Live Odisha Tv

ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ

ଓଡ଼ିଶାରେ ୨ଟି ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି । ଆଉ ୧୦ଟି ସ୍ଥାନରେ ସୁନା ଖଣି ଚିହ୍ନଟ ପାଇଁ ଅନୁସନ୍ଧାନ ଜାରି ରହିଛି । ଏବେ ଗୋଟିଏ ସୁନା ଖଣି ଥିବା ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଆଉ ଗୋଟିଏ ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇନଥିବାରୁ ତା’ର ଉତ୍ତୋଳନ ପାଇଁ କୌଣସି ଯୋଜନା ହୋଇନାହିଁ ବୋଲି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ।

ଆଜି ବିଧାନସଭାରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଦେବଗଡ଼ ଜିଲ୍ଲାର ଆଡ଼ାସ-ରାମପାଲ୍ଲୀ ଅଂଚଳରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ତମ୍ବାପଥର ପାଇଁ ଜି-୨ ସ୍ତରର ଅନ୍ୱେଷଣବେଳେ ସୁନାପଥରର ସନ୍ଧାନ ମିଳିଛି । ଭୂତାତ୍ତ୍ୱିକ ଆକଳନରୁ ଏହି ଅଂଚଳରେ ସୁନା ଗଚ୍ଛିତ ଥିବା ଜଣାପଡ଼ିଛି ଓ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତି କରାଯାଉଛି । ଏହି ଅଂଚଳରେ ୦.୯୦ନିୟୁତ ଟନ୍ ସୁନା ଗଚ୍ଛିତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ୧୯୮୧-୮୩ ଓ ୧୯୮୯-୯୬ରେ ଚିହ୍ନଟ ହୋଇଥିବା କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଂଚଳରେ ପ୍ରାଥମିକ ସର୍ବେକ୍ଷଣରୁ ମିଳିଥିବା ସୂଚନା ଆଧାରରେ ସୁନା ଖଣିର ପୁନଃ ଅନୁସନ୍ଧାନ କାର୍ଯ୍ୟକ୍ରମ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆନ ଓ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଜି-୨ ସ୍ତରରେ ୨୦୨୧-୨୨ରୁ ଚାଲୁ ରହିଛି । ଏହି ଖଣିର ମାନ ଓ ପରିମାଣ ନିର୍ଦ୍ଧାରଣ କରାଯାଇନଥିବାରୁ ଏହାର ଉତ୍ତୋଳନ ନିମନ୍ତେ ସରକାରୀସ୍ତରରେ ଏବେ କୌଣସି ଯୋଜନା ନାହିଁ । ଅବଶ୍ୟ ଏହି ଖଣି ଅଂଚଳରେ ୩୧୧.୦୭ କେଜି ସୁନା ଗଚ୍ଛିତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାର ମାଙ୍କଡ଼ଚୁଆ, ସଲେଇକଣା, ଡିମିରିମୁଣ୍ଡା ଅଂଚଳରେ ଓଡ଼ିଶା ଖଣି ନିଗମ ଦ୍ୱାରା ଜି-୪/ଜି-୩ସ୍ତରରେ ସୁନାଖଣି ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି । ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ(ଧୁସୁରା ପାହାଡ଼) ଏବଂ ବାଦାମପାହାଡ଼ ଅଂଚଳରେ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ଓ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଦ୍ୱାରା ସୁନା ଖଣି ଅନ୍ୱେଷଣ ନିମନ୍ତେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଛି ।

ଏସବୁ ଅଂଚଳ ବ୍ୟତୀତ ରାଜ୍ୟର ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବିକ୍ଷିପ୍ତ ଭାବେ ସୁନା ଥିବାର ସୂଚନା ରହିଛି । ଯାହାର ସବିଶେଷ ଅନୁସନ୍ଧାନ କରାଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତି ଓ ଧ୍ରୁବଚରଣ ସାହୁଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା ଏହି ସୂଚନା ଦେଇଛନ୍ତି ।

Digital Griot