Live Odisha Tv

୧୪୮ ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚ ବିଜେପିରେ ସାମିଲ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଛି ରାଜ୍ୟ ବିଜେପିର ଶକ୍ତି । ଆଜି ବିଜେପିରେ ସାମିଲ ହୋଇଛନ୍ତି ଶତାଧିକ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ନାଏବ ସରପଞ୍ଚ । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ୧୪୮ ଜଣ ସରପଞ୍ଚ, ପୂର୍ବତନ ସରପଞ୍ଚ ଏବଂ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବିଜେଡ଼ି ଛାଡ଼ି ବିଜେପିରେ ବିଧିବଦ୍ଧଭାବେ ଯୋଗ ଦେଇଛନ୍ତି ଜୟପୁର ବ୍ଲକ ଅଧ୍ୟକ୍ଷ ତିଳୋତ୍ତମା ମୁଦୁଲି । ତାଙ୍କ ସହିତ ୧୪ ଜଣ ସରପଞ୍ଚ ଏବଂ ସମିତି ସଭ୍ୟ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଜୟପୁର ବ୍ଲକ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ବିଜେଡି ଆଦିବାସୀ ବିରୋଧୀ ବ୍ଲକରେ କୌଣସି ବିକାଶ ମୂଳକ କାମରେ ବିଜେଡି ନେତୃତ୍ୱ ସହଯୋଗ କରୁ ନଥିଲେ । ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ସେ ବିଜେପିକୁ ଭରସା କରିଛନ୍ତି ।

ଯାଜପୁରର ଟାଣୁଆ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସଙ୍କ ଅଂଚଳର ମଧ୍ୟ ଏକାଧିକ ସରପଞ୍ଚ ଏବଂ ପୂର୍ବତନ ସରପଞ୍ଚ ମାନେ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏମାନେ ବିଜେପିରେ ମିଶିଛନ୍ତି । ସେହିପରି କଟକ ବିଜେଡି ଉପସଭାପତି ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ମଧ୍ୟ ଅନେକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ଦଳ ସଭାପତି ମନମୋହନ ସାମଲ କହିଛନ୍ତି ସବୁ ଦଳର ନେତା ଆଗ୍ରହ କରି ବିଜେପିକୁ ଆସୁଛନ୍ତି । ବିଜେପି ମଜଭୁତ ହେଉଛି ।

Digital Griot