ମିନି ମାରାଥନରେ ଶାଢ଼ି ପିନ୍ଧି ଦୌଡ଼ିଲେ ମହିଳା
ଏହାର ଏକ ଅଂଶ ବିଶେଷ ଭୁବନେଶ୍ୱରରେ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥିଲା । ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପାଟାଥନର ତୃତୀୟ ସଂସ୍କରଣରେ ୬ ହଜାରରୁ ଊର୍ଦ୍ଧ୍ୱ ମହିଳା ପାଟ ଶାଢ଼ି ପିନ୍ଧି ଦୌଡ଼ିଥିଲେ । ‘ମହିଳା ସଶକ୍ତିକରଣ’ ଓ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଟାଥନ ଆୟୋଜନ କରାଯାଉଛି । କିଟ୍, କିସ୍ ଓ କିମ୍ସର ୫ହଜାର ମହିଳା କର୍ମଚାରୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ଶିଖରଚଣ୍ଡୀ ମନ୍ଦିର ଛକରୁ କିସ୍ ଆଥଲେଟିକ୍ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ । ଏହି ଗଣଦୌଡ଼ରେ ସୁନ୍ଦରଗଡ଼ର ସୁସ୍ମିତା ଟିଗା ପ୍ରଥମ ପୁରସ୍କାର ୫୦ ହଜାର ଟଙ୍କା ଜିଣିଥିବା ବେଳେ ଦିପ୍ତିରାଣୀ ସାହୁ ଦ୍ୱିତୀୟ ଓ କଟକର ବାସନ୍ତୀ ମୁଣ୍ଡା ତୃତୀୟ ହୋଇ ଯଥାକ୍ରମେ ୪୦ ହଜାର ଓ ୩୦ ହଜାର ଟଙ୍କା ପୁରସ୍କାର ଜିତିଥିଲେ । ସେହିପରି ୭ଜଣ ରନର୍ସଅପ୍ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ବିଜୟୀଙ୍କୁ ପାଟଶାଢ଼ି ପ୍ରଦାନ କରାଯାଇଥିଲା ।
କିଟ କେ- ୩ ମହିଳା କ୍ଲବ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଏମସି ମେୟର ସୁଲୋଚନା ଦାସ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରାକ୍ତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ଯଶୋଧାରା ପ୍ରଧାନ, ଲକ୍ଷ୍ମୀପ୍ରିୟା ପରିଡ଼ା, ଅଲିମ୍ପିଆନ୍ ଦୂତି ଚାନ୍ଦ, ଅନୁରାଧା ବିଶ୍ୱାଳ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ମାରାଥନରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ଉତ୍ସାହିତ ଓ ପୁରସ୍କାର ପ୍ରଦାନ କରିଥିଲେ ।