|

ଘାଏ ଦେଖତ କଳାପଟା ଅନୁଷ୍ଠାନର ବାର୍ଷିକୋତ୍ସବ

ନୂଆଁ ବର୍ଷରେ ହୋମ ଯଜ୍ଞ, ବହି ଉନ୍ମୋଚନ ଓ ସାହିତ୍ୟ ସଭା । ବରଗଡ ଜିଲ୍ଲା ଗାଇସିଲେଟ ଠାରେ “ଘାଏ ଦେଖତ କଳାପଟା”ର ବାର୍ଷିକୋତ୍ସବ ନୂଆଁ ବର୍ଷ ଗୁରୁବାର ଦିନ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାହୁ କଲ୍ୟାଣ ମଣ୍ଡପ କଲଙ୍ଗାପାଲି ଠାରେ ସକାଳେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହାପରେ କଳାପଟା ସାହିତ୍ୟ ସଂସଦର ସଭାପତି ନିରଞ୍ଜନ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ପ୍ରଥମ ଅଧିବେସନରେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବରେ ଏବଂ ସାହିତ୍ୟ ଗବେଷକ ଉତ୍ପନ୍ନ ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ଭାଷା ସାହିତ୍ୟର ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ଆହ୍ବାନ ଜଣାଇଥିଲେ । ଏହି ଅବସରରେ ପରିଷଦର ସମ୍ପାଦକ ବୈରାଗୀ ସାହୁଙ୍କ ଉନ୍ମୋଚିତ ଭଗବତ ଗୀତାର ସମ୍ବଲପୁରୀ ଅନୁବାଦ ପୁସ୍ତକକୁ ସମୀକ୍ଷା କରି ଅଧ୍ୟାପକ ସୁଶାନ୍ତ ମିଶ୍ର ଜୀବନ ବଞ୍ଚିବାର ମନ୍ତ୍ର ହିଁ ଗୀତା ଅଟେ, ତେଣୁ ଅଖଣ୍ଡ ଭାରତରେ ଧର୍ମ, ସଂସ୍କୃତିକୁ ରକ୍ଷା କରି ସମାଜ ପରିବର୍ତ୍ତନ ପାଇଁ ଗୀତା ହିଁ ପ୍ରକୃଷ୍ଟ ଦର୍ଶନ ଅଟେ ବୋଲି ପ୍ରକାଶ କରିଥିଲେ । ସେହିପରି ଉନ୍ମୋଚିତ କଲାପଟା ସାହିତ୍ୟର ବାର୍ଷିକ ସଙ୍କଳନକୁ ସୁଶିଲ ଗୁରୁ ସମୀକ୍ଷା କରିଥିଲେ । ଏହି ଅବସରରେ ସୁକୁମାର ଭୋଇଙ୍କ ପୁସ୍ତକ ନାଟ ଲୋକାର୍ପିତ ହୋଇଥିବା ବେଳେ ରାଧାକାନ୍ତ ସାହୁଙ୍କୁ କଲାପଟା ସିରି, ସୁରେଶ ଭୋଇଙ୍କୁ ଦୁର୍ଗା ପ୍ରସାଦ ସ୍ମାରକୀ, ଅର୍ଜୁନ ମେହେରଙ୍କୁ ଦୁର୍ଗା ପ୍ରସାଦ ସ୍ମାରକୀ,କବିତା ମହରାଙ୍କୁ ଲକ୍ଷ୍ମୀପ୍ରିୟ ସ୍ମାରକୀ ଆଦି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ କବି ତେଜରୁ ବାରିକ ଅତିଥି ପରିଚୟ ଓ ଉପସଭାପତି ରଞ୍ଜନ ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଧୃବ ଚରଣ ପ୍ରଧାନ ସଭା ପରିଚାଳନା କରିଥିଲେ ଓ ଶେଷରେ ହେମନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଦ୍ଵିତୀୟ ଅଧିବେସନରେ ମନୋରଞ୍ଜନ ପୁରୋହିତ ଓ ହେମନ୍ତ ପଣ୍ଡାଙ୍କ ସଂଯୋଜନାରେ ବହୁ ସଂଖ୍ୟାରେ କବିମାନେ କବିତା ଆବୃତ୍ତି କରିଥିଲେ । ସର୍ବଶ୍ରୀ ଆଶୋକ ପୁଝାରୀ, ସୁକୁମାର ଭୋଇ, ଅଧିକାରୀ ସା, ରାମପ୍ରସାଦ ବାଗ, ଦିଲ୍ଲୀପ ମିଶ୍ର, ଦିବାକର ଯୋଶୀ, ରବୀନ୍ଦ୍ର ପଣ୍ଡା, ଅହଲ୍ୟା ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ତୃତୀୟ ତଥା ଶେଷ ଅଧିବେସନରେ କରମସାନୀ ତଥା ବିଭିନ୍ନ ଲୋକନୃତ୍ୟ ଅନୁଷ୍ଠିତ ହୋଇଥିଲା ।

Similar Posts

Leave a Reply

Your email address will not be published. Required fields are marked *