| | |

ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ସଂଘର ମୁଖ୍ୟ ପୃଷ୍ଠପୋଷକ

ଭୁବନେଶ୍ୱର : ବାରାଣସୀରେ ୭୨ତମ ବରିଷ୍ଠ ଜାତୀୟ ଭଲିବଲ୍ ଚାମ୍ପିଅନସିପ୍ ୨୦୨୬କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଉଦ୍‍ଘାଟନ କରିଥିଲେ। ଏହି ଅବସରରେ ସୋମବାର ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ସବୁ ରାଜ୍ୟରେ ଥିବା ଭଳିବଲ୍‍ ସଂଘର ସଭାପତିସମ୍ପାଦକ ଓ ଅନ୍ୟାନ ସଦସ୍ୟମାନେ ଉପସ୍ଥିତ ଥିଲେ। ଏଥିରେ ସର୍ବସମ୍ମତି କ୍ରମେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭିଏଫ୍‍ ଆଇର ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ ଓ ସମ୍ପାଦକ ଡ ଗଗନେନ୍ଦୁ ଦାଶ ନିମନ୍ତ୍ରଣ ପାଇଥିଲେ। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଏହି କାର୍ଯ୍ୟକ୍ରମରେ ସେମାନେ ଯୋଗଦେଇ ପାରିନଥିଲେ। ତେବେ ଭିଏଫ୍‍ଆଇର ସଭାପତି ଓ ସମ୍ପାଦକ ଶ୍ରୀ ସାମନ୍ତଙ୍କୁ ଟେଲିଫୋନ୍‍ ଯୋଗେ ଯୋଗାଯୋଗ କରିଥିଲେ। ଶ୍ରୀ ସାମନ୍ତଙ୍କ ସମ୍ମତି ପରେ ସଂଘ ପକ୍ଷରୁ ତାଙ୍କୁ ମୁଖ୍ୟ ପୃଷ୍ଠପୋଷକ ମନୋନୀତ କରାଯାଇଥିଲା।

କ୍ରୀଡ଼ା କ୍ଷେତ୍ରକୁ ବ୍ୟାପକ ଅବଦାନ ବିଶେଷ କରି ଭଲିବଲ୍‍ କ୍ଷେତ୍ରରେ ଯୋଗଦାନ ପାଇଁ ତାଙ୍କୁ ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ କରାଯାଇଛି । ଆସନ୍ତା ୪ବର୍ଷ ପାଇଁ ଶ୍ରୀ ସାମନ୍ତ ମୁଖ୍ୟ ପୃଷ୍ଠପୋଷକ ରହିବେ। ଏହି ପରିପ୍ରେକ୍ଷୀରେ ଜାତୀୟ ଯୁବ ଭଲିବଲ୍‍ ଚାମ୍ପିୟନ୍‍ସିପ୍‍ କିଟ୍‍ରେ ଆୟୋଜନ କରାଯିବା ନେଇ ଏହି ବୈଠକରେ ଅନୁମୋଦନ କରାଯାଇଥିଲା। ଏହି ଅବସରରେ ଅନ୍ତର୍ଜାତୀୟ ଭଲିବଲ୍‍ ସଂଘ (ଏଫ୍‍ଆଇଭିବି) ପକ୍ଷରୁ ଗ୍ରାଣ୍ଡ କ୍ରସ୍‍ ପୁରସ୍କାର ପ୍ରଦାନ କରାଯାଇଥିବାରୁ ଓ ଏଫଆଇଭିବି ଭଲିବଲ୍‍ ଫାଉଣ୍ଡେସନ୍‍ କାଉନ୍‍ସିଲ୍‍ ସଦସ୍ୟ ହୋଇଥିବାରୁ ଭିଏଫ୍‍ଆଇଏଫ୍‍ଆଇଭିବିକୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏଥିପାଇଁ ଶ୍ରୀ ସାମନ୍ତ ଭିଏଫ୍‍ଆଇର ସଭାପତି ବୀରେନ୍ଦ୍ର କନୱାର ଓ ସାଧାରଣ ସମ୍ପାଦକ ରାମାନନ୍ଦ ଚୌଧୁରୀ ତଥା ଭିଏଫ୍‍ଆଇର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶା ଭଲିବଲ୍‍ ସଂଘକୁ ମଧ୍ୟ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ସାମନ୍ତ ପୂର୍ବରୁ ୨୦୨୦ରୁ ୨୪ ପର୍ଯ୍ୟନ୍ତ ଭାରତୀୟ ଭଲିବଲ୍‍ ସଂଘର ସଭାପତି ଭାବେ କାର୍ଯ୍ୟ କରିଥିଲେ। ଦୀର୍ଘ ଦିନ ଧରି  ଭଲିବଲ୍‍ର ବିକାଶ ଦିଗରେ କାର୍ଯ୍ୟ କରିଆସୁଥିବାରୁ ଭିଏଫ୍‍ଆଇ ପକ୍ଷରୁ ଶ୍ରୀ ସାମନ୍ତଙ୍କ କାର୍ଯ୍ୟକୁ ଉଚିତ ସମ୍ମାନ ଜଣାଇ ତାଙ୍କୁ ଭିଏଫ୍‍ଆଇ ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ କରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶା ତଥା ଭାରତରେ ଭଲିବଲ୍‍ର ବିକାଶ ଦିଗରେ ଆହୁରି କାମ କରିବେ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।

Similar Posts

Leave a Reply

Your email address will not be published. Required fields are marked *