Live Odisha Tv

ଆଗୁଆ ଟି-୨୦ ସିରିଜ କବଜା କଲା ଭାରତ

ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ୨-୦ରେ କବଜା କରି ଭାରତୀୟ ଟିମ। ଦିଲ୍ଲୀରେ ଖେଳା ଯାଉଥିବା ଦ୍ୱିତୀୟ ଟି-୨୦କୁ ଭାରତୀୟ ଟିମ ଅତି ସହଜରରେ ଜିତି ନେଇଛି। ଭାରତ ୨୨୨ ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ଟିମ ୯ ୱିକେଟରେ କେବଳ ୧୩୫ ରନରେ ଅଟକି ଯାଇଛି। ୮୬ ରନରେ ଦ୍ୱିତୀୟକୁ ଟି-୨୦ ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍‌ ପୂର୍ବରୁ ସିରିଜ କବଜା କରିନେଇଛି। ଶେଷ ମ୍ୟାଚ୍‌ ଆସନ୍ତା ୧୨ ତାରିଖରେ ଖେଳାଯିବ।

ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ବ୍ୟାଟିଂରେ ମାତ୍ର ୩୪ ବଲରେ ୭୪ ରନ କରିଥିବା ବେଳେ ବୋଲିଂରେ ୪ ଓଭର ପକାଇ ୨୩ ରନ ଦେବା ସହ ୨ଟି ୱିକେଟ ନେଇଛନ୍ତି। ନୀତୀଶ କୁମାର ବ୍ୟତୀତ ବ୍ୟାଟିଂରେ ରିଙ୍କୁ ସିଂହ ମଧ୍ୟ ୨୯ ବଲରେ ୫୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରେ ୩୨ ରନ କରିଥିଲେ। ଫଳରେ ଭାରତ ୨୦ ଓଭରରେ ୯ ୱିକେଟ ହରାଇ ୨୨୧ ରନ କରିଥିଲା।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ୨୨୨ ରନର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ବାଟ ହୁଡ଼ିଥିଲା। ପରଭେଜ ହୁସେନ ଇମୋନ ୧୬, ଲିଟନ ଦାସ ୧୪, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୧୧ ଓ ତୋହିଦ ହ୍ରିଦୟ ମାତ୍ର ୨ ରନ କରିବାକୁ ସକ୍ଷମ ହୋଇଥିଲେ। ୪୬ ରନରେ ଦଳ ୪ ୱିକେଟ ହରାଇ ଏକ ପ୍ରକାରର ବିଜୟ ଟ୍ରାକରୁ ଓହରି ଯାଇଥିଲା। ଉରୋକ୍ତ ୪ ୱିକେଟ ମଧ୍ୟରୁ ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ମେହିଦ ହାସନ ମିରାଜ ଓ ଅଭିଜ୍ଞ ମହମ୍ମଦୁଲ୍ଲା କିଛି ସମୟ ପାଇଁ ଲଢ଼େଇ କରିଥିଲେ। ହେଲେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା। ୧୭ ଓଭର ସୁଦ୍ଧା ବାଂଲାଦେଶର ସ୍କୋର ୧୧୭/୭ ରହିଥିଲା। ବାଂଲାଦେଶ ୧୨୦ ରନରେ ୮ମ ୱିକେଟ ହରାଇଥିଲା। ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୩୫ ରନ କରିପାରିଥିଲା।

Digital Griot