Live Odisha Tv

ବିରୋଧୀଙ୍କ ଟାର୍ଗେଟରେ ମମତା ସରକାର

କୋଲକାତା: କୋଲକାତାରେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାର ଏବେ ଦେଶବାସୀଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି । ମମତା ବାନାର୍ଜୀଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯାଉଛି । କିଏ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଛି ତ କିଏ ମମତାଙ୍କ ଇସ୍ତଫା ଦାବି କରିଛନ୍ତି । ରାଜନେତାଠାରୁ ଆରମ୍ଭ କରି ଅଭିନେତା, କ୍ରୀଡ଼ା ଜଗତର ବ୍ୟକ୍ତି ବିଶେଷମାନେ ମମତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଖୋଦ ତୃଣମୂଳ କଂଗ୍ରେସର ନେତାମାନେ ମଧ୍ୟ ଦିଦିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେଣି । ଏହି ମାମଲାରେ ଏବେ ଇଣ୍ଡି ମେଣ୍ଟର ପ୍ରମୁଖ ଦଳ କଂଗ୍ରେସ ମଧ୍ୟ ଘିଅ ଢାଳିବା ଆରମ୍ଭ କରିଛି ।

ମମତା ବାନାର୍ଜୀଙ୍କ ଶାସନ ବ୍ୟବସ୍ଥାକୁ ନେଇ ଏହି ମାମଲା ଏବେ ବଡ଼ ଆହ୍ୱାନ ନେଇ ଆସିଛି । ନିଜର ଏକ ଛତ୍ରବାଦ ଶାସନ ଆଜି ମମତାଙ୍କୁ ଅଡ଼ୁଆରେ ପକାଇଛି । ଇଣ୍ଡି ମେଣ୍ଟର ମୁଖ୍ୟ ସହଯୋଗୀ କଂଗ୍ରେସ ମଧ୍ୟ ମମତାଙ୍କୁ ଏକ ଦର୍ପଣ ଦେଖାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଟିଏମସିକୁ ଟାର୍ଗେଟ୍ କରିଛନ୍ତି । ବିଶେଷ କଥା ହେଉଛି ସୁପ୍ରିମକୋର୍ଟ ଏହି ପ୍ରସଙ୍ଗର ସ୍ୱତଃ ଶୁଣାଣି କରିବେ ବୋଲି କହିଛନ୍ତି । ଏହା କ୍ୱଚିତ୍ ଘଟଣା, ଯେଉଁଠି ସୁପ୍ରିମକୋର୍ଟ ଏପରି ପଦକ୍ଷେପ ନିଅନ୍ତି । ଏଭଳି ପରିସ୍ଥିତିରେ ମମତା ସରକାରଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର କଠୋର ଆଭିମୁଖ୍ୟ ସମ୍ନା କରିବାକୁ ପଡ଼ିପାରେ ।

କେବଳ ଏହି ଗୋଟାଏ ଘଟଣା ନୁହେଁ ବରଂ ପଶ୍ଚିମବଙ୍ଗ ସରକାର ଏମିତି ଅନେକ ବଳାତ୍କାର ମାମଲାରେ ଆଖି ବୁଜି ଦେଇଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗରେ ହୋଇଥିବା ଅନେକ ବଳାତ୍କାର ମାମଲାରେ ଏହାକୁ ଭିନ୍ନ ଉପାୟରେ ପ୍ରତ୍ୟାଖ୍ୟାନ କରି ମମତା ସରକାର ନିଜକୁ ଦୂରେଇ ରଖିଥିଲେ । ହଂସଖାଲିରେ ହୋଇଥିବା ବଳାତ୍କାର ଘଟଣାକୁ ପ୍ରେମ ସମ୍ପର୍କର ଆଖ୍ୟା ଦେଇ ସରକାର ଚୁପ ବସିଯାଇଥିଲେ । 2013 କମୁଦନୀ ଗଣଦୁଷ୍କର୍ମ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କୁ ସିପିଏମର ସମର୍ଥକ ବୋଲି କହିଥିଲେ ମମତା । କୋଲକାତାରେ ବଳାତ୍କାର ଓ ହତ୍ୟା ମାମଲା ଏକ ଡାକ୍ତରଙ୍କ ସହିତ ହୋଇଥିବାରୁ ମମତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜକୁ ଆହ୍ୱାନ ଦେଇଛି ।

Digital Griot