| |

ମକର ସଂକ୍ରାନ୍ତି : ଆଶା ଆଲୋକ ଓ ସମୃଦ୍ଧିର ପର୍ବ

ମକର ସଂକ୍ରାନ୍ତି ହିନ୍ଦୁ ପଞ୍ଜିକା ଅନୁସାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ଦିନ ସୂର୍ଯ୍ୟ ଧନୁ ରାଶି ଛାଡ଼ି ମକର ରାଶିକୁ ପ୍ରବେଶ କରନ୍ତି। ଏହା ସହିତ ଉତ୍ତରାୟଣ ଆରମ୍ଭ ହୁଏ, ଯାହାକୁ ଶୁଭ ସମୟ ଭାବେ ଗଣାଯାଏ। ପ୍ରାକୃତିକ ଭାବେ ଏହି ଦିନ ଅନ୍ଧକାରରୁ ଆଲୋକ ପ୍ରତି, ନିରାଶାରୁ ଆଶା ପ୍ରତି ଯାତ୍ରାର ପ୍ରତୀକ। ପୁରାଣ କଥାନୁସାରେ ଏହି ସମୟ ଧର୍ମ, ଜ୍ଞାନ ଓ ସାତ୍ତ୍ୱିକ ଶକ୍ତିର ପ୍ରାବଳ୍ୟ ବଢ଼ାଏ। ଏହି କାରଣରୁ ମକର ସଂକ୍ରାନ୍ତି ଦିନ ପୂଜା, ତପସ୍ୟା, ବ୍ରତ ଓ ଦାନ–ପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି। ମହାଭାରତରେ ପିତାମହ ଭୀଷ୍ମଙ୍କ ଗାଥା ମକର ସଂକ୍ରାନ୍ତି ସହ ଗଭୀର ଭାବେ ଜଡିତ। ଇଚ୍ଛାମୃତ୍ୟୁ ବର ପାଇଥିବା ପିତାମହ ଭୀଷ୍ମ ଦକ୍ଷିଣାୟଣ ସମୟରେ ଶରଶଯ୍ୟା ଉପରେ ପଡ଼ି ଥିଲେ ମଧ୍ୟ ଉତ୍ତରାୟଣ ଆରମ୍ଭ ହେବା ପର୍ଯ୍ୟନ୍ତ ଦେହ ତ୍ୟାଗ କରିନଥିଲେ।

ଉତ୍ତରାୟଣରେ ଦେହତ୍ୟାଗ କଲେ ମୋକ୍ଷ ମିଳେ ବୋଲି ପୁରାଣୀୟ ବିଶ୍ୱାସ ରହିଛି। ଭବିଷ୍ୟ ପୁରାଣରେ କୁହାଯାଇଛି ଯେ, ମକର ସଂକ୍ରାନ୍ତି ଦିନ ପବିତ୍ର ନଦୀରେ ସ୍ନାନ, ତିଳ ଓ ଗୁଡ଼ ଦାନ କରିଲେ ସମସ୍ତ ପାପ ନାଶ ହୁଏ ଏବଂ ପୁଣ୍ୟ ଲାଭ ମିଳେ। ଏହି ଦିନ ସୂର୍ଯ୍ୟ ପୂଜା କଲେ ଆରୋଗ୍ୟ, ଦୀର୍ଘାୟୁ ଓ ସମୃଦ୍ଧି ପ୍ରାପ୍ତ ହୁଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ମକର ସଂକ୍ରାନ୍ତି କେବଳ ଧାର୍ମିକ ପର୍ବ ନୁହେଁ, ଏହା ଚାଷୀଙ୍କ ଜୀବନ ସହିତ ଗଭୀର ଭାବେ ଜଡିତ। ନୂଆ ଧାନ କଟା ଶେଷ ହେବା ପରେ ଏହି ପର୍ବ ପାଳିତ ହୁଏ। ଚାଷୀମାନେ ନିଜ ଶ୍ରମର ଫଳ ମିଳିଥିବାରୁ ପ୍ରକୃତି ଓ ଭଗବାନଙ୍କୁ କୃତଜ୍ଞତା ଜଣାଇ ଥାନ୍ତି। ଏହି କାରଣରୁ ମକର ସଂକ୍ରାନ୍ତିକୁ କୃଷି ପର୍ବ ଭାବେ ମଧ୍ୟ ଦେଖାଯାଏ। ଓଡ଼ିଶାରେ ମକର ସଂକ୍ରାନ୍ତି ବିଶେଷ ଆନନ୍ଦ ଓ ଶ୍ରଦ୍ଧା ସହିତ ପାଳନ କରାଯାଏ। ଏହି ଦିନ ଘରେଘରେ ମକର ଚାଉଳ, ଖଇ, ଗୁଡ଼, ନଡ଼ିଆ, ଛେନା ଇତ୍ୟାଦିରୁ ତିଆରି ଖାଦ୍ୟ ପ୍ରସ୍ତୁତ ହୁଏ। ଶ୍ରୀମନ୍ଦିର ସହ ବିଭିନ୍ନ ମନ୍ଦିରରେ ମକର ଭୋଗ ଲାଗେ ଓ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଥାନ୍ତି। ଗ୍ରାମ ଓ ସହରରେ ମକର ମେଳା ଲାଗି ଜନଜୀବନ ଉତ୍ସବମୟ ହୋଇଉଠେ।

ଧାର୍ମିକ ଦୃଷ୍ଟିକୋଣରୁ ଏହି ଦିନ ପବିତ୍ର ନଦୀରେ ସ୍ନାନ,ଦାନ ଓ ପୂଜାର ମହତ୍ତ୍ୱ ଅଧିକ। ବିଶ୍ୱାସ ଅନୁସାରେ ଏହି ଦିନ ଦାନ କଲେ ପୁଣ୍ୟ ଫଳ ଦ୍ୱିଗୁଣ ମିଳେ। ସେଥିପାଇଁ ଅନେକେ ଅନ୍ନ, ବସ୍ତ୍ର ଓ ଧନ ଦାନ କରନ୍ତି। ମକର ସଂକ୍ରାନ୍ତି ଏକ ଏମିତି ପର୍ବ ଯାହା ଆମକୁ ପ୍ରକୃତି ସହିତ ଜୁଡ଼ି ରହିବା, କୃତଜ୍ଞ ହେବା ଓ ନୂତନ ଆଶା ସହିତ ଜୀବନକୁ ଆଗେଇ ନେବାର ପ୍ରେରଣା ଦିଏ। ଏହି ପର୍ବ ଆଲୋକ, ସମୃଦ୍ଧି ଓ ସମାଜିକ ଏକତାର ସନ୍ଦେଶ ବହନ କରେ। ପୁରାଣ ପୃଷ୍ଠାରେ ମକର ସଂକ୍ରାନ୍ତି କେବଳ ଏକ ତିଥି ନୁହେଁ; ଏହା ଆଲୋକ, ଧର୍ମ ଓ ମୋକ୍ଷ ପଥର ପ୍ରତୀକ। ଏହି ପବିତ୍ର ପର୍ବ ମାନବକୁ ସତ୍କର୍ମ, ଦାନ ଓ ଆତ୍ମଶୁଦ୍ଧିର ପଥରେ ଆଗେଇ ନେବାର ପ୍ରେରଣା ଦେଇଥାଏ।

ରିପୋର୍ଟ : ସୁଶାନ୍ତ ପଣ୍ଡା

Similar Posts

Leave a Reply

Your email address will not be published. Required fields are marked *