ସ୍ବାଧୀନତାର ସାତ ଦଶକ ପରେ ବି ଗ୍ରାମବାସୀଙ୍କୁ ମିଳିନାହିଁ ଭୋଟଦାନ କେନ୍ଦ୍ର । ନିଜ ଗାଁ ରେ ଭୋଟ ଦେବା ସୁଯୋଗରୁ ବଞ୍ଚିତ ଅଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁମାଲ ଗ୍ରାମବାସୀ । ଭାରତ ସ୍ୱାଧୀନ ହେବା ଠାରୁ ନିଜ ଗାଁ ରେ ଭୋଟ ନ ଦେଇ ଏଠାକାର ଭୋଟର ପ୍ରାୟ ୬ କି.ମି ଦୂର ପରମାନନ୍ଦପୁର ଗ୍ରାମକୁ ଯାଇଥାନ୍ତି ଭୋଟ ଦେବା ପାଇଁ । ବାର୍ଧ୍ୟକ୍ୟ ଅବସ୍ଥାରେ ଏତେ ଦୂରକୁ ଯିବା ସମ୍ଭବ ହେଉନଥିବାରୁ ଅନେକ ବୟସ୍କ ଲୋକ ଭୋଟ ଦେବାରୁ ବଞ୍ଚିତ ହେଉଥିବା ବେଳେ ସାଧାରଣ ଭୋଟର ମାନେ ବି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ବୃଦ୍ଧ,ମହିଳା,ଦିବ୍ୟାଙ୍ଗ ଓ ଦୈନିକ ଶ୍ରମିକ ମାନଙ୍କ ପାଇଁ ଦୀର୍ଘ ୬ କି.ମି. ଦୂର ଯାତ୍ରା କରି ଭୋଟଦାନ କରିବା ଏକ ଚ୍ୟାଲେଞ୍ଜ ହୋଇ ପଡ଼ିଛି ।
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ନିଜ ଗ୍ରାମରେ ଭୋଟ ଦେଉଥିବା ବେଳେ ସାଧାରଣ ନିର୍ବାଚନ ରେ ଏଠାରେ ଭୋଟଦାନ କେନ୍ଦ୍ର ହେଉ ନ ଥିବାରୁ ଅନେକ ଲୋକ ଭୋଟ ଦେବାରୁ ବଞ୍ଚିତ ରହୁଛନ୍ତି । ତେବେ ଉକ୍ତ ଗ୍ରାମରେ ପ୍ରାୟ ୫୨୮ ଜନସଂଖ୍ୟା ରହିଥିବା ବେଳେ ୩୩୫ରୁ ଉର୍ଦ୍ଧ ଭୋଟର ରହିଛନ୍ତି । ଭୋଟର ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ସୁଚାରୁ ନିର୍ବାଚନ ପ୍ରକିୟାକୁ ଶକ୍ତିଶାଳୀ କରିବା ଉଦ୍ଧେଶ୍ୟରେ ସମାଜସେବୀ ସୁଶାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଆଜି ଗ୍ରାମବାସୀମାନେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲାଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଆସନ୍ତା ସାଧାରଣ ନିର୍ବାଚନ ରେ ନିଜ ଗ୍ରାମରେ ଭୋଟଦାନ କେନ୍ଦ୍ର ସ୍ଥାପନ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ଅବସରରେ ଗ୍ରାମର ସମାରୁ ସାହୁ,ପ୍ରିୟରଞ୍ଜନ ସାହୁ, ଲକ୍ଷ୍ମିଚନ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ ସହିତ ଅନେକ ସମୟ ଆଲୋଚନା କରିଥିବା ବେଳେ ଦାବିପତ୍ର ଗ୍ରହଣ କରି ଉପଜିଲ୍ଲାପାଳ ମହୋଦୟା ଲୋକ ମାନଙ୍କ ଯୁକ୍ତିସଂଗତ ଦାବି ପ୍ରତି ସକାରାତ୍ମକ ମନୋଭାବ ପ୍ରକାଶ କରି ଏହାକୁ ସମ୍ପର୍କିତ ବିଭାଗ ଓ ନିର୍ବାଚନ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି ।






