ଭାରତର ଏକାଦଶ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଆଜି ହେଉଛି ପୂଣ୍ୟତିଥି। ଏହି ଅବସରରେ ଭାରତୀୟମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଭାରତବାସୀ ତାଙ୍କୁ ମନେ ପକାଉଛନ୍ତି। କଲାମଙ୍କ ଉଦ୍ଦେଶ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ କଲାମଙ୍କ ଗୁଣଗାନ କରାଯାଉଛି।
ସ୍ବର୍ଗତଃ କଲାମ ନିଜ ଜୀବନରେ ବହୁ ଦୁଃଖ ଦୁର୍ଦଶାର ସାମ୍ନା କରିଥିଲେ। ତଥାପି ସେ ନିଜ ଲକ୍ଷ୍ୟ ସ୍ଥଳରୁ ଓହରିନଥିଲେ। ସେ ତାଙ୍କ ଜୀବନ କାଳରେ ବହୁ ପୁସ୍ତକ ଲେଖିଥିଲେ। ସେ ଲେଖିଥିବା ସମସ୍ତ ପୁସ୍ତକ ଯୁବପିଢ଼ିଙ୍କୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏ। ୧୯୮୧ରେ ପଦ୍ମ ଭୂଷଣ, ୧୯୯୦ରେ ପଦ୍ମ ଭୂଷଣରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ୨୦୧୫ ମସିହା ଆଜିର ଦିନରେ ସେ ମେଘାଳୟର ଶିଲଂରେ ଆୟୋଜିତ ସଭାରେ ଯୋଗଦେଇଥିଲେ। ଏହି ସଭାରେ ସେ ନିଜ ଅଭିଭାଷଣ କହୁଥିବା ସମୟରେ ସେ ଅସୁସ୍ଥ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଭାରତ ଏହି ଦିନ ମିସାଇଲ୍ ମ୍ୟାନଙ୍କୁ ହରାଇଥିଲା।
ସୂଚନାଯୋଗ୍ୟ, ଭାରତର ଲୋକପ୍ରିୟ ରାଷ୍ଟ୍ରପତି ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ ୧୯୩୧ ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ। ସେ ତିରୁଚିରାପଲ୍ଲୀସ୍ଥିତ ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।କଲାମ ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ। ବାଲିଷ୍ଟିକ ମିସାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିସାଇଲ୍ ମ୍ୟାନର ଆଖ୍ୟା ଦିଆଯାଥିଲା ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର ‘ଭାରତରତ୍ନ’ରେ ସମ୍ମାନିତ କରା ଯାଇଥିଲା। ୨୦୧୫ ଜୁଲାଇ ୨୭ ତାରିଖରେ ତାଙ୍କର ପରଲୋକ ହୋଇଥିଲା।