୍କା ଲେଖାଏ ପୁରସ୍କୃତ ରାଶି ଭାବରେ ପ୍ରଦାନ କରିବେ ବୋଲି ସ୍ବର୍ଗତ ସାହୁଙ୍କ ଜ୍ବାଇଁ ବରିଷ୍ଠ ଆଇନଜୀବି ଯୋଗେନ୍ଦ୍ର ଭୋଇ ପ୍ରକାଶ କରିଥିବା ବେଳେ ହେମନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶନାରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରୟାସରେ କାର୍ଯ୍ୟକ୍ରମଟି ଅତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ ପରିଶେଷରେ ସମ୍ପାଦକ ଦେବେନ୍ଦ୍ର କୁମାର ଯୋଷୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ସୁଶାନ୍ତ ପଣ୍ଡା

Digital Griot