Live Odisha Tv

ବଡଦାଣ୍ଡରୁ ଗଡିଲା ତିନି ରଥ

ପୁରୀ : ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥ ଆଜି ସକାଳୁ ଜନ୍ମବେଦୀ ମୁହାଁ ହୋଇଛନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ରଥ। ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର। ପଛେପଛେ ଆସୁଛି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଶେଷରେ ନନ୍ଦିଘୋଷ ରଥରେ ଆସୁଛନ୍ତି କାଳିଆ ସାଆନ୍ତ। ରଥରେ ୩ ଠାକୁରଙ୍କୁ ପାଇ ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତ। ଘଣ୍ଟଘଣ୍ଟା, ବାଦ୍ୟରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ୩ ରଥକୁ ବେଶ ଉତ୍କଣ୍ଠାର ସହିତ ଟାଣି ନେଉଛନ୍ତି ଅସଂଖ୍ୟ ଭକ୍ତ। ବଡଦାଣ୍ଡ ସତେକି ଜନ ସମୁଦ୍ରରେ ପରିଣତ ହୋଇଛି। କଡ଼ା ସୁରକ୍ଷା ଭିତରେ ଶ୍ରୀଜିଉମାନଙ୍କର ରଥକୁ ଶ୍ରଦ୍ଧାଳୁ, ସେବାୟତ ଓ ସୁରକ୍ଷାକର୍ମୀମାନେ ଟାଣି ନେଉଛନ୍ତି। ଗତକାଲି ପୂର୍ବାହ୍ଣରେ ଶ୍ରୀଜିଉଙ୍କ ୧୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇଥିଲା। ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ଅପରାହ୍ଣ ୨ଟା ୨୦ରେ ଶେଷ ହୋଇଥିଲା। ଏହା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଛେରାପହଁରା ପରେ ପ୍ରଥମେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା। ସୂର୍ଯ୍ୟାସ୍ତ ହେବାରୁ ସନ୍ଧ୍ୟାରେ ପ୍ରଥମ ଦିନର ରଥଟଣା କାମ ଶେଷ ହୋଇଥିଲା। ମରିଚିକୋଟ ଠାରେ ବଡ଼ଠାକୁରଙ୍କର ତାଳଧ୍ବଜ ଓ ରାଜନଅର ଠାରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚି ଥିଲା ସେହିପରି ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଥିଲେ କାଳିଆ ସାଆନ୍ତ। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାର ପ୍ରଥମ ଦିନରେ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥିଲା । ବଡ଼ଦାଣ୍ଡରେ ରଥ ଗଡ଼ିବା ସହିତ ଭଗବାନ ଓ ଭକ୍ତଙ୍କର ମହାମିଳନ ଦୃଶ୍ୟ ଥିଲା ଅତ୍ୟନ୍ତ ମନମୁଗ୍ଧକର। ଆଜି ପୁଣି ଥରେ ରଥ ଗଡ଼ିବା ସମୟରେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ, ମଣିମା ମଣିମା ଡାକରେ ପ୍ରକମ୍ପିତ ହୋଇ ଉଠିଛି ଶ୍ରୀକ୍ଷେତ୍ର। ରଥାରୂଢ଼ କାଳିଆ ସାଆନ୍ତଙ୍କୁ ଦେଖି ଭାବବିହ୍ଵଳ ହୋଇପଡିଛନ୍ତି ଭକ୍ତଗଣ। ଭଜନକୀର୍ତ୍ତନର ତାଳେ ତାଳେ ନୃତ୍ୟଗୀତ କରିବା ସହ ବଡ଼ଦାଣ୍ଡରେ ଲୋଟି ଯାଉଛନ୍ତି ଶ୍ରଦ୍ଧାଳୁ। ୫ ଦଶନ୍ଧି ପରେ ଗତାକାଲି ଏକ ବିରଳ ତିଥିରେ ଏକାଥରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଗୁଣ୍ଡିଚା ଯାତ୍ରା ପଡିଥିବାରୁ ଏଥର ଦୁଇ ଦିନ ରଥଟାଣିବାକୁ ପରମ ସୌଭାଗ୍ୟପ୍ରାପ୍ତି ବୋଲି କହିଛନ୍ତି ଭକ୍ତ।

Digital Griot